ପଞ୍ଚଭୂତରେ ବିଲୀନ ଡାକ୍ତର ବିମଳ ରଥ, ନିଜ ଗ୍ରାମରେ ହେଲା ଶେଷକୃତ୍ୟ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଜଣାଶୁଣା ଡାକ୍ତର ବିମଳ କୁମାର ରଥଙ୍କ ମରଶରୀର ଆଜି ବେଙ୍ଗାଲୁରୁରୁ ଖୋର୍ଦ୍ଧା ପହଞ୍ଚିବା ପରେ ତାଙ୍କର ଶେଷଇଚ୍ଛା ଅନୁସାରେ ନିଜ ଗ୍ରାମ ଗଡ଼ହଳଦିଆ ନିକଟ ସାମନ୍ତରାପୁରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ଶତାଧିକ ଜନସାଧାରଣ ଡାକ୍ତର ରଥଙ୍କ ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଆଜି ଅପରାହ୍‌ଣ ୩ଟା ବେଳେ ଡାକ୍ତର ରଥଙ୍କ ମର ଶରୀର ଭୁବନେଶ୍ବର ବିମାନବନ୍ଦରରୁ ଖୋର୍ଦ୍ଧା ଅଣାଯାଇଥିଲା। ଖୋର୍ଦ୍ଧା ବିଡିଏ କଲୋନିସ୍ଥିତ ବାସଭବନରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଖଣ୍ତପଡ଼ା ବିଧାୟକ ତଥା ‘ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ, ବେଗୁନିଆର ପୂର୍ବତନ ବିଧାୟକ କୈଳାସ ମହାପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଅକ୍ଷୟ ପ୍ରଧାନ, ସନତ ପଟ୍ଟନାୟକ, ସମରେନ୍ଦ୍ର ବଳିଆରସିଂ, ଭୀମସେନ ପ୍ରଧାନ, ସତ୍ୟବାଦୀ ବଳିଆରସିଂହ, ପ୍ରକାଶ ସାମନ୍ତରାୟ, ଶିଶିର ପରିଡ଼ା, ଅଖିଳ ପ୍ରଧାନ, କେଦାରନାଥ ରାୟ, ରମଜାନୀ ଖାଁ, କେଫାତୁଲ୍ଲା ମହମ୍ମଦ, ଶାହାଜାହାନ ଖାଁ, ପ୍ଲାବନ ପଟ୍ଟନାୟକ, ସର୍ବେଶ୍ବର ସାହୁ, ସୀତାକାନ୍ତ ମିଶ୍ର, ବାର୍ ସଂଘ ସମ୍ପାଦକ ପ୍ରଦୀପ କୁମାର ଦାଶ, କୃଷ୍ଣମୋହନ ହରିଚନ୍ଦନ, ଡ. ପ୍ରଫୁଲ୍ଲ ସାମନ୍ତରାୟ, ଡ. ପୂର୍ଣ୍ଣେନ୍ଦୁ କୁମାର ବେହେରା, ବିଭୁ ସାହୁ ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ଏକ ଶୋଭାଯାତ୍ରାରେ ଡାକ୍ତର ରଥଙ୍କ ମରଶରୀରକୁ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି ଉଦ୍ୟାନକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ହଳଦିଆଠାରେ ଡାକ୍ତର ରଥଙ୍କ ଶେଷ ଦର୍ଶନ କରିବାକୁ ଶତାଧିକ ଲୋକ ଅପେକ୍ଷା କରି ରହିଥିଲେ। ସେ ପଢ଼ିଥିବା ହଳଦିଆ ହାଇସ୍କୁଲ୍‌ରେ ଡାକ୍ତର ରଥଙ୍କୁ ଶ୍ରଦ୍ଧାସୁମନ ଦିଆଯିବା ପରେ ସାମନ୍ତରାପୁରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

ସମ୍ବନ୍ଧିତ ଖବର