ଡା. ଅଭିନ୍ନ ଚନ୍ଦ୍ର ହୋମିଓପ୍ୟାଥିକ୍ କଲେଜରେ ୪ ବିଶେଷଜ୍ଞ ଡାକ୍ତର ପଦ ଖାଲି, ଆୟୁଷରେ ସାମିଲ ହୋଇନି ଜନନୀ ସୁରକ୍ଷା ଯୋଜନା

ଭୁବନେଶ୍ବର: ରାଜ୍ୟର ପ୍ରମୁଖ ହୋମିଓପ୍ୟାଥିକ ଡାକ୍ତରଖାନା‌ ଡା. ଅଭିନ୍ନ ଚନ୍ଦ୍ର ହୋମିଓପ୍ୟାଥିକ କଲେଜର କ୍ଲିନିକାଲ ବିଭାଗରେ ୪ ବିଶେଷଜ୍ଞ ଡାକ୍ତର ପଦ ଖାଲି ପଡ଼ିଛି। ନିକଟରେ ଏହି ୪ ବିଭାଗରେ ଥିବା ଡାକ୍ତରଙ୍କ ପଦୋନ୍ନତି ପରେ ସେମାନଙ୍କ ଅନ୍ୟତ୍ର ବଦଳି ହୋଇଛି। ଫଳରେ କଲେଜରେ ବିଶେଷଜ୍ଞ ଡାକ୍ତର ପଦ ଖାଲି ହୋଇଯାଇଛି। ଏଥିପାଇଁ ‌ମେଡିକାଲ କଲେଜର ବହିର୍ବିଭାଗ ବନ୍ଦ ହୋଇଯିବା ସହ କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଏହାର ସୁବିଧା ମିଳି ପାରୁ ନାହିଁ।

ଡା. ଅଭିନ୍ନ ଚନ୍ଦ୍ର କଲେଜରେ ଏବେ ସମୁଦାୟ ୧୭ଟି ବହିର୍ବିଭାଗ କାର୍ଯ୍ୟ କରୁଛି। ତହିଁରୁ ବିଶେଷଜ୍ଞ ଡାକ୍ତର ପାଇଁ ଭେଷଜ, ଅସ୍ତ୍ରୋପଚାର, ସ୍ତ୍ରୀ ଓ ପ୍ରସୂତି ରୋଗ ଓ ପାଥୋଲୋଜିର ଓପିଡି ବା ବହିର୍ବିଭାଗ ରହିଛି। ଏହାସହ ଫାର୍ମାସି, ଫିଜିଓଲୋଜି, ଅର୍ଗାନନ, ଏସ୍‌ପିଏମ୍ ଭଳି ଅଣ କ୍ଲିନିକାଲ ବହିର୍ବିଭାଗ ରହିଛି। ଏହାସହ ପାର୍ଟ ଟାଇମ୍ ଭାବେ ଇଏନ୍‌ଟି, ଦନ୍ତ, ଚର୍ମ ଓ ଫିଜିଓଥେରାପି ମଧ୍ୟ ହେଉଛି। ତେବେ ୪ ବିଭାଗର ବିଶେଷଜ୍ଞ ଡାକ୍ତରଙ୍କ ପଦୋନ୍ନତି ଓ ବଦଳି ପରେ ଅନ୍ୟ କାହାରିକୁ ଖାଲି ପଡ଼ିଥିବା ପଦରେ ନିଯୁକ୍ତି କରାଯାଇ ନାହିଁ। ହୋମିଓପ୍ୟାଥିକ ଡାକ୍ତର କାମଚଳା ଭାବେ ଏହି ୪ ବହିର୍ବିଭାଗ ଚଳାଉଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, କଲେଜରେ ସ୍ତ୍ରୀ ଓ ପ୍ରସୂତି ରୋଗ ପାଇଁ ଓଟି ରହିଛି। ଗର୍ଭବତୀମାନେ ଚିକିତ୍ସା ପାଇଁ କଲେଜକୁ ଆସୁଛନ୍ତି। ମାତ୍ର ଏଠାରେ କେହି ପ୍ରସବ କରୁ ନାହାନ୍ତି। ଗର୍ଭବତୀମାନଙ୍କୁ ପ୍ରସବ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜନନୀ ସୁରକ୍ଷା ଯୋଜନାରେ ଅର୍ଥ ପ୍ରଦାନ କରାଯାଉଛି। ମାତ୍ର ଏହି ଯୋଜନା ଆୟୁଷରେ ସାମିଲ ହୋଇ ନ ଥିବାରୁ ଅଭିନ ଚନ୍ଦ୍ରରେ ପ୍ରସବ କରିବା ପାଇଁ ଗର୍ଭବତୀମାନେ ଇଚ୍ଛା ପ୍ରକାଶ କରୁ ନାହାନ୍ତି। ଦୀର୍ଘଦିନ ଧରି ପ୍ରସବ ନ ହେବା କାରଣରୁ ଓଟି ମଧ୍ୟ କାର୍ଯ୍ୟକ୍ଷମ ହେଉନାହିଁ। ଏପରିକି ଓଟିରେ ଆବଶ୍ୟକ ଷ୍ଟେରିଲାଇଜେସନ୍‌ର ଅଭାବ ରହିଥିବା କୁହାଯାଉଛି।

ଗୋଟିଏ ପଟେ ରାଜ୍ୟ ସରକାର କ୍ୟାପିଟାଲ ହସ୍ପିଟାଲରୁ ରୋଗୀଙ୍କ ଭିଡ଼ କମାଇବା ପାଇଁ ‌ଚେଷ୍ଟା କରୁଛନ୍ତି। ଏଥିପାଇଁ ୟୁନିଟ୍-୪ସ୍ଥିତ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବା ୟୁସିଏଚ୍‌ସିକୁ ସ୍ବତନ୍ତ୍ର ଭାବେ ମହିଳା ଓ ଶିଶୁଙ୍କ ପାଇଁ ଘୋଷଣା କରାଯାଇଛି। ହେଲେ ସେଠା‌ରେ ମଧ୍ୟ ଖୁବ୍‌ କମ୍‌ ମହିଳା ପ୍ରସବ କରାଉଛନ୍ତି। ଫଳରେ କ୍ୟାପିଟାଲ ହସ୍ପିଟାଲରେ ପ୍ରସବ ପାଇଁ ପ୍ରବଳ ଚାପ ପଡ଼ୁଛି। ରାଜଧାନୀ ସମେତ ଆଖପାଖ ଜିଲ୍ଲାର ଗର୍ଭବତୀମାନେ କ୍ୟାପିଟାଲ ହସ୍ପିଟାଲକୁ ପ୍ରସବ ପାଇଁ ଆସୁଛନ୍ତି। ପରିସ୍ଥିତି ଏପରି ହେଉଛି ଯେ ପ୍ରସୂତିମାନଙ୍କୁ ତଳେ ଶୋଇବାକୁ ପଡ଼ୁଛି। ଏପରିକି ଶଯ୍ୟା ଅଭାବରୁ ପ୍ରସୂତି ହସ୍ପିଟାଲ ପରିସରରେ ପ୍ରସବ କରୁଛନ୍ତି। ତେଣୁ ରାଜ୍ୟର ଯେଉଁ ଆୟୁଷ ଡାକ୍ତରଖାନାରେ ପ୍ରସବର ସୁବିଧା ରହିଛି, ସେସବୁ ଡାକ୍ତରଖାନାରେ ଭିତ୍ତିଭୂମି ବଢ଼ାଇବା ସହ ଜନନୀ ସୁରକ୍ଷା ଯୋଜନା ଲାଗୁ କରାଗଲେ ଗର୍ଭବତୀମାନେ ସେଠାରେ ପ୍ରସବା ପାଇଁ ଇଚ୍ଛା ପ୍ରକାଶ କରିବେ ବୋଲି କୁହାଯାଉଛି। କଲେଜର ଅଧ୍ୟକ୍ଷ ଡା. ସୁଧୀର ଦାଶ କହିଛନ୍ତି, ପଦୋନ୍ନତି ଯୋଗୁଁ ବିଶେଷଜ୍ଞ ଡାକ୍ତରଙ୍କ ଅନ୍ୟତ୍ର ବଦଳି ହୋଇଛି। ତେବେ ତାଙ୍କ ବଦଳରେ ଅନ୍ୟ ଡାକ୍ତରଙ୍କୁ ନିଯୁକ୍ତ କରିବା ଲାଗି ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଥିବା ଡା. ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର