ଡା.ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ କଲେଜ ଡାକ୍ତର ସଂକ୍ରମିତ ଘଟଣା : ଡାକ୍ତରଙ୍କ ଲାଗୁ ହେଲା ରୋଷ୍ଟର ଡ୍ୟୁଟି

ଆଇସୋଲେସନ୍‌କୁ ଗଲେ ସଂସ୍ପର୍ଶରେ ଆସିଥିବା କର୍ମଚାରୀ

ଭୁବନେଶ୍ୱର : ଡା.ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଡାକ୍ତର କରୋନା ସଂକ୍ରମିତ ହେବା ପରେ ହସ୍ପିଟାଲ କର୍ତୃପକ୍ଷଙ୍କ ନିଦ ଭାଙ୍ଗିଛି। ମେଡିକାଲ କଲେଜରେ କାର୍ଯ୍ୟରତ ଡାକ୍ତରଙ୍କ ରୋଷ୍ଟର ଡ୍ୟୁଟି ଆରମ୍ଭ କରାଯାଇଛି। ଆସନ୍ତାକାଲିଠାରୁ ଡ୍ୟୁଟି ଅନୁଯାୟୀ ଓପିଡି ଖୋଲିବ।

ଅପରପକ୍ଷରେ ସଂପୃକ୍ତ ସଂକ୍ରମିତ ଡାକ୍ତର ଗତ ଶନିବାର ମେଡିକାଲକୁ ଆସିଥିବାରୁ ତାଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀଙ୍କୁ ଆଇସୋଲେସନ୍‌ ରହିବା ଲାଗି କର୍ତୃପକ୍ଷ ନିର୍ଦେଶ ଦେଇଛନ୍ତି। ଆଜି ହସ୍ପିଟାଲ କର୍ତୃପକ୍ଷ ଏ ନେଇ ବୈଠକ ଡାକିବା ସହିତ ମେଡିକାଲ କଲେଜ, ଓପିଡି ଓ ମିନି ଫାର୍ମାସିରେ କାର୍ଯ୍ୟରତ କର୍ମଚାରୀଙ୍କ ରୋଷ୍ଟର ଡ୍ୟୁଟି ଆରମ୍ଭ କରିଛନ୍ତି। ତେଣୁ ହସ୍ପିଟାଲରେ ପୂର୍ବରୁ ପ୍ରାୟ ୧୪ଟି ଓପିଡି (ବହିର୍ବିଭାଗ) ଖୋଲୁଥିବା ବେ‌ଳେ ଏବେ କମ୍ ସଂଖ୍ୟକ ଓପିଡି ଖୋଲିବ। ଏଥିରେ ଶିଶୁରୋଗ, ଇଏନ୍‌ଟି, ସ୍ତ୍ରୀ ଓ ପ୍ରସୂତି ଓ ଭେଷଜ ବିଭାଗର ଓପିଡି ଖୋଲିବାର ଅଧିକ ସମ୍ଭାବନା ରହିଛି ବୋଲି ଡିଏମ୍‌ଓ ଡା.ସନ୍ତୋଷ ମହାପାତ୍ର ସୂଚନା ଦେଇଛନ୍ତି। କଲେଜର ଅଧ୍ୟକ୍ଷ ଡା.ସୁଧୀର ଦାସ କହିଛନ୍ତି, ହସ୍ପିଟାଲର ଜଣେ ଡାକ୍ତର କରୋନା ସଂକ୍ରମିତ ହେବା ପରେ ଡାକ୍ତରମାନଙ୍କ ରୋଷ୍ଟର ଡ୍ୟୁଟି ଆରମ୍ଭ କରାଯାଇଛି। ସଂପୃକ୍ତ ଡାକ୍ତର କିଛିଦିନ ହେବ ହସ୍ପିଟାଲକୁ ଆସୁ ନ ଥିଲେ। ହେଲେ ଗତ ଶନିବାର ମାତ୍ର ୧ଘଣ୍ଟା ପାଇଁ ହସ୍ପିଟାଲ ଆସିଥିଲେ। ତେଣୁ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କ ଆଇସୋଲେସନ୍‌ରେ ରହିବା ଲାଗି କୁହାଯାଇଛି। ନିୟମିତ ଭାବେ ହସ୍ପିଟାଲକୁ ବିଶୋଧନ କରାଯାଉଛି। ତେଣୁ ଡାକ୍ତର ଓ କର୍ମଚାରୀମାନେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଡା.ଦାସ କହିଛନ୍ତି।

ସମ୍ବନ୍ଧିତ ଖବର