କ୍ୟାପିଟାଲ ହସ୍ପିଟାଲ ଡାକ୍ତରଙ୍କ ଧାରଣା

ଭୁବନେଶ୍ବର: ୮ ଦଫା ଦାବି ନେଇ ରାଜ୍ୟ ମେଡିକାଲ‌ ସେବା ସଂଘ ବା ଓମ୍‌ସା ପକ୍ଷରୁ ଗତ ୨ତାରିଖରୁ ଡାକ୍ତରମାନଙ୍କ ଶାନ୍ତିପୂର୍ଣ୍ଣ ଧାରଣା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀ‌ରେ ଆଜି କ୍ୟାପିଟାଲ ହସ୍ପିଟାଲ ଶାଖା ପକ୍ଷରୁ ହସ୍ପିଟାଲ ପରିସରରେ ଧାରଣା ଅନୁଷ୍ଠିତ ହୋଇଥିଲା। ଏଥି‌େର ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତରମାନେ ସାମିଲ ହୋଇ ଦାବିକୁ ସମର୍ଥନ ଜଣାଇଛନ୍ତି। ଓଏମ୍‌ ଏଣ୍ଡ ଏଚ୍‌ଏସ୍ କ୍ୟାଡର୍‌ ଡାକ୍ତରଙ୍କ ପାଇଁ କେନ୍ଦ୍ରୀୟ ହାରରେ ଡିଏସିପି ପ୍ରଦାନ, ଡାକ୍ତରଖାନାରେ ସୁୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରି ଡାକ୍ତରଙ୍କୁ ନିର୍ଭୟରେ କାର୍ଯ୍ୟ କରିବାକୁ ସୁଯୋଗ ଦିଆଯିବା, ଠିକା ଓ ଅସ୍ଥାୟୀ ଡାକ୍ତରଙ୍କୁ ସ୍ଥାୟୀ ନିଯୁକ୍ତି, ୨୦୧୮ ଓଏମ୍ ଓ ଏଚ୍‌ଏସ୍ କ୍ୟାଡର ରୁଲ ପ୍ରତ୍ୟାହାର, ଓମ୍‌ସା ସହ ଆଲୋଚନା ଓ ସଂଶୋଧନ ପରେ ଏହାକୁ ପ୍ରଚଳନ, ଓଏମ୍ ଓ ଏଚ୍‌ଏସ୍ ଡାକ୍ତର ଓ ‌ଦନ୍ତ ସର୍ଜନଙ୍କ ପାଇଁ କ୍ୟାଡର୍‌ ପୁନର୍ଗଠନ, ଅବସର ବୟସସୀମା ୬୨ବର୍ଷରୁ ବୃଦ୍ଧିକୁ ବିରୋଧ, କାର୍ଯ୍ୟ ସମୟ ନିର୍ଘଣ୍ଟ, ଜବ୍ ଚାର୍ଟ ପ୍ରଚଳନ ସହ ଅନ୍ୟ ସରକାରୀ କର୍ମଚାରୀଙ୍କ ଭଳି ଛୁଟି ଦିନ ଉପଯୋଗର ସୁବିଧା ଓ ପାରଦର୍ଶୀ ବଦଳି ନୀତି ପ୍ରଚଳନ କରିବାକୁ ସଂଘ ପକ୍ଷରୁ ଦାବି ହୋଇଛି। ଧାରଣାରେ ସଂଘର କ୍ୟାପିଟାଲ ଶାଖାର ସଂପାଦକ ଡା. ନିରଞ୍ଜନ ପାଢ଼ୀ, ଡା. ନିରଞ୍ଜନ ମିଶ୍ର, ଡା. ଧନଞ୍ଜୟ ଦାସ, ଡା. ନାରାୟଣ ରାଉତ, ଡା.ସୁଶୀଲ ଦ୍ବିବେଦୀ, ଡା. ରାଜୀବ ଜେନା, ଡା. କେ.ସି ସାହୁ, ଡା.କେ.ବି ସାମଲ, ଡା. ରମାକାନ୍ତ ପଣ୍ଡା, ଡା. ପ୍ରେମପ୍ରିୟା ଜେନା, ଡା. ରେଣୁବାଳା ଦେଇ ଓ ଡା. ଉର୍ମିଳା ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର