ବାଇକ୍‌ ଧକ୍କାରେ ଡାକ୍ତର ଗୁରୁତର, ଜଣେ ଅଟକ : ‘ଜାଣିଶୁଣି ଧକ୍‌କା ଦିିଆଯାଇଛି’

ବାଲିପାଟଣା : ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ରରେ ଡାକ୍ତର ଅବିନାଶ ରାଉତରାୟ ବାଇକ୍‌ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଆଖି ଓ ପିଞ୍ଜରା ହାଡ଼ରେ ଗୁରୁତର ଆଘାତ ଲାଗିଛି। ଅନ୍ୟପକ୍ଷରେ ଆକ୍ରୋଶମୂଳକ ଭାବେ ତାଙ୍କ ବାଇକ୍‌କୁ ଧକ୍କା ଦିଆଯାଇଛି ବୋଲି ଡା. ରାଉତରାୟ ଅଭିଯୋଗ କରିଛନ୍ତି। ଏ ନେଇ ସେ ବାଲିପାଟଣା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ଜଣେ ଯୁବକଙ୍କୁ ଅଟକ ରଖିଛି। ବାଲିପାଟଣା ଥାନା ଅଧିକାରୀ ରବି ନାରାୟଣ ଭଞ୍ଜ ନିଜେ ଏହି ଘଟଣାର ତଦନ୍ତ କରୁଛନ୍ତି।

ଶ୍ରୀ ଭଞ୍ଜଙ୍କ ସୂଚନା ଅନୁଯାୟୀ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ରରେ ଡା. ଅବିନାଶ ରାଉତରାୟ କାର୍ଯ୍ୟରତ ଥିଲେ। ଅପରାହ୍ଣ ପ୍ରାୟ ୧ଟାରେ ନୂଆଗାଁର ଦେବ ସାହୁ(୨୩) ତାଙ୍କ ପୁତୁରାର ଚିକିତ୍ସା ପାଇଁ ଆସିଥିଲେ। ପିଲାଟିର ଦେହ ଅଧିକ ଖରାପ ଅଛି ବୋଲି କହି ଯୁବକ ଜଣକ ଡାକ୍ତରଙ୍କୁ ତାର ତୁରନ୍ତ ଚିକିତ୍ସା ପାଇଁ ନିବେଦନ କରିଥିଲେ। ମାତ୍ର ଡାକ୍ତର ଧାଡ଼ିରେ ଆସିବାକୁ କହି ତାଙ୍କୁ ରୁମ୍‌ରୁ ବାହାରକୁ ଯିବାକୁ କହିଥିଲେ। ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। କିଛି ସମୟ ପରେ ନିଜ ବାଇକ୍‌ ଧରି ଡା. ରାଉତରାୟ ବାହାରକୁ ଯାଉଥିବା ବେଳେ ବାହାରେ ଅପେକ୍ଷା କରିଥିବା ଶ୍ରୀ ସାହୁ ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲେ ବୋଲି ଡା. ରାଉତରାୟ ଅଭିଯୋଗ କରିଛନ୍ତି। ତେବେ ଶ୍ରୀ ସାହୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ବରଂ ଡାକ୍ତର ତାଙ୍କୁ ଗାଳି କରି ରୁମ୍‌ରୁ ଧକ୍କା ଦେଇ ବାହାର କରି ଦେଇଥିଲେ ବୋଲି ସେ ପାଲଟା ଅଭିଯୋଗ କରିଛନ୍ତି। ଡ. ରାଉତରାୟ ନିଜ ପ୍ରତିକ୍ରିୟାରେ କହିଛନ୍ତି ତାଙ୍କ ବିରୋଧରେ ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ। ସେ କାହାକୁ ଧକ୍କା ମାରି ନାହାନ୍ତି।

ସମ୍ବନ୍ଧିତ ଖବର