ଭୁବନେଶ୍ବର: ନ’ ତାଲାସ୍ଥିତ ସ୍ବାସ୍ଥ୍ୟ ନିର୍ଦେଶାଳୟରେ କାର୍ଯ୍ୟରତ କିଛି ନିର୍ଦିଷ୍ଟ କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କ ଔଦ୍ଧତ୍ୟ ସୀମା ଟପିଲାଣି। ବିଭିନ୍ନ କାର୍ଯ୍ୟରେ ବିଭାଗୀୟ ନିର୍ଦେଶକଙ୍କୁ ଭେଟିବାକୁ ଆସୁଥିବା ସାମ୍ବାଦିକ ଓ ସାଧାରଣ ଜନତାଙ୍କୁ କରୋନା ଯାଞ୍ଚ ଆଳରେ ସେମାନେ ଦୁର୍ବ୍ୟବହାର କରୁଥିବାର ଅଭିଯୋଗ ହୋଇଛି। ସେମାନଙ୍କ ଦୌରାତ୍ମ୍ୟ ଏତେ ବଢ଼ି ଯାଇଛି ଯେ ନିର୍ଦେଶକମାନଙ୍କୁ ମଧ୍ୟ ଏ ବିଷୟରେ ଜଣାଇଲେ ସେମାନେ ହାତ ଟେକି ଦେଉଛନ୍ତି। ଏହାକୁ ନେଇ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।
ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବା ପରେ ସ୍ବାସ୍ଥ୍ୟ ନିର୍ଦେଶାଳୟକୁ ସାଧାରଣ ଜନତାଙ୍କ ପ୍ରବେଶ ଉପରେ ବିଭାଗୀୟ ନିର୍ଦେଶକ କଟକଣା ଲଗାଇଥିଲେ। ଏଥିପାଇଁ ଫାଟକ ସମ୍ମୁଖରେ ଦୁଇ ସୁରକ୍ଷା କର୍ମୀ ରହିଥିଲେ। କିନ୍ତୁ ରାଜ୍ୟରେ ଏବେ କରୋନା ସଂକ୍ରମଣ ନାହିଁ। କିନ୍ତୁ ପୂର୍ବଭଳି ସୁରକ୍ଷା କର୍ମୀ ବିଭାଗୀୟ ଅଧିକାରୀଙ୍କୁ ଭେଟିବାର ସୁଯୋଗ ଦେଉନାହାନ୍ତି। ଲୋକସେବା ଭବନ ସାଧାରଣ ଜନତା ଓ ସାମ୍ବାଦିକଙ୍କ ପାଇଁ ଖୋଲିଥିବା ବେଳେ ନ’ ତାଲା କିନ୍ତୁ ଲୋକସେବା ଭବନକୁ ବଳି ଗଲାଣି। କୌତୂହଳ କଥା ହେଉଛି, ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟର କିଛି ନିର୍ଦ୍ଦିଷ୍ଟ କର୍ମଚାରୀ ଫାଟକ ସମ୍ମୁଖରେ ସୁରକ୍ଷା କର୍ମୀଙ୍କ ଭଳି ଯାଞ୍ଚ କରୁଛନ୍ତି। ଏଭଳି ଯାଞ୍ଚ କରିବାର ଅଧିକାର ତାଙ୍କୁ କିଏ ଦେଇଛି ବୋଲି ପ୍ରଶ୍ନ ଉଠୁଛି। ପଚାରିଲେ ସେମାନେ କହୁଛନ୍ତି ନିର୍ଦେଶକମାନେ ଭିତରକୁ ଛାଡ଼ିବାକୁ ମନା କରିଛନ୍ତି।
ଏପଟେ ନିର୍ଦ୍ଦେଶକମାନେ ଏହି କଟକଣା ଜାରି କରାଯାଇ ନାହିଁ ବୋଲି କହୁଛନ୍ତି। ଏପରିକି ବିଭାଗୀୟ ଅଧିକାରୀ ଅଫିସ୍ରେ ଥିଲେ ମଧ୍ୟ ବାବୁ ନାହାନ୍ତି ବୋଲି ସୁରକ୍ଷା କର୍ମୀ ଲୋକଙ୍କୁ ଫେରାଇ ଦେଉଛନ୍ତି। ଫଳରେ ବିଭିନ୍ନ ଗୁରୁତ୍ବପୂଣ୍ଣ କାମ ନେଇ ସେଠାକୁ ଆସୁଥିବା ଲୋକମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସାମ୍ବାଦିକମାନଙ୍କୁ ମଧ୍ୟ ଖବର ସଂଗ୍ରହ ପାଇଁ ଭିତରକୁ ଛଡ଼ାଯାଉ ନାହିଁ। ଏମିତିରେ ସରକାରଙ୍କ ତଥାକଥିତ ‘ମୋ ସରକାର’ କେବଳ ପ୍ରଚାର ସର୍ବସ୍ବ ହୋଇଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/34-9.jpg)