ଡାକ୍ତର ମାନସ ଦାସ ଗୁଳିକାଣ୍ତ ମାମଲା: ସୁପାରି କିଲର୍‌କୁ ଖୋଜୁଛି ପୁଲିସ

ଖୋର୍ଦ୍ଧା: ଡାକ୍ତର ମାନସ ରଂଜନ ଦାସଙ୍କ ଉପରକୁ ହୋଇଥିବା ଗୁଳିମାଡ଼ ଓ ଔଷଧ ବ୍ୟବସାୟୀ କୃଷ୍ଣଚନ୍ଦ୍ର ସାହୁଙ୍କ ହତ୍ୟା ଘଟଣାରେ ଖୋର୍ଦ୍ଧା ପୁଲିସକୁ ଠୋସ ତଥ୍ୟ ମିଳିଛି। ସୁପାରି କିଲର୍‌ ମାଧ୍ୟମରେ ହିଁ ଏଭଳି ଜଘନ୍ୟ ଅପରାଧ ଘଟା ଯାଇଛି। ସୁପାରି କିଲର୍‌କୁ ଧରିବାକୁ ପୁଲିସ୍‌ର ଦୁଇଟି ଟିମ୍ ବ୍ରହ୍ମପୁର ଓ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି। ଏହା ପଛରେ ଅନ୍ୟ ଜଣେ ମାଷ୍ଟରମାଇଣ୍ଡ ଅଛି, ଯାହାର ଇସାରାରେ ଏଭଳି ଏକ ହତ୍ୟାକାଣ୍ଡ ଘଟାଇଛି। କାରଣ ସୁପାରି କିଲର୍‌ଜଣକ ଡାକ୍ତର ମାନସ ଦାସଙ୍କୁ ହିଁ ହତ୍ୟା କରିବାକୁ ଆସିଥିଲା ବୋଲି ପୁଲିସ ସ୍ପଷ୍ଟ ହୋଇଯାଇଛି। ତେଣୁ ଏହି ସୁପାରି କିଲର୍‌ କିଏ? ଡାକ୍ତର ମାନସଙ୍କୁ ହତ୍ୟା କରିବାକୁ କିଏ ସୁପାରି ଦେଇଥିଲା ଓ କାହିଁକି ଦେଇଥିଲା ପୁଲିସ ଏ ନେଇ ଖୋଳତାଡ଼ ଆରମ୍ଭ କରିଛି।

ଖୋର୍ଦ୍ଧା ପୁଲିସର ପ୍ରଥମ ଲକ୍ଷ୍ୟ କାହିଁକି ଓ କିଏ ଡାକ୍ତରଙ୍କୁ ହତ୍ୟା କରିବାକୁ ଆସିଥିଲା। କାହା ସହିତ ତାଙ୍କର ଶତ୍ରୁତା ଥିଲା କି? ଭୁବନେଶ୍ବର କିମ୍ବା ଖୋର୍ଦ୍ଧାରେ ତାଙ୍କର କାହା ସହିତ ଜମି ବିବାଦ ଥିଲା କି? ଏ ସବୁର ଉତ୍ତର ଖୋଜୁଛି ପୁଲିସ। ପୁଲିସ ଜାଣିବାକୁ ପାଇଛି, ଡାକ୍ତର ଦାସଙ୍କର ଜଣେ ସମ୍ପର୍କୀୟଙ୍କ ସହ ଜମିଜମା ବିବାଦ ଥିଲା। ସେହି ବିବାଦ ଦୀର୍ଘ ଦିନର। ଏହି କାରଣରୁ ତାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରି କେହି ଏଭଳି କାଣ୍ଡ ଭିଆଇଛି କି? ଆଜି ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ଡାକ୍ତର ମାନସ ଦାସଙ୍କ ବାପା ଆମ୍ରି ହସ୍‌ପିଟାଲ୍‌ ପହଞ୍ଚିଥିଲେ। ସେଠାରେ ସେ ପୁଲିସ୍‌କୁ ସୂଚନା ଦେଇ କହିଛନ୍ତି ଯେ ଡା. ଦାସ କାଁ ଭାଁ ତାଙ୍କ ଗାଁ ଗୋପ ଥାନା ଅନ୍ତର୍ଗତ ମହଲପଡ଼ାକୁ ଯାଆନ୍ତି। ଗାଁରେ ନିଜର କିଛି ନିକଟ ସମ୍ପର୍କୀୟଙ୍କୁ ଛାଡ଼ି ଅନ୍ୟ କାହାରିକୁ ଜାଣନ୍ତି ନାହିଁ କି ତାଙ୍କୁ କେହି ଜାଣନ୍ତି ନାହିଁ। ଗାଁରେ ତାଙ୍କର କାହା ସହିତ ଶତ୍ରୁତା ମଧ୍ୟ ନଥିଲା। ଡାକ୍ତର ଦାସଙ୍କ ବାପାଙ୍କ ଏହି ବୟାନ ପରେ ପୁଲିସର ଗାଁରେ ଜମିଜମାକୁ ନେଇ କିମ୍ବା ପାରିବାରିକ କଳହରୁ ହତ୍ୟା ଘଟଣାର ସନ୍ଦେହ ଉପରେ ଆପାତତଃ ପୂର୍ଣ୍ଣଚ୍ଛେଦ ପକାଇଛି। ତେବେ ଚିକିତ୍ସା ଅବହେଳାରେ ମୃତ୍ୟୁକୁ ନେଇ ପ୍ରତିଶୋଧ କିମ୍ବା ଅନ୍ୟ ସ୍ଥାନରେ ଜମିଜମାକୁ ନେଇ ବିବାଦରେ ହତ୍ୟାକାଣ୍ତ ଉପରେ ପୁଲିସ୍‌ ଅଧିକ ଗୁରୁତ୍ବ ଦେଇଥିବା ଜଣାଯାଇଛି। ଯେଉଁଭଳି ଢଙ୍ଗରେ ଅପରାଧୀ ଅପରାଧ ଘଟାଇଛି, ସେଥିରୁ ସେ ଜଣେ ପେସାଦାର ହତ୍ୟାକାରୀ (ସାର୍ପ ସୁଟର୍‌) ବୋଲି ସନ୍ଦେହ କରି ପୁଲିସର ୨ଟି ଟିମ୍ ଭୁବନେଶ୍ବର ଓ ବ୍ରହ୍ମପୁର ଯାଇ ଅପରାଧୀଙ୍କ ରେକର୍ଡ ଯାଞ୍ଚ ଆରମ୍ଭ କରିଛି। ତେବେ ହତ୍ୟା ପୂର୍ବରୁ ହତ୍ୟାକାରୀ ଡାକ୍ତରଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରିଥିବା ସ୍ପଷ୍ଟ ଜଣାଯାଇଛି। ଏଣୁ ଡାକ୍ତରଙ୍କ ଫୋନ୍ ରେକର୍ଡ ଓ କ୍ଲିନିକ୍‌ର ୧୫ ଦିନ ପୂର୍ବର ସିସିଟିଭି ଫୁଟେଜ୍‌କୁ ନେଇ ଖୋର୍ଦ୍ଧା ପୁଲିସର ସାଇବର ଟିମ୍ ତନ୍ନତନ୍ନ କରି ଯାଞ୍ଚ କରିବା ଆରମ୍ଭ କରିଛି।

ବିଶେଷସୂତ୍ରରୁ ମିଳିଥିବା ସୂଚନା ମୁତାବକ, ପୁଲିସର ଦୁଇଟି ଟିମ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଯାଇଛି। କେନ୍ଦ୍ରାପଡ଼ାରେ ଥିବା କେତେକ ଗ୍ୟାଙ୍ଗଷ୍ଟରଙ୍କ ସାର୍ପସୁଟରଙ୍କୁ ମଧ୍ୟ ପୁଲିସ ଖୋଜିବା ଆରମ୍ଭ କରିଛି। କେଉଁମାନେ ଏବେ ଜେଲ୍‌ରେ ଅଛନ୍ତି, ଆଉ କିଏ ବାହା‌‌ରେ ଅଛନ୍ତି, ସେ ସବୁର ତାଲିକା ସଂଗ୍ରହ କରୁଛି ଖୋର୍ଦ୍ଧା ପୁଲିସ। ଯେଉଁମାନେ ବାହାରେ ଅଛନ୍ତି ସେମାନଙ୍କୁ ପୁଲିସ ଖୋଜିବା ଆରମ୍ଭ କରିଛି। ସେମାନେ କୁଆଡ଼େ ଗଲେ, ତାଙ୍କ ଉପରେ ନଜର ବୁଲାଇବା ଆରମ୍ଭ କରିଛି ପୁଲିସ। ଅନ୍ୟ ପକ୍ଷରେ ବିଶେଷସୂତ୍ରରୁ ଯାହା ସୂଚନା ମିଳିଛି, ଖୋର୍ଦ୍ଧା ପୁଲିସ ରାଜଧାନୀ ଉପକଣ୍ଠର ଜଣେ ଯୁବକକୁ ଥାନାରେ ଅଟକ ରଖିଛି। ତା ନାଁରେ ହତ୍ୟା, ହତ୍ୟା ଉଦ୍ୟମ, ଗୁଳିମାଡ଼ ଭଳି ଏକାଧିକ ଆପରାଧିକ ମାମଲା ରାଜଧାନୀର ବିଭିନ୍ନ ଥାନାରେ ରହିଛି। ପୁଲିସକୁ ତାକୁ ଏକ ଗୁପ୍ତସ୍ଥାନରେ ରଖି ପଚରାଉଚରା କରୁଛି।

ଚଳିତ ମାସ ୧୫ ତାରିଖରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟବର୍ତ୍ତୀ ଏକ ଘରୋଇ କ୍ଲିନିକ୍ ଡାକ୍ତର ମାନସ ରଂଜନ ଦାସ ଓ ତାଙ୍କର ଜଣେ ସହଯୋଗୀ ତଥା ଔଷଧ ଦୋକାନୀ କୃଷ୍ଣଚନ୍ଦ୍ର ସାହୁଙ୍କୁ କେହି ଦୁର୍ବୃତ୍ତ ଗୁଳିମାଡ଼ କରିଥିଲା। ଏଥିରେ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ମାନସଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି। ଅନ୍ୟ ପକ୍ଷରେ ଗୁଳିମାଡ଼ରେ ମେଡିସିନ୍‌ ଦୋକାନୀ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ପ୍ରତିବାଦରେ ଜିଲ୍ଲା କେମିଷ୍ଟ ଆଣ୍ଡ୍‌ ଡ୍ରଗିଷ୍ଟ ଆସୋସିଏସନ୍‌ ପକ୍ଷରୁ ୧୮ ତାରିଖରେ ଖୋର୍ଦ୍ଧା ବନ୍ଦ ପାଇଁ ଡାକରା ଦିଆଯାଇଥିଲା। ତେବେ ଅପରାଧୀକୁ ଧରିବା ପାଇଁ ଏସ୍‌ପିଙ୍କ ପ୍ରତିଶ୍ରୁତି ପରେ ବନ୍ଦ ଡାକରା ସ୍ଥଗିତ ରଖା ଯାଇଥିବା ଆସୋସିଏସନ୍‌ ପକ୍ଷରୁ ଆଜି ପ୍ରକାଶ କରାଯାଇଛି।

ସମ୍ବନ୍ଧିତ ଖବର