ସାପ ନ ଚିହ୍ନି ଭୁଲ୍ ଇଞ୍ଜେକ୍ସନ୍ ଦେଇଦେଲେ ଡାକ୍ତର

ବିଷହୀନ ସାପ କାମୁଡ଼ା ପାଇଁ ରୋଗୀକୁ ୧୦ ଭାଏଲ୍ ଆଣ୍ଟିଭେନମ୍

ସାପ ଚିହ୍ନିଲେ ସାପ ବିଶେଷଜ୍ଞ ଶୁଭେନ୍ଦୁ
ଭାରତରେ ୪ ପ୍ରକାର ବିଷଧର ସାପ ପାଇଁ ଦିଆଯାଏ ଆଣ୍ଟିଭେନମ୍

ଭୁବନେଶ୍ବର : ଭୁଲ୍ ସାପ ଚିହ୍ନଟ କରି କ୍ୟାପିଟାଲ୍ ହସ୍ପିଟାଲର ଡାକ୍ତର ଜଣେ ଯୁବକଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ୧୦ ଭାଏଲ୍ ଆଣ୍ଟିଭେନମ୍ ସାପକାମୁଡ଼ା ଇଞ୍ଜେକ୍ସନ ଦେଇଛନ୍ତି। ସାପକାମୁଡ଼ା ରୋଗୀର ଲକ୍ଷଣରୁ ସାପ ବିଷଧର କି ବିଷହୀନ ଜାଣି ନ ପାରିବାକୁ ନେଇ ଡାକ୍ତରଙ୍କ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି। ମାଗଣାରେ ଆଣ୍ଟିଭେନମ୍ ଇଂଜେକ୍ସନ୍ ମିଳୁଥିବାରୁ ତାକୁ ମନଇଚ୍ଛା ବ୍ୟବହାର କରାଯିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ମିଳିଥିବା ସୂଚନା ମୁତାବକ ଶୁକ୍ରବାର ରାତି ପ୍ରାୟ ୧୦ଟାରେ ସିଏମ୍‌ଆଇଆର୍‌ର ରିସର୍ଚ୍ଚ ସ୍କଲାର୍ ଶକ୍ତିପ୍ରସାଦ ସେଠୀଙ୍କୁ ଏକ କଳାରଙ୍ଗର ସାପ ଚୋଟ ମାରିଥିଲା। ପରେ ଶକ୍ତି ଓ ତାଙ୍କ ସାଙ୍ଗମାନେ ରୁମ୍ ଭିତରୁ ଉକ୍ତ ସାପକୁ ଖୋଜିବା ସହ ତାର ଫୋଟୋ ଉଠାଇ କ୍ୟାପିଟାଲ୍ ହସ୍ପିଟାଲରେ ପହଞ୍ଚିଥିଲେ। ସେତେବେଳେକୁ ଶକ୍ତିଙ୍କ ହାତ ଆଂଶିକ ଫୁଲିବା ସହ ତାଙ୍କ ମୁଣ୍ଡ ବୁଲାଇବା ଆରମ୍ଭ ହୋଇଥିଲା। ଏହା ପରେ ଡ୍ୟୁଟିରେ ଥିବା ଡାକ୍ତର ଫଟୋ ଦେଖି ସାପକୁ ବିଷଧର ଚିତି ସାପ ବୋଲି ଚିହ୍ନଟ କରିବା ସହିତ ୧୦ଭାଏଲ ଆଣ୍ଟିଭେନମ୍ ସ୍ନେକ୍ ଇଂଜେକ୍ସନ ଦେଇଥିଲେ। ତେବେ ସକାଳେ ସାପ ବିଷୟରେ ଅଧିକ ଜାଣିବା ପାଇଁ ସିଏମ୍‌ଆଇଆର୍‌ ଦେବୀ ପ୍ରସାଦ ଦାସ ଘଟଣା ସଂପର୍କରେ ସ୍ନେକ୍ ହେଲ୍ପ ଲାଇନ୍‌ର ସାଧାରଣ ସଂପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଜଣାଇବା ସହ ସାପ ଚିହ୍ନଟ ଓ ଅନ୍ୟାନ୍ୟ ପ୍ରତିକାର ବିଷୟରେ ସହାୟତା ଲୋଡ଼ିଥିଲେ। ଶୁଭେନ୍ଦୁ ସାପକୁ ଚିହ୍ନଟ କରିବା ସହ ଏହା ଏକ ବିଷହୀନ କଉଡ଼ିଆ ଚିତି ସାପ ବୋଲି କହିଥିଲେ। ଆଉ ଏହା ପାଇଁ କେବେ ବି ଆଣ୍ଟିଭେନମ୍ ସ୍ନେକ ଇଂଜେକ୍ସନ ଦିଆଯିବା ସମୀଚୀନ ନୁହେଁ ବୋଲି ସ୍ପଷ୍ଟ କରିଥିଲେ।

ଏହି ପ୍ରସଙ୍ଗରେ ଭୁବନେଶ୍ୱର ଏମ୍ସର ଫୋରେନ୍ସିକ ମେଡିସିନ ବିଭାଗର ଅତିରିକ୍ତ ପ୍ରଫେସର ଡାକ୍ତର ସୁଦୀପ୍ତ ରଞ୍ଜନ ସିଂହ କହିବାନୁଯାୟୀ, ଭାରତରେ ମାତ୍ର ୪ଟି ପ୍ରଜାତିର ସାପଙ୍କ ବିଷ ପାଇଁ ଆଣ୍ଟିଭେନମ୍‌ ପ୍ରସ୍ତୁତ ହୋଇଛି। ଯେଉଁଥିରେ ନାଗ, ଚିତି, ଚନ୍ଦନ ବୋଡ଼ା ଓ ଧୂସର ବୋଡ଼ା ରହିଛି। ତେଣୁ ଡାକ୍ତରମାନେ ଏହି ୪ଟି ସାପ ବିଷୟରେ ଅବଗତ ହେବା ନିହାତି ଜରୁରୀ। ଖାଲି ସେତିକି ନୁହେଁ, ସାପ କାମୁଡ଼ିବା ପରେ ଲୋକମାନେ ଭୟଭୀତ ହେବା ସ୍ବାଭାବିକ ପ୍ରକ୍ରିୟା। ଏଣୁ ବିଷଧର ସାପ ହୋଇନଥିଲେ ମଧ୍ୟ ରୋଗୀଙ୍କ ଦେହରୁ ଝାଳ ବାହାରିବା ବା ରକ୍ତଚାପ ବଢ଼ିଯିବା ଆଦି ଲକ୍ଷଣ ଦେଖାଯାଇଥାଏ। ଏଣୁ ଉଭୟ ଲୋକାଲ ଓ ସିଷ୍ଟମିକ୍ ଲକ୍ଷଣ ଦେଖି ଇଂଜେକ୍ସନ ବ୍ୟବହାର କରିବା ଉଚିତ।

ସମ୍ବନ୍ଧିତ ଖବର