ଡାକ୍ତରଙ୍କ ଅନିୟମିତତା: ମେଣ୍ଢାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା

ଖଣ୍ଡଗିରି: ଡାକ୍ତରମାନଙ୍କ ଅନିୟମିତତାକୁ ନେଇ ମଙ୍ଗଳବାର ମେଣ୍ଢାଶାଳସ୍ଥିତ ଭୁବନେଶ୍ବର ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ବାସ୍ଥ୍ୟକେନ୍ଦ୍ରରେ ସାତ ସାତ ଜଣ ଡାକ୍ତର ନିଯୁକ୍ତି ପାଇଥିବା ସତ୍ତ୍ବେ ରୋଗୀ ସେବା ବାଧାପ୍ରାପ୍ତ ହେଉଥିବାରୁ ପ୍ରତିବାଦରେ ଆଜି ଶତାଧିକ ସ୍ଥାନୀୟ ଲୋକ ହସ୍ପିଟାଲକୁ ଘେରାଉ କରିଥିଲେ। ଡାକ୍ତରମାନେ ନିୟମିତ ହସ୍ପିଟାଲ ଆସୁ ନଥିବା ଓ ରାତିରେ ଡ୍ୟୁଟି କରୁଥିବା ଡାକ୍ତର ରୋଗୀମାନଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରି ଲୋକେ ହସ୍ପିଟାଲରେ ହୋ-ହଲ୍ଲା କରିଥିଲେ। ଶେଷରେ ମେଡିକାଲ ଅଫିସର ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସା‌ରେ ଏବେ ଏହି ହସ୍ପିଟାଲରେ ୭ଜଣ ଡାକ୍ତର ଅଛନ୍ତି। ମାତ୍ର ସେମାନେ ହସ୍ପିଟାଲକୁ ନିୟମିତ ଆସୁନାହାନ୍ତି। ଫଳରେ ଆଦିବାସୀବହୁଳ ଏହି ଅଞ୍ଚଳରେ ଗରିବ ରୋଗୀମାନେ ଉପଯୁକ୍ତ ସ୍ବସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ପୂର୍ବରୁ ଡାକ୍ତର ନଥାଇ ଯେଉଁ ଅବସ୍ଥା ଥିଲା, ଏବେ ୭ଜଣ ଡାକ୍ତର ଥାଇ ମଧ୍ୟ ସେହି ଅବସ୍ଥା। କିଏ କେତେବେଳେ ଆସୁଛି ଯାଉଛି, ତାହାର ହିସାବ ନାହିଁ। କିଛି ଲୋକଙ୍କ କହିବା କଥା ବହୁ ଡାକ୍ତରଙ୍କୁ ଏହି ହସ୍ପିଟାଲରେ ଦେଖିବାକୁ ମିଳେ ନାହିଁ। ସେହିଭଳି ରାତିରେ ଜଣେ ଡାକ୍ତର ଡ୍ୟୁଟି କରୁଥିଲେ ବି ସେ ରୋଗୀମାନଙ୍କୁ ଦୁର୍ବ୍ୟବହାର କରୁଛନ୍ତି। ଗତ ରାତିରେ ଜଣେ ସ୍ଥାନୀୟ ରୋଗୀ ଡାକ୍ତରଙ୍କ ଦୁର୍ବ୍ୟବହାରର ଶିକାର ହୋଇଥିଲେ। ତେଣୁ ଦୀର୍ଘ ଦିନ ଧରି ଡାକ୍ତରମାନଙ୍କ ଉପରେ ଥିବା ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ଆଜି ଉଗ୍ରରୂପ ଧାରଣ କରିଥିଲା ଓ ଲୋକେ ହସ୍ପିଟାଲ ଘେରାଉ କରିଥିଲେ। ତେବେ ମେଡିକାଲ ଅଫିସର ଡାକ୍ତର ମୋହନ ହେମ୍ବ୍ରମ ଲୋକଙ୍କୁ ବୁଝାସୁଝା କରିବା ପରେ ଲୋକେ ଶାନ୍ତ ପଡ଼ିଥିଲେ। ମେଡିକାଲ ଅଫିସର ଡାକ୍ତର ହେମ୍ବ୍ରମଙ୍କ କହିବା କଥା ୭ଜଣ ଡାକ୍ତରଙ୍କୁ ୩ପର୍ଯ୍ୟାୟରେ ୨୪ ଘଣ୍ଟା ପାଇଁ ଡ୍ୟୁଟି ବଣ୍ଟନ କରାଯାଇଛି। ଡାକ୍ତରମାନେ ନିୟମିତ ଆସୁଛନ୍ତି। କିନ୍ତୁ କାଁଭାଁ ବେଳେବେଳେ କାହାର ବିଳମ୍ବ ଘଟୁଛି ବୋଲି ସେ ସ୍ବୀକାର କରିଥିଲେ। ଏମିତିକି ଗତ ରାତିର ଘଟଣାକୁ ସେ ସ୍ବୀକାର କରିବା ସହ ଉକ୍ତ ଡାକ୍ତରଙ୍କୁ ତାଗିଦ୍ କରାଯାଇଛି ବୋଲି କହିଥିଲେ। ଏଣିକି ଡାକ୍ତରମାନଙ୍କ ନିୟମିତତା ଉପରେ ଗୁରୁତ୍ବ ଦିଆଯିବ ବୋଲି ମଧ୍ୟ ସେ କହିଥିଲେ।

ସମ୍ବନ୍ଧିତ ଖବର