ବାଲିପାଟଣା: ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ଚିକିତ୍ସା ପ୍ରଦାନରେ ବ୍ୟାପକ ଅବହେଳା ହୋଇଥିବା ଅଭିଯୋଗ ହୋଇଛି। ଜଣେ ଗୁରୁତର ରୋଗୀଙ୍କୁ ସାଙ୍ଗରେ ଆଣି ଆସିଥିବା ସମ୍ପର୍କୀୟଙ୍କୁ ଡାକ୍ତର ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଧମକ ଚମକ ଦେବାରୁ ହସ୍‌ପିଟାଲ ପରିସରରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା। ରାତି ଡ୍ୟୁଟିରେ ଥିବା ମହିଳା ଡାକ୍ତର ଏବଂ ରୋଗୀ ସେବାରେ ବିଳମ୍ୱ ଘଟାଇଥିବା କର୍ମଚାରୀଙ୍କ ବିରୋଧରେ ରୋଗୀଙ୍କ ସମ୍ପର୍କୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ବାଲିପାଟଣାରେ ତୀବ୍ର ଆଲୋଡନ ସୃଷ୍ଟି ହୋଇଥିଲା। ଅଭିଯୋଗ ଅନୁସାରେ ବାଲିପାଟଣା ଥାନା ତୁରିନ୍ତିରାର ପପକ ରଞ୍ଜନ ବାରିକ ତାଙ୍କ ବାପା ବଂଶୀଧର ବାରିକ (୬୭)ଙ୍କୁ ଶନିବାର ରାତି ପ୍ରାୟ ୧୨ଟାରେ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲକୁ ଆଣିଥିଲେ। ରାତି ଡ୍ୟୁଟିରେ ଥିବା ମହିଳା ଡାକ୍ତର ସେ ସମୟରେ ବିଶ୍ରାମ ନେଉଥିଲେ। କିଛି ସମୟ ପରେ ମହିଳା ଡାକ୍ତର ଆସିଥିଲେ। ପରିବାର ଲୋକେ ବୃଦ୍ଧ ବ୍ୟକ୍ତିଙ୍କୁ ପୂର୍ବରୁ ଚିକିତ୍ସା କରୁଥିବା ବିଶେଷଜ୍ଞ ଡାକ୍ତରଙ୍କ ସହ ଫୋନ୍‌ରେ କଥା ହେବା ପାଇଁ ଦାୟିତ୍ୱରେ ଥିବା ଡାକ୍ତରଙ୍କୁ କହିଥିଲେ। ମହିଳା ଡାକ୍ତରଜଣକ ଫୋନ୍‌ରେ ମଧ୍ୟ କଥା ହୋଇଥିଲେ। କିଛି ସମୟ ପରେ ହଠାତ ସେ ଉତ୍‌କ୍ଷିପ୍ତ ହୋଇ କୌଣସି କାରଣରୁ ରୋଗୀଙ୍କ ସମ୍ପର୍କୀୟଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା ନ କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଥିଲେ।

Advertisment

ଏହାରି ଭିତରେ ଆମ୍ବୁଲାନ୍ସ ଆସିବାରେ ମଧ୍ୟ ଅହେତୁକ ବିଳମ୍ୱ ହୋଇଥିଲା। ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ଆଡ଼କୁ ଗତି କରିଥିଲା। ତେଣୁ ରୋଗୀଙ୍କ ସମ୍ପର୍କୀୟ ଓ ଡାକ୍ତରଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ମେଡିକାଲ କର୍ତୃପକ୍ଷଙ୍କ ପରାମର୍ଶକ୍ରମେ ମେଡିକାଲରୁ ଅକ୍ସିଜେନ ସିଲିଣ୍ଡର ନେଇ ପପକ ତାଙ୍କ କାରରେ ଅସୁସ୍ଥ ବାପାଙ୍କୁ ଭୁବନେଶ୍ୱର ନେବାକୁ ବାହାରିଥିଲେ। ଏତିକିବେଳେ ପୁଲିସ ପିସିଆର ସେଠାରେ ପହଞ୍ଚି ସେମାନଙ୍କୁ ଅଟକାଇଥିଲା।  ରୋଗୀଙ୍କୁ ହସ୍ପିଟାଲ ଯିବାକୁ ଦେଇ ନ ଥିଲା। ସମ୍ପର୍କୀୟ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ଥିବା କହି ହୋହଲ୍ଲା କରିଥିଲେ। ବହୁ ବିଳମ୍ୱରେ ପୁଲିସ ରୋଗୀଙ୍କୁ ହସ୍ପିଟାଲ ଯିବାକୁ ଦେଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ଆଜି ସକାଳେ ସ୍ଥାନୀୟ ଲୋକେ ଏବଂ ରୋଗୀଙ୍କ ସମ୍ପର୍କୀୟ ମେଡିକାଲ ପରିସରରେ ଧାରଣା ଦେଇଥିଲେ। ରାତି ଡ୍ୟୁଟିରେ ଥିବା ଡାକ୍ତରଙ୍କ ଅବହେଳା ଓ ରୋଗୀ ସେବାରେ ବାଧା ସୃଷ୍ଟି କରିଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅନ୍ୟପକ୍ଷ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଶ୍ରୀକାନ୍ତ ବେହେରା କହିଛନ୍ତି ଯେ ସୂଚନା ଅନୁସାରେ ଆମ୍ବୁଲାନ୍ସ ଆସିବାରେ ବିଳମ୍ୱ ହେବାରୁ ମେଡିକାଲ ଅକ୍ସିଜେନ ସିଲିଣ୍ଡର ନେବାକୁ ରୋଗୀଙ୍କ ସମ୍ପର୍କୀୟଙ୍କୁ ପରାମର୍ଶ ଦେଇଥିଲି। ମେଡିକାଲରେ ଘଟିଥିବା ଘଟଣାର ତଦନ୍ତ ହେବ ବୋଲି ଶ୍ରୀ ବେହେରା କହିଛନ୍ତି।