ଆଦିତ୍ୟ ଅଶ୍ବିନୀରେ ଡାକ୍ତର ଓ କୋଭିଡ‌୍‌ ଯୋଦ୍ଧାଙ୍କ ଚିକିତ୍ସା

ଭୁବନେଶ୍ୱର : କୋଭିଡ୍‌ ଯୁଦ୍ଧରେ ଆଗଧାଡ଼ିରେ ରହି ଲୋକଙ୍କ ସେବା କରୁଥିବା ଡାକ୍ତର ଓ ଅନ୍ୟ କୋଭିଡ୍‌ ଯୋଦ୍ଧାଙ୍କ ଚିକିତ୍ସା ଆଦିତ୍ୟ ଅଶ୍ବିନୀ ହସ୍ପିଟାଲରେ ହେବ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଥିପାଇଁ ନିର୍ଦେଶନାମା ଜାରି କରାଯାଇଛି।

ରାଜ୍ୟରେ କରୋନା ରୋଗୀମାନଙ୍କୁ ଚିକିତ୍ସା ଦାୟିତ୍ବରେ ଥିବା ଡାକ୍ତର ଓ ଅନ୍ୟ କୋଭିଡ୍‌ ଯୋଦ୍ଧା ବହୁ ସଂଖ୍ୟାରେ ଆକ୍ରାନ୍ତ ହୋଇଛନ୍ତି। ତେବେ କରୋନା ଆକ୍ରାନ୍ତ ହେଉଥିବା ଯୋଦ୍ଧାମାନଙ୍କୁ ଡାକ୍ତରଖାନାରେ ଠିକ ସମୟରେ ଶଯ୍ୟା ମିଳୁ ନ ଥିବା ଅଭିଯୋଗ ହେଉଥିଲା। ‌ଫଳରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ମୃତ୍ୟୁମୁଖରେ ପଡ଼ିଥିଲେ। ରାଜ୍ୟରେ ଏ ପର୍ଯ୍ୟନ୍ତ ୨୫ରୁ ଅଧିକ(ଏମ୍‌ବିବିଏସ୍‌,ଆୟୁଷ) ଡାକ୍ତର ଓ ଅନେକ କୋଭିଡ୍‌ ଯୋଦ୍ଧା ପ୍ରାଣ ହରାଇ ସାରିଛନ୍ତି। ଶତାଧିକ ଆକ୍ରାନ୍ତ ମଧ୍ୟ ହୋଇଛନ୍ତି। ଡ୍ୟୁଟି ସମୟରେ କରୋନାରେ ସଂକ୍ରମିତ ହେଉଥିବା କୋଭିଡ୍‌ ଯୋଦ୍ଧାଙ୍କ ଚିକିତ୍ସା ପାଇଁ ଏକ ସ୍ବତନ୍ତ୍ର ହସପିଟାଲର ବ୍ୟବସ୍ଥା କରିବାକୁ ଓଡ଼ିଶା ଡାକ୍ତରୀ ସେବା ସଂଘ ଓ ଭାରତୀୟ ମେଡିକାଲ ସଂଘ (ଆଇଏମଏ) ପକ୍ଷରୁ ଦାବି ହୋଇ ଆସୁଥିଲା। ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇ ନ ଥିବାରୁ ଏକପ୍ରକାର ଅସନ୍ତୋଷ ସୃଷ୍ଟି ହୋଇଥିଲା। ଏବେ ରାଜ୍ୟ ସରକାର ଗୋଟିଏ ହସ୍ପିଟାଲ ‌ଡାକ୍ତରଙ୍କ ସମେତ କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ସଂରକ୍ଷିତ କରିବା ପରେ ସଂକ୍ରମିତ ଯୋଦ୍ଧାଙ୍କ ପାଇଁ ଶଯ୍ୟା ପାଇଁ ସମସ୍ୟା ସୃଷ୍ଟି ହେବ ନାହିଁ।

ସମ୍ବନ୍ଧିତ ଖବର