ଭୁବନେଶ୍ବର: ଭାରତୀୟ ପ୍ରାଣୀ ମଙ୍ଗଳ ପରିଷଦ(ଆନିମଲ ୱେଲ୍‌ଫେୟାର ବୋର୍ଡ ଅଫ୍‌ ଇଣ୍ଡିଆ)ର ପ୍ରୋଜେକ୍ଟ ରେକଗ୍‌ନାଇଜେସନ ସାର୍ଟିଫିକେଟ୍‌ (ପିଆରସି) ନମିଳିବାରୁ ଭୁବନେଶ୍ବରରେ ପ୍ରାଣୀଧନ ଜନ୍ମ ନିୟନ୍ତ୍ରଣ (କୁକୁର ବନ୍ଧ୍ୟାକରଣ) କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଛି। ବନ୍ଧ୍ୟାକରଣ କରୁଥିବା ଠିକା ସଂସ୍ଥା ‘ଭେଟ୍‌ସ୍‌ ଫର ଆନିମଲ୍‌ସ’ ପେଡ଼ିପୁଟୁଳି ବାନ୍ଧି ମହାରାଷ୍ଟ୍ର ଫେରିଯାଇଛି। ହେଲେ କୌତୁହଳପ୍ରଦ ହେଉଛି, ପ୍ରାଣୀଧନ ଡାକ୍ତର ନିଯୁକ୍ତି ପାଇଁ ବିଏମ୍‌ସି ସରକାରଙ୍କୁ ଚିଠି ଲେଖିଥିଲା। ସରକାର ତତ୍ପରତା ପ୍ରକାଶ କରି ବିଏମ୍‌ସି ଚିଠିକୁ ମଞ୍ଜୁରୀ ଦେଇଥିଲେ। ପ୍ରାୟ ୧୫ ଦିନ ତଳୁ ୪ ଜଣ ଡାକ୍ତର ବିଏମ୍‌ସିରେ ଯୋଗ ଦେଇଛନ୍ତି। କିନ୍ତୁ ପିଆର୍‌ସି ନଥିବାରୁ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ହୋଇପାରୁ ନାହିଁ। ଫଳରେ ଡାକ୍ତରମାନେ ବିଏମ୍‌ସିରେ ବସି ରହିଛନ୍ତି। ଏବେ ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ରାସ୍ତାଘାଟରୁ ବୁଲା କୁକୁରଙ୍କୁ ଅଣାଯାଉଥିବାରୁ ସେମାନଙ୍କର ଯତ୍ନ ନେଉଛନ୍ତି ଏହି ୪ ଜଣ ଡାକ୍ତର। ପ୍ରଶ୍ନ ଉଠୁଛି, ଯଦି ଅପରେସନ ହେବା ଭଳି ସୁଯୋଗ ନାହିଁ ତେବେ ଡାକ୍ତରଙ୍କୁ କାହିଁକି ଅଣାଯାଇଥିଲା? ଗୋଟିଏ ପଟେ ବିଏମ୍‌ସିରେ ୪ ଜଣ ଡାକ୍ତର ବସି ରହିଥିବା ବେଳେ, ଅନ୍ୟପଟେ ସାରା ରାଜ୍ୟରେ ପ୍ରାଣୀଧନ ଡାକ୍ତର ପଦ ଖାଲି ପଡ଼ିଛି। ଖୋଦ୍‌ ରାଜଧାନୀର କଥା ବିଚାରକୁ ନିଆଯାଇପାରେ‌। ସହିଦନଗରରେ ଥିବା ରେଫରାଲ୍‌ ହସ୍‌ପିଟାଲ୍‌ ‘ପଲି କ୍ଲିନିକ୍‌’ରେ ଡା. ପ୍ରଶାନ୍ତ କୁମାର ସିକା ଥିଲେ। ସେ ସର୍ଜରି ସ୍ପେଶାଲିଷ୍ଟ ଥିବାରୁ ଯେତେବେଳେ ଆବଶ୍ୟକ ପଡ଼ୁଥିଲା ସେ ତୁରନ୍ତ କୁକୁରଙ୍କର ଅସ୍ତ୍ରୋପଚାର କରୁଥିଲେ। ବିଏମ୍‌ସିର ଅନୁରୋଧ କ୍ରମେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ତାଙ୍କୁ ବିଏମ୍‌ସିକୁ ଡେପୁଟେସନ୍‌ରେ ପଠାଇଛି। ଫଳରେ ଏହି ପଦ ଖାଲିପଡ଼ିଛି। ଖୋଦ୍‌ ଏସ୍‌ଡିଭିଓ ସର୍ଜରି ବି‌ଶେଷଜ୍ଞ ହୋଇଥିଲେ ମଧ୍ୟ ତାଙ୍କର ଅଧିକାଂଶ ପ୍ରାଶାସନିକ ଦାୟିତ୍ବ ରହୁଥିବାରୁ ଏବେ ଅପରେସନ ପାଇଁ ସମସ୍ୟା ହୋଇଛି। ଏଠାରେ ସର୍ଜରି ସ୍ପେଶାଲିଷ୍ଟ ସହ ଆଉ ୪ଟି ପଦ ଖାଲି ପଡ଼ିଛି। ଗୋଟିଏ ପଟେ ବିଏମ୍‌ସିର ବନ୍ଧ୍ୟାକରଣ ବନ୍ଦ ରହିଥିବା ବେଳେ, ଅନ୍ୟପଟେ ବୁଲାକୁକୁରଙ୍କୁ ନେଇ ପ୍ରତିଦିନ ଘଟୁଥିବା ସମସ୍ୟାର ସମାଧାନ ହୋଇପାରୁ ନାହିଁ। 

Advertisment

ସାମାଜିକକର୍ମୀଙ୍କ ଯୁକ୍ତି ହେଉଛି, ପିଆର୍‌ସି ନମିଳିବାରୁ ଗତ ବର୍ଷ ମେ’ ମାସରୁ ଏହି ପ୍ରକଳ୍ପ ବନ୍ଦ ହୋଇଗଲାଣି। ଅର୍ଥାତ୍‌ ୮ ମାସରୁ ଊର୍ଦ୍ଧ୍ବ ହେବ ବିଏମ୍‌ସି ଏହା ଉପରେ ତର୍ଜମା କଲାନାହିଁ। ବରଂ ପ୍ରଥମେ ପିଆର୍‌ସି ସଂଗ୍ରହ କରିବା ପରେ ଡାକ୍ତର ନିଯୁକ୍ତି କଥା ଚିନ୍ତା କରିବାକୁ ଥିଲା। ହେଲେ ଓଲଟା ହୋଇଛି। ପିଆର୍‌ସି ବିନା ବନ୍ଧ୍ୟାକରଣ ଅସମ୍ଭବ। ପୂର୍ବରୁ ଯାହା ସୁଯୋଗ ଥିଲା, ମାମଲା ହାଇକୋର୍ଟକୁ ଚାଲିଯିବା ପରେ ସେ ବାଟ ବନ୍ଦ ହୋଇଯାଇଛି। ଏଣୁ ବିଏମ୍‌ସିର ପ୍ରାଥମିକତା ହେଉଛି ପିଆର୍‌ସି। ଏଭଳି ସ୍ଥିତିରେ ଡାକ୍ତରଙ୍କୁ ବସାଇ ରଖିବା ଆଦୌ ଯଥାର୍ଥତା ନୁହେଁ। ଏବେ ପ୍ରବାସୀ ଭାରତୀୟ ଦିବସ ପାଇଁ ବିଏମ୍‌ସି କୁକୁରଙ୍କୁ ଆଣୁଛି। ପୁଣି ସେହି ଜାଗାରେ ଛାଡ଼ିବ। ବିଏମ୍‌ସି ଖାଲି ଧରା-ଛଡ଼ାରେ ମାତିଛି। ଯଦି ପୂର୍ବରୁ ପିଆର୍‌ସି ଆଣିଥା’ନ୍ତା ତେବେ ଗୋଟିଏ ଥର ଖର୍ଚ୍ଚରେ ଉଭୟ କାମ ହୋଇ ପାରିଥାନ୍ତା। ହେଲେ ଅଧିକାରୀମାନେ କାହିଁକି ଚିନ୍ତା କଲେ ନାହିଁ ସେ ନେଇ ସେମାନେ ପ୍ରଶ୍ନ କରିଛନ୍ତି। 

ବଡ଼କଥା ହେଉଛି ଏହି ପ୍ରସଙ୍ଗ କର୍ପୋରେସନ ବୈଠକରେ ଉପସ୍ଥାପନ କରାଯାଇ ନାହିଁ। ଯଦି ବୈଠକରେ ଆଲୋଚନା ହୋଇଥା’ନ୍ତା ତେବେ ଜନପ୍ରତିନିଧିମାନେ ପିଆର୍‌ସିକୁ ପ୍ରାଥମିକତା ଦେଇଥା’ନ୍ତେ। ମନଇଚ୍ଛା ଚିଠି ଲେଖି ଏଭଳି କାମ କରିବାକୁ ପ୍ରଶ୍ରୟ ଦେଇ ନଥାନ୍ତେ ବୋଲି ଏକାଧିକ କର୍ପୋରେଟର ଯୁକ୍ତି ବାଢ଼ିଛନ୍ତି। କେବଳ ଏହି ଗୋଟିଏ ଘଟଣା ନୁହେଁ, କର୍ପୋରେସନକୁ ଉପେକ୍ଷା କରି ଅଧିକାରୀଙ୍କ ମନ୍‌ମାନି ଏକ ନିୟମିତ ଘଟଣା ବୋଲି କହିଛନ୍ତି। ଅନ୍ୟପଟେ ବନ୍ଧ୍ୟାକରଣ ବନ୍ଦ ଥିବାରୁ କୁକୁରଙ୍କୁ ନେଇ ଅଘଟଣ ବଢ଼ିବାରେ ଲାଗିଛି। କିଛି ଦିନ ତଳେ ଜନ୍ମ ହୋଇଥିବା ଛୁଆ‌ ରାସ୍ତାରେ ବୁଲୁଥିବାରୁ ଦୁର୍ଘଟଣା ଘଟୁଛି। କୁକୁରଙ୍କୁ ବଞ୍ଚେଇବାକୁ ଯାଇ ଗାଡ଼ିଚାଳକ ଦୁର୍ଘଟଣାର ଶିକାର ମଧ୍ୟ ହେଉଛନ୍ତି। ସେପଟେ ମାସକୁ ୭ଶହ କୁକୁର କାମୁଡ଼ା ଇଞ୍ଜେକ୍ସନ ଦିଆଯାଉଥିବା ସରକାରୀ ରେକର୍ଡ କହୁଛି। ଏଭଳି ସ୍ଥିତିରେ ବିଏମ୍‌ସି ମଞ୍ଚେଶ୍ବରର ଓଟିରେ ଡାକ୍ତର ବସି କୁକୁରଙ୍କୁ ଖାଇବାକୁ ଦେବା ଘଟଣା ପୁଣି ଥରେ ବିଏମ୍‌ସିକୁ ଚର୍ଚ୍ଚାକୁ ଆଣିଛି। ତେବେ ବିଏମ୍‌ସିର ଜଣେ ବରି‌ଷ୍ଠ ଅଧିକାରୀ କହିଛନ୍ତି, ହାଇକୋର୍ଟରୁ କଟକଣା ହଟିଛି। ଏବେ ପୁଣି ଥରେ ବିଏମ୍‌ସି ବନ୍ଧ୍ୟାକରଣ ଆରମ୍ଭ କରିବ। ଡାକ୍ତର ଆସିଯାଇଛନ୍ତି। ପ୍ରବାସୀ ଭାରତୀୟ ଦିବସ ପରେ ଅନ୍ୟାନ୍ୟ ଆନୁ‌ଷଙ୍ଗିକ ବ୍ୟବସ୍ଥା କରାଯିବ।