ବାଲିପାଟଣା : ଅର୍ଥଲୋଭରେ ଅନେକ ବିଦେଶକୁ ରୋଜଗାର କରିବାକୁ ଯାଇ ସେଠାରେ ପ୍ରତିଷ୍ଠିତ ହେଉଛନ୍ତି। ବାପା, ମା’, ଭାଇ, ଭଉଣୀ, ସାଙ୍ଗସାଥୀ ପରି ପବିତ୍ର ବନ୍ଧନକୁ ଭୁଲି ଯାଉଛନ୍ତି। ନିଜ ଗାଁ ତଥା ଜନ୍ମମାଟି ପ୍ରତି ଥିବା ଦାୟିତ୍ବବୋଧକୁ ପାସୋରି ଦେଇ ପାଶ୍ଚାତ୍ୟ ସଭ୍ୟତା ଭିତରେ ନିଜକୁ ହଜାଇ ଦେଉଛନ୍ତି। ମାତ୍ର ବିଦେଶର ଚାକଚକ୍ୟ ପରିବେଶକୁ ପଛରେ ପକାଇ ଦୀର୍ଘ ୨୬ବର୍ଷ ପରେ ଜନ୍ମ ମାଟିକୁ ଫେରି ଆସିଛନ୍ତି ଏକ ଦମ୍ପତି। ଲକ୍ଷ୍ୟ ଗାଁ ପାଇଁ କିଛି କରିବା। ଏଥିଲାଗି ଏକ ସ୍ବାସ୍ଥ୍ୟକେନ୍ଦ୍ର ଖୋଲିବା ସହ ଲୋକଙ୍କୁ ମାଗଣା ଚିକିତ୍ସା ଓ ଔଷଧ ଯୋଗାଇ ଦେଉଛନ୍ତି। ଗାଁ ମାଟିର ମୋହ ସେମାନଙ୍କୁ ସଦୂର ଆମେରିକାରୁ ଗାଁକୁ ଟାଣି ଆଣିଛି।

Advertisment

publive-imageଏପରି ଏକ ନିଆରା ଦମ୍ପତି ହେଲେ, ଖୋର୍ଧା ଜିଲ୍ଲା ବାଲିପାଟଣା ବ୍ଲକ ପମ୍ପାଲୋ ପଞ୍ଚାୟତର ଚଣାହଟ୍ଟା ପଟ୍ଟନାୟକ ସାହିର ସ୍ବର୍ଗତ ମହେଶ୍ବର ପଟ୍ଟନାୟକଙ୍କ ପୁଅ ଅନୁଗ୍ରହ ନାରାୟଣ ପଟ୍ଟନାୟକ (୭୬) ଏବଂ ତାଙ୍କ ପତ୍ନୀ ଡା. ପ୍ରିୟଦର୍ଶିନୀ ମହାନ୍ତି (୬୫)। ଡା. ମହାନ୍ତି କଟକ ଏସ୍‌ସିବି ମେଡିକାଲ କଲେଜରୁ ଡାକ୍ତରୀ ଶିକ୍ଷା ପରେ ନ୍ୟୁୟର୍କରେ ଏମ୍‌.ଡି ଶିକ୍ଷାଲାଭ କରି ସେଠାରେ ଦୀର୍ଘ ୨୬ ବର୍ଷ କାଳ ଡାକ୍ତରୀ ସେବାରେ ନିଜକୁ ନିୟୋଜିତ କରିଥିଲେ। ଅବସର ପରେ ନିଜ ଗାଁକୁ ସ୍ବାମୀଙ୍କ ସହ ଫେରି ଗ୍ରାମାଞ୍ଚଳରେ ମଧୁମେହ ଭଳି ମାରାତ୍ମକ ରୋଗର ଚିକିତ୍ସା ନିମନ୍ତେ ଏକ ସ୍ବାସ୍ଥ୍ୟକେନ୍ଦ୍ର ଖୋଲିଛନ୍ତି। ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ନିଜେ ଡା. ମହାନ୍ତି ରୋଗୀ ସେବା କରିବା ସହିତ ମଧୁମେହ ରୋଗଠାରୁ କିପରି ଦୂରେଇ ରହିବେ ସେ ନେଇ ସଚେତନ କରୁଛନ୍ତି। ଏହାଛଡ଼ା ଗରିବ ଲୋକମାନଙ୍କୁ ମାଗଣାରେ ଔଷଧ ବିତରଣ କରୁଛନ୍ତି ବୋଲି କହିଛନ୍ତି ଡା. ମହାନ୍ତି। ଦୀର୍ଘ ବର୍ଷ ଆମେରିକାରେ ରହିବା ପରେ ମଧ୍ୟ ସେ ଓଡ଼ିଆ ପରମ୍ପରା, ରୀତିନୀତି ଭୁଲି ନାହାନ୍ତି। ଶାଢ଼ି ପିନ୍ଧିବାକୁ ସେ ବହୁତ ଭଲ ପାଉଥିବା ବେଳେ ତୁଳସୀ ଚଉଁରାମୂଳେ ଧୂପ ଦେବା, ମାଣବସାରେ ଚିତା ପକାଇବା, ଲକ୍ଷ୍ମୀପୁରାଣ ପାଠ କରିବାରେ ବେଶ୍‌ ଆନନ୍ଦ ପାଆନ୍ତି ବୋଲି କହିଛନ୍ତି। ସ୍ବାମୀ ଅନୁଗ୍ରହ ନାରାୟଣ ଗାଁ ସ୍କୁଲରେ ୯ମ ପର୍ଯ୍ୟନ୍ତ ପଢ଼ିବା ପରେ ରାଣୀହାଟ ବିଦ୍ୟାଳୟରେ ୧୦ମ ଶିକ୍ଷା ଅର୍ଜନ କରି ରେଭେନ୍ସା କଲେଜରେ ଉଚ୍ଚଶିକ୍ଷା ଲାଭ କରିଥିଲେ। ଆହ୍ଲାବାଦ ୟୁନିଭର୍ସିଟିରୁ ଏମ୍‌.ଏ ପାସ୍‌ କରିବା ପରେ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ତର୍‌ ଭାବେ କାର୍ଯ୍ୟ କରି ସ୍ବେଚ୍ଛାକୃତ ଅବସର ପରେ ପତ୍ନୀଙ୍କ କର୍ମସ୍ଥଳ ନ୍ୟୁୟର୍କ ଚାଲି ଯାଇଥିଲେ। ସେଠାରେ ସେ ପତ୍ନୀଙ୍କୁ ରୋଗୀ ସେବାରେ ସହଯୋଗ କରୁଥିଲେ। ଏବେ ବି ପୁଅ, ବୋହୂ, ଝିଅ, ବିଦେଶରେ ରହୁଛନ୍ତି। ସେମାନେ ବିଦେଶରେ ନାଗରିକତ୍ବ ଗ୍ରହଣ କରିଛନ୍ତି।

publive-image

ଏହି ଦମ୍ପତି ଆମେରିକାର ନାଗରିକତ୍ବ ଗ୍ରହଣ କରିଥିବାରୁ ଗାଁରେ ରହିଲେ ମଧ୍ୟ ବର୍ଷକୁ କିଛି ଦିନ ସେଠାକୁ ଯିବାକୁ ପଡ଼ିଥାଏ ବୋଲି କହିଛନ୍ତି। ପିଲାଦିନୁ ଗାଁକୁ ଭଲ ପାଉଥିବା ଶ୍ରୀ ପଟ୍ଟନାୟକ ପୂର୍ବରୁ ଗ୍ରାମରେ ଡାଏରି ଫାର୍ମ ସହ ୪/୫ଟି ପୋଖରୀ ନିଲାମରେ ନେଇ ମାଛ ଚାଷ କରୁଥିଲେ। ଉକ୍ତ କାର୍ଯ୍ୟରେ ୧୦/୧୫ଜଣ ଲୋକଙ୍କୁ ସେ ରୋଜଗାର ଯୋଗାଇ ପାରୁଥିଲେ। କିଛି ଦିନ ଚାଲିବା ପରେ ଏହାକୁ ସେ ବନ୍ଦ କରିଦେଇଥିଲେ। ପତ୍ନୀ ଚାକିରିରୁ ଅବସର ନେବା ପରେ ଗାଁକୁ ଫେରି ଶ୍ରୀକୁଞ୍ଜବିହାରୀ ମନ୍ଦିରର ପୁନରୁଦ୍ଧାର କରି ପ୍ରତିଷ୍ଠା ମଧ୍ୟ କରିଛନ୍ତି। ସୁଦୂର ଆମେରିକାରେ ଥିଲେ ମଧ୍ୟ ଗାଁ କଥା କେବେ ବି ଭୁଲନ୍ତି ନାହିଁ ବୋଲି କହିଛନ୍ତି ଏହି ଦମ୍ପତି।