କ୍ୟାପିଟାଲ ହସ୍ପିଟାଲ ଡାକ୍ତରଙ୍କ ବିରୋଧରେ ସଂଗିନ ଅଭିଯୋଗ: ଅସ୍ତ୍ରୋପଚାର ପାଇଁ ଟଙ୍କା ନେଉଛନ୍ତି ଡାକ୍ତର

ଅଭିଯୋଗକାରୀଙ୍କୁ ଟଙ୍କା ଫେରାଇବାକୁ ଡାକ୍ତର ରାଜି: ହସ୍ପିଟାଲ ନିର୍ଦେଶକ

ଭୁବନେଶ୍ୱର : ସୁଧୁରୁ ନାହାନ୍ତି କ୍ୟାପିଟାଲ ହସ୍ପିଟାଲର ଡାକ୍ତର। ଟଙ୍କା ମାଗିବାକୁ ନେଇ ବାରମ୍ବାର ଅଭିଯୋଗ ଓ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଲେ ମଧ୍ୟ ଏଥିରେ ସୁଧାର ଆସୁନାହିଁ। ଗରିବ ରୋଗୀଙ୍କୁ ହସ୍ପିଟାଲରେ ବିଭିନ୍ନ ଅସୁବିଧା ରହିଥିବା ଦର୍ଶାଇ ଘରୋଇ ହସ୍ପିଟାଲକୁ ପଠାଉଥିବା ନେଇ ପୁଣି ଏକ ଅଭିଯୋଗ ଆସିଛି। ଟଙ୍କା ଦେଇଥିବା ବ୍ୟକ୍ତି ଜଣକ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଜାରି ରହିଛି।

ଅଭିଯୋଗ ଅନୁଯାୟୀ, ପଳାଶୁଣୀ, ପ୍ରାଚୀବିହାରର ନାରାୟଣ ପୃଷ୍ଟି(୩୫) ଗତ ସେପ୍ଟେମ୍ବର ୪ ତାରିଖରେ ସବିତା ମଲ୍ଲିକଙ୍କ ହାତରେ ଏକ ମାଂସ ବଢ଼ୁଥିବାରୁ ତାକୁ ନେଇ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ। ସେଠାରେ ସର୍ଜରି ବିଭାଗର ଜଣେ ଡାକ୍ତରଙ୍କୁ ଦେଖାଇଥିଲେ। ଡାକ୍ତର ଜଣକ ତାଙ୍କ ରିପୋର୍ଟ ଦେଖି ଅପରେସନ୍‌ କରିବାକୁ କହିଥିଲେ। ଏଥିପାଇଁ ରୋଗୀଙ୍କ ସଂପର୍କୀୟ ରାଜି ହୋଇଯାଇଥିଲେ। ଏଥିପାଇଁ ୨୦ -୨୫ ହଜାର ଟଙ୍କା ଖର୍ଚ୍ଚ ହେବା ନେଇ ସୂଚନା ଦେଇଥିଲେ। ତେବେ ଡାକ୍ତର ଜଣଙ୍କ କହିଥିଲେ; ହସ୍ପିଟାଲକୁ ମିଳୁଥିବା ସୂତା ମୋଟା ଓ ଅସ୍ତ୍ରୋପଚାର ସମୟରେ କିଛି ବି ହୋଇପାରେ। ଏଠାରେ ଅପରେସନ୍‌ କଲା ବେଳେ ଯଦି କିଛି ଅସୁବିଧା ହୁଏ ତାହାଲେ ତାଙ୍କ କିଛି ଦୋଷ ନାହିଁ ବୋଲି କହି ରୋଗୀ ମନରେ ଭୟ ସୃଷ୍ଟି କରିଥିଲେ। ଡାକ୍ତରଙ୍କଠାରୁ ଏଭଳି କଥା ଶୁଣିବା ପରେ ସବିତାଙ୍କ ସଂପର୍କୀୟ ଡରି ଯାଇଥିଲେ। ଡାକ୍ତର ଜଣକ ତାଙ୍କୁ କଟକ ମଙ୍ଗଳାବାଗ ଫ୍ରେଣ୍ଡ୍‌ସ କଲୋନିରେ ଥିବା ଏକ କ୍ଲିନିକରେ ଅସ୍ତ୍ରୋପଚାର କରିବାକୁ କହିଥିଲେ। ତେଣୁ ବାଧ୍ୟ ହୋଇ ଗତ ସେପ୍ଟେମ୍ବର ୧୭ ତାରିଖ ଦିନ ଶ୍ରୀ ପୃଷ୍ଟି ସବିତାଙ୍କ ଅସ୍ତ୍ରୋପଚାର ସେହି କ୍ଲିନିକରେ ସଂପୃକ୍ତ ଡାକ୍ତରଙ୍କ ତତ୍ତ୍ବାବଧାନରେ କରାଇଥିଲେ। ଏଥିପାଇଁ ୬ହଜାର ଟଙ୍କା ଖର୍ଚ ହୋଇଥିଲା।

ଅପରେସନ ସରିଯିବା ପରେ ଡାକ୍ତର ଅପରେସନ୍ ରୁ ବାହାରି ଥିବା ଟ୍ୟୁମରର ବାଇଓପ୍ସି ଲାଗି ୧୦୦୦ ଟଙ୍କା ପଡ଼ିବ ବୋଲି କହିଥିଲେ। ଏହାକୁ‌ ନେଇ ସେଠାରେ ଡାକ୍ତରଙ୍କ ସହିତ ନାରାୟଣଙ୍କ ଯୁକ୍ତିତର୍କ ହୋଇଥିଲା। ନାରାୟଣ ଟଙ୍କା ଦେବା ଲାଗି ଅକ୍ଷମତା ପ୍ରକାଶ କରିବାରୁ ଡାକ୍ତର ତାଙ୍କୁ ମାଂସଖଣ୍ଡ ନେଇ କ୍ୟାପିଟାଲ ହସ୍ପିଟାଲରେ ମାଗଣାରେ ବାଇଓପ୍ସି କରିବାକୁ କହିଥିଲେ। ଡାକ୍ତରଙ୍କ କଥାରେ ନାରାୟଣ ହସ୍ପିଟାଲରେ ଏହାକୁ ବାଇଓପ୍ସି ପାଇଁ ଦେଇଥିଲେ। ତେବେ କ୍ୟାପିଟାଲ ହସ୍ପିଟାଲରେ ମାଗଣାରେ ଅସ୍ତ୍ରୋପଚାର ନ କରି ଘରୋଇ କ୍ଲିନିକ୍‌ରେ ଅସ୍ତ୍ରୋପଚାର କରିବାକୁ ନେଇ ନାରାୟଣ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ପରବର୍ତୀ ସମୟରେ ଡିସିପିଙ୍କୁ ମଧ୍ୟ ଅଭିଯୋଗ କରିଥିବା ନାରାୟଣ ‘ସମ୍ବାଦ’କୁ କହିଛନ୍ତି।

ଏ ନେଇ ପଚରାଯିବାରୁ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡା‌. ଲକ୍ଷ୍ମୀଧର ସାହୁ କହିଛନ୍ତି ସଂପୃକ୍ତ ଡାକ୍ତର ଅପରେସନ ବାବଦରେ ଖର୍ଚ୍ଚ ହୋଇଥିବା ସମସ୍ତ ଟଙ୍କା ଅଭିଯୋଗକାରୀଙ୍କୁ ଫେରାଇବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହ କ୍ୟାପିଟାଲ ଥାନାରେ ମଧ୍ୟ ଏକ ଏତଲା ଦାୟର ହୋଇଛି। ପୁଲିସ ଏହାର ତଦନ୍ତ କରୁଛି। ଏହାସହ ହସ୍ପିଟାଲ ତରଫରୁ ସଂପୃକ୍ତ ଡାକ୍ତରଙ୍କୁ ଏକ ସ୍ପଷ୍ଟୀକରଣ ମଗାଯାଇଥିବା ଡା.ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର