ଭୁବନେଶ୍ବର: ମାଷ୍ଟରକ୍ୟାଣ୍ଟିନ ସ୍ଥିତ ରେଳ ଷ୍ଟେସନ୍ରେ ଡାକ୍ତର ରବୀନ୍ଦ୍ରନାଥ ରଥଙ୍କ ମୃତ୍ୟୁ ଘଟଣା ଅଧିକ ରହସ୍ୟମୟ ହୋଇ ପଡ଼ିଛି। ଘଟଣା ରାତିରେ ଡାକ୍ତର ରଥ କ୍ଲିନିକରୁ ଷ୍ଟେସନ୍ ଆସିଥିଲେ ସତ, କିନ୍ତୁ କାହିଁକି ଆସିଥିଲେ, କିଏ ତାଙ୍କୁ ଷ୍ଟେସନ୍ ଡକାଇଥିଲା, ଏହି ତଥ୍ୟର ଉନ୍ମୋଚନ ହୋଇ ପାରିନି। ଅତ୍ୟଧିକ ରକ୍ତସ୍ରାବ ଓ ମୁଣ୍ଡରେ ଶକ୍ତ ଆଘାତ କାରଣରୁ ତାଙ୍କର ମୃତ୍ୟୁ ଘଟିଛି। କିନ୍ତୁ ତାଙ୍କୁ ହତ୍ୟା କରାଯାଇ ନାହିଁ। କାରଣ ହତ୍ୟାର କୌଣସି ପ୍ରମାଣ ମିଳୁନାହିଁ। ଆଜି ରେଳବାଇ ଡିଏସ୍ପି ଇତିକାନ୍ତି ମହାପାତ୍ର ୬୦ ପୃଷ୍ଠା ସମ୍ବଳିତ ଏଭଳି ଏକ ରିପୋର୍ଟ ରେଳବାଇ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟଙ୍କୁ ପ୍ରଦାନ କରିଛନ୍ତି। ଡିଏସ୍ପିଙ୍କ ଏଭଳି ରିପୋର୍ଟ ପରେ ଡାକ୍ତର ରଥଙ୍କ ମୃତ୍ୟୁ ଘଟଣା ଫାଇଲକୁ ପୁଲିସ ଏକ ପ୍ରକାର ବନ୍ଦ କରିବାକୁ ସ୍ଥିର କରି ସାରିଛି। ଦୁଇ ସପ୍ତାହ ତଳେ ଡାକ୍ତରଙ୍କ ପରିବାର ଲୋକ ରେଳବାଇ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟଙ୍କୁ ଭେଟିଥିଲେ। ଏଡିଜି ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ କି, ଘଟଣାର ତଦନ୍ତ ଡିଏସ୍ପି ରୢାଙ୍କର ଜଣେ ଅଧିକାରୀ କରିବେ ଓ ସପ୍ତାହକ ମଧ୍ୟରେ ସେ ରିପୋର୍ଟ ଦେବେ। ଏହା ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ଡିଏସ୍ପି ଇତିକାନ୍ତ ମହାପାତ୍ର। ଡିଏସ୍ପି ଶ୍ରୀ ମହାପାତ୍ର କହିଛନ୍ତି, ଡାକ୍ତରଙ୍କୁ ହତ୍ୟା କରାଯିବାର କୌଣସି ପାରିପାର୍ଶ୍ବିକ ପରିସ୍ଥିତିରୁ ଜଣାପଡ଼ୁନାହିଁ। କେହି ତାଙ୍କୁ ଷ୍ଟେସନ୍ରେ ହତ୍ୟା କରି ନାହାନ୍ତି। ବରଂ ସେ ହଠାତ୍ ତଳେ ପଡ଼ିଯିବା ଷ୍ଟେସନର କେତେକ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। କିନ୍ତୁ ଏତେ ରାତିରେ ଡାକ୍ତର କାହିଁକି ଷ୍ଟେସନ୍ ଆସିଥିଲେ, ତାହା କେହି କହି ପାରୁ ନାହାନ୍ତିି। ଏହା ଛଡ଼ା େଯଉଁ ସ୍ଥାନରେ ଡାକ୍ତରଙ୍କ ମୃତଦେହ ପଡ଼ିଥିଲା, ସେହି ସ୍ଥାନ ସିସିଟିଭିର ଫ୍ରେମ୍ ଭିତରେ ଆସୁନାହିଁ। ତେଣୁ ତାଙ୍କ ସହିତ ସେହି ରାତିରେ ଷ୍ଟେସନ୍ରେ କିଏ ଥିଲା, ତାହା ଜଣାପଡ଼ୁନାହିଁ।
ପ୍ରକାଶଥାଉକି, ଗତ ଅଗଷ୍ଟ ୨୫ ତାରିଖ ରାତି ପ୍ରାୟ ୯ଟା ୧୫ ମିନିଟରେ ସାମନ୍ତରାପୁର କ୍ଲିନିକରୁ ଏକ ଫୋନ୍ କଲ୍ ପାଇ ଡାକ୍ତର ରଥ ସିଧା ଭୁବନେଶ୍ବର ଷ୍ଟେସନ୍ ଆସିଥିଲେ। ଷ୍ଟେସନ୍ ଭିତରକୁ ସେ ଏକ ପାଣି ବୋତଲ ଧରି ପଶିବା ସହ ମୋବାଇଲ୍ ଫୋନରେ କଥା ହେଉଥିଲେ। ଠିକ ରାତି ୧୦ଟାବେଳେ ଷ୍ଟେସନ୍ର ୧ ନମ୍ବର ପ୍ଲାଟଫର୍ମର ଏଣ୍ଟ୍ରି ପଏଣ୍ଟ୍ ନିକଟରେ ତାଙ୍କର ରକ୍ତାକ୍ତ ମୃତଦେହ ଜବତ କରାଯାଇଥିଲା। ମୃତଦେହ ନିକଟରେ ତାଙ୍କ ଜୋତା ପଡ଼ିଥିବା ବେଳେ ପୁଲିସ ଡାକ୍ତରଙ୍କ ମୋବାଇଲ୍ ପାଇଥିଲା। ପାରପାର୍ଶ୍ବିକ ପରିସ୍ଥିତିରୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାରଲୋକ ସନ୍ଦେହ କରିଥିଲେ। କିନ୍ତୁ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା।