ରୋଗୀଙ୍କ ଫର୍ମରେ ଷ୍ଟାମ୍ପ୍‌ ମାରିବେ ଡାକ୍ତର

କ୍ୟାପିଟାଲ ହସ୍ପିଟାଲରେ ‘ନିଦାନ’ ସେବା

ମାଗଣା ପରୀକ୍ଷା ଚୋରି ରୋକିବାକୁ ନୂଆ ବ୍ୟବସ୍ଥା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ହସ୍ପିଟାଲରେ ମାଗଣା ରୋଗ ନିରୂପଣ ସେବା ‘ନିଦାନ’ ଚଳିତମାସ ପହିଲାରୁ ଆରମ୍ଭ ହୋଇଛି। ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ୬୪ ପ୍ରକାରର ମାଗଣା ପରୀକ୍ଷା କରିପାରିବେ ବୋଲି ଉଲ୍ଲେଖ କରାଯାଇଛି।

ତେବେ ଏହି ମାଗଣା ପରୀକ୍ଷାର ସୁଯୋଗ ଉଠାଇ କିଛି ଦଲାଲ ଅନ୍ୟ କୌଣସି ସ୍ଥାନର ପରୀକ୍ଷା କ୍ୟାପିଟାଲ ହସ୍ପିଟାଲରେ କରାଇ ନେବାର ଆଶଙ୍କା କରିଥିଲେ ହସ୍ପିଟାଲ କର୍ତୃପକ୍ଷ। ତେଣୁ ଏହି ଚୋରିକୁ ରୋକିବା ପାଇଁ ହସ୍ପିଟାଲ କର୍ତୃପକ୍ଷ ଉଦ୍ୟମ ଆରମ୍ଭ କରିଛନ୍ତି। ଯେଉଁ ରୋଗୀଙ୍କ ମାଗଣା ପରୀକ୍ଷା କରାଯିବ ସେଥିରେ ସଂପୃକ୍ତ ଡାକ୍ତରଙ୍କ ଷ୍ଟାମ୍ପ୍‌ ରହିବ। ଯାହାଫଳରେ ରୋଗୀଙ୍କ ମାଗଣା ପରୀକ୍ଷା ନେଇ ଦଲାଲଙ୍କ ଉପରେ ରୋକ ଲାଗିପାରିବ।

ସୂଚନା ଅନୁଯାୟୀ, କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷ ମାଗଣା ରୋଗ ନିରୂପଣ ସେବା ପାଇଁ ଏକ ସତନ୍ତ୍ର ଫର୍ମ ପ୍ରସ୍ତୁତ କରିଛନ୍ତି। ଏଥିରେ ସମସ୍ତ ପରୀକ୍ଷା ସଂପର୍କରେ ଉଲ୍ଲେଖ ରହିଛି। ଯେଉଁ ରୋଗୀଙ୍କ ଯେଉଁ ଯେଉଁ ପରୀକ୍ଷା କରାଯିବ ତାହିଁରେ ଟିକ୍‌ ଦିଆଯିବ। ଆଉଟଡୋର ଟିକେଟ୍‌ ସହିତ ଏହାକୁ ଯୋଡ଼ି ଦିଆଯିବ। ପରେ ଚିକିତ୍ସା କରୁଥିବା ସଂପୃକ୍ତ ଡାକ୍ତର କିମ୍ବା ତାଙ୍କ ଆଟେଣ୍ଡାଣ୍ଟ ଏଥିରେ ଷ୍ଟାମ୍ପ ମାରିବାକୁ ନିର୍ଦେଶ ଦିଆଯାଇଛି। ପରେ ରୋଗୀ ରେଜିଷ୍ଟ୍ରେସନ୍‌ କାଉଣ୍ଟରରୁ ପୂର୍ବଭଳି ନିଜର ରିସିପ୍ଟ କାଟିପାରିବେ। ଅପରପକ୍ଷରେ‘ନିଦାନ’ ସେବାରେ ହସ୍ପିଟାଲରେ ରୋଗୀଙ୍କୁ କେଉଁ ସମୟ ପର୍ଯ୍ୟନ୍ତ ଏହି ସେବା ଦିଆଯିବ ତାହା ସଂପର୍କରେ ଜାତୀୟ ସ୍ୱାସ୍ଥ୍ୟ ମିସନ ପକ୍ଷରୁ ଜାରି ନିର୍ଦେଶନାମାରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇନାହିଁ। ଯାହାକୁ ନେଇ ହସ୍ପିଟାଲ କର୍ତୃପକ୍ଷଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ଅଯଥାରେ ବିବାଦକୁ ରୋକିବା ଲାଗି ହସ୍ପିଟାଲ କର୍ତୃପକ୍ଷ ସକାଳ ୮ଟାରୁ ୧୧ଟା ମଧ୍ୟରେ ସମସ୍ତ ନମୁନା ସଂଗ୍ରହ କରିବାକୁ ନିର୍ଦେଶ ଦେଇଥିବା ସୂଚନା ମିଳିଛି।

କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା.ସି.ଆର ଦାସଙ୍କ କହିବାନୁଯାୟୀ, ସରକାରଙ୍କ ପକ୍ଷରୁ ମାଗଣା ରୋଗ ନିରୂପଣ ବ୍ୟବସ୍ଥା ଆରମ୍ଭ ହେବା ପରେ ରୋଗୀଙ୍କ ବଦଳରେ ଅନ୍ୟମାନେ ଏହାର ଫାଇଦା ନେବାର ଆଶଙ୍କା କରାଯାଇଥିଲା। ଏହି ଦୃଷ୍ଟିରୁ ହସ୍ପିଟାଲରେ ଏକ ଫର୍ମ କରାଯାଇଛି। ଏଥିରେ ଚିକିତ୍ସା କରୁଥିବା ସଂପୃକ୍ତ ଡାକ୍ତର ଷ୍ଟାମ୍ପ ମାରିବାକୁ ନିର୍ଦେଶ ଦିଆଯାଇଛି। ଏହାସହ ନମୁନା ସଂଗ୍ରହ କରିବା ସମୟ ସକାଳ ୮ଟାରୁ ୧୧ଟା ପର୍ଯ୍ୟନ୍ତ ରଖାଯାଇଥିବା ଡା.ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର