ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନସ୍ଥିତ ରେଳ ଷ୍ଟେସନରେ ଜଣାଶୁଣା ଶିଶୁ ବିଶେଷଜ୍ଞ ଡାକ୍ତର ରବ୍ରୀନ୍ଦ୍ର ନାଥ ରଥଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ୪୮ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପୁଲିସ ଅପରାଧୀର ଟେର୍ ପାଇନି। ପ୍ରକୃତରେ ସେ ଟ୍ରେନ୍ରେ କଟି ଯାଇଛନ୍ତି ନା, ତାଙ୍କୁ ହତ୍ୟା କରାଯାଇଛି, ତାହା ପୁଲିସ ଜାଣିପାରି ନାହିଁ। ବ୍ୟବଚ୍ଛେଦ ରିପୋର୍ଟକୁ ପୁଲିସ ଅପେକ୍ଷା କରିଛି। ସୋମବାର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଡାକ୍ତରଙ୍କ ମୃତ୍ୟୁର ରହସ୍ୟ ଉନ୍ମୋଚନ ହେବ ବୋଲି ପୁଲିସ କହିଛି। ଅପରପକ୍ଷେ ଆଜି ରେଳବାଇ ଥାନା ପୁଲିସ ଡାକ୍ତରଙ୍କ ପରିବାରଲୋକ ଏବଂ କ୍ଲିନିକ୍ ଷ୍ଟାଫଙ୍କୁ ପଚରା ଉଚରା କରିଛି। ପୁଲିସର ଏକ ଟିମ୍ ରବିବାର ଦିନ କ୍ଲିନିକ୍ରେ ପହଞ୍ଚି ସେଠାରେ ଖୋଳାତାଡ଼ କରିଥିଲା। ତେବେ କ୍ଲିନିକ୍ର ଜଣେ କର୍ମଚାରୀ କହିଥିଲେ ଯେ ୨୪ ତାରିଖ ରାତି ପ୍ରାୟ ୯ଟାରେ ସାର୍ ଜଣେ ରୋଗୀକୁ ଚିକିତ୍ସା କରୁଥିଲେ। ଏହି ସମୟରେ ତାଙ୍କ ନମ୍ବରକୁ ବାରମ୍ବାର କଲ୍ ଆସିଥିଲା। ଯେଉଁଥିରେ ଏକ ହସ୍ପିଟାଲର ନାଁ ଲେଖାଥିଲା। ସାର୍ ବିରକ୍ତି ହୋଇ କଲ୍ ରିସିଭ୍ କରି ଯାଉଛି ବୋଲି କହିଥିଲେ। ଆଉ ଏହା ପରେ ଏକ ଅଟୋରେ ଯାଇଥିଲେ ବୋଲି ସେ କହିଛନ୍ତି। ତେବେ କେଉଁ ହସ୍ପିଟାଲ୍ ନମ୍ବରରୁ କଲ୍ ଆସିଥିଲା? ଆଉ ଡାକ୍ତରଙ୍କ ଫୋନ୍ରୁ କାହାକୁ କଲ୍ ଯାଇଥିଲା, ସେନେଇ ପୁଲିସ କଲ୍ ଡିଟେଲ୍ସ ଯାଞ୍ଚ କରୁଛି। ସିଡିଆର୍ ରିପୋର୍ଟ ଆସିବା ପରେ ଅନେକ ତଥ୍ୟ ଜଣାପଡ଼ିବ ବୋଲି ପୁଲିସ ଆଶା ରଖିଛି। ସେହିପରି ସାମନ୍ତରାପୁରସ୍ଥିତ ଡାକ୍ତରଙ୍କ କ୍ଲିନିକ୍ ନିକଟରେ ଥିବା ରିଲାଏନ୍ସ ଫ୍ରେସ୍ର ସିସିଟିଭି ଫୁଟେଜ୍କୁ ପୁଲିସ ଯାଞ୍ଚ କରିଛି। କ୍ଲିନିକ୍ରୁ ଷ୍ଟେସନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ୍କୁ ପୁଲିସ ସଂଗ୍ରହ କରିଛି। ତେବେ ଡାକ୍ତର କଳ୍ପନାରୁ ଏକ ବାଇକ୍ରେ ଷ୍ଟେସନ୍ ଆସିଛନ୍ତି ବୋଲି ଏକ ସିସିଟିଭି ଫୁଟେଜ୍ରୁ ଜଣାପଡ଼ିଛି। ସେ ବାଇକ୍ ଚାଳକଜଣଙ୍କ କିଏ? ସେ ଡାକ୍ତରଙ୍କୁ ଷ୍ଟେସନ୍ରେ ଛାଡ଼ିବା ପରେ କୁଅଡ଼େ ଗଲେ। ସେ ନେଇ ମଧ୍ୟ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ସେହିପରି ଡାକ୍ତରଙ୍କ ପରିବାର ପକ୍ଷରୁ ମଧ୍ୟ ଆଜି ଲିଙ୍ଗରାଜ ଥାନାରେ ଏକ ଅଭିଯୋଗ କରାଯାଇଛି। ଡାକ୍ତରଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପରିବାର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଷ୍ଟେସନ୍ରେ ଡାକ୍ତରଙ୍କ ମୃତ୍ୟୁ ଘଟଣା: ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା
/sambad/media/post_attachments/wp-content/uploads/2018/08/Murder_Graphic-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)