ଭୁବନେଶ୍ବର: କୁକୁରଙ୍କ ପାଇଁ ମଶାଣି କରିପାରିଲାନି ବିଏମ୍‌ସି। ପଳାସୁଣି ମେଗା ଏମ୍‌ସିସି ଭିତରେ କରିବା ପାଇଁ ଟେଣ୍ଡର କଲା। ହେଲେ ଏ ପର୍ଯ୍ୟନ୍ତ ସମ୍ଭବ ହୋଇ ପାରିଲାନି। ବରମୁଣ୍ଡା ରାଜପଥ କଡ଼ରେ ଗଦାକଲା। ପୁତିଗନ୍ଧମୟ ପରିବେଶ ସୃଷ୍ଟି ହେବାରୁ ଗଣମାଧ୍ୟମରେ ପ୍ରକାଶ ପାଇଲା।ନଆକ୍ରୋଶର ଶିକାର ହେଲା ବିଏମ୍‌ସି। ଏଣୁ ଜାଗାକୁ ସଫା କରି ସୌନ୍ଦର୍ଯ୍ୟୀକରଣ କଲା। ଶେଷରେ ସହରଠୁଁ ଦୂରରେ ଥିବା ଜାମୁକୋଳି ଗୋଶାଳାକୁ ନିରାପଦ ସ୍ଥାନ ଭାବରେ ବାଛିଲା। ସରକାର ପ୍ରଦାନ କରିଥିବା ଅତିରିକ୍ତ ୨୦ ଏକର ଜାଗାରେ ଗୋଶାଳା କରିବ କଣ, ତାହାକୁ କୁକୁର ମଶାଣି କରିଦେଲା। ପ୍ରତ୍ୟେକ ଦିନ ସହରରୁ ବାହାରୁଥିବା କୁକୁରଙ୍କ ଶବକୁ ନେଇ ସେଠାରେ ପୋତିଲା। ତେବେ ଗୁରୁବାର ଅପରାହ୍ନରେ ସ୍ଥାନୀୟ ଲୋକ ଓ ଜନପ୍ରତିନିଧିଙ୍କ ସାମ୍ନାରେ ପଡ଼ିଯିବାରୁ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଆମ ଅଞ୍ଚଳରେ ଗୋଟିଏ ହେଲେ କୁକୁରଙ୍କ ଶବ ପୋତା ଯାଇ ପାରିବ ନାହିଁ ବୋଲି ଲୋକ ସେମାନେ ରୋକ୍‌ଠୋକ୍‌ ଶୁଣାଇଦେବା ସହ ଶବ ଗାଡ଼ି ଆସିଲେ ଗାଁକୁ ପୁରାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ। ଦୀର୍ଘ ସମୟ ଧରି ସେଠାରେ ଉତ୍ତେଜନା ପ୍ରକାଶ ପାଇବା ପରେ ବିଏମ୍‌ସିର ଜନପ୍ରତିନିଧି ଓ ଅଧିକାରୀ ସେମାନଙ୍କୁ ବୁଝାସୁଝା କରିଥିଲେ। 

Advertisment

ବନ୍ଧ୍ୟାକରଣ ବନ୍ଦ ଥିବାରୁ ଭୁବନେଶ୍ବରରେ କୁକୁରଙ୍କ ସଂଖ୍ୟା ବହୁମାତ୍ରାରେ ବଢ଼ିଯାଇଛି। ଫଳରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଓ ବିଭିନ୍ନ ରୋଗରେ ପଡ଼ି ୨୦ରୁ ୩୦ କୁକୁରଙ୍କ ମୃତ୍ୟୁ ଘଟୁଛି। ବିଭିନ୍ନ ଅଞ୍ଚଳରୁ ବିଏମ୍‌ସି ଏହି ସବୁ କୁକୁରଙ୍କ ଶବ ସଂଗ୍ରହ କରୁଛି। କିନ୍ତୁ ମଶାଣି ନଥିବାରୁ ଜାମୁକୋଳି ଗୋଶାଳାରେ ପୋତିଦେଉଛି। ଏଭଳି ନିୟମିତ ଚାଲିଥିଲେ ମଧ୍ୟ ଗତକାଲି ଧରାପଡ଼ି ଯାଇଥିଲେ। ସେଠାରେ ବିରୋଧ ହେବାରୁ ଏବେ କେଉଁଠି ପୋତିବେ ସେ ନେଇ ଅଧିକାରୀ ଚିନ୍ତାରେ ପଡ଼ିଛନ୍ତି। ଏବେ ସ୍ବଚ୍ଛ ସର୍ବେକ୍ଷଣ ଚାଲିଥବାରୁ ଏଭଳି ସ୍ଥିତି ଲାଗି ରହିଲେ ବିଏମ୍‌ସି ଆଶା କରିଥିବା ରୢାଙ୍କ୍‌ ନପାଇବା ଥୟ ହୋଇଛି। 

ଅନ୍ୟପଟେ କୁକୁରଙ୍କୁ ରାସ୍ତା କଡ଼ରେ ବୁଲାଇ ଝାଡ଼ା ଫେରାଇବା ନେଇ ବିବାଦ ହେବା ସହ ପୋଷା କୁକୁର ଆକ୍ରମଣରେ ଜଣେ ନାବାଳକ ରକ୍ତାକ୍ତ ହେବା ପରେ କୁକୁର ବାଇଲ’ ପ୍ରସ୍ତୁତ ହୋଇଥିଲା। ଏହାକୁ ସରକାରଙ୍କ ସ୍ବୀକୃତି ପାଇଁ ପଠାଯାଇଛି। କିନ୍ତୁ ଏହା ସ୍ବୀକୃତିଲାଭ କରୁନାହିଁ। ବାସ୍ତବରେ କୁକୁର ମଶାଣି ଓ କୁକୁରଙ୍କୁ ବୁଲାଇବା ପାଇଁ ସ୍ବତନ୍ତ୍ର ପାର୍କ କିମ୍ବା ସମର୍ପିତ ସ୍ଥାନ ନଥିବାରୁ ବାଇଲ ସ୍ବୀକୃତି ପାଉନାହିଁ ବୋଲି ଜଣାପଡ଼ିଛି। କୁକୁରଙ୍କୁ ବୁଲାଇବା ପାଇଁ ବିଡିଏ ଭରତପୁର ଅଞ୍ଚଳରେ ଏକ ପାର୍କ ତିଆରି କରିଥିଲା। କିନ୍ତୁ ଭୁବନେଶ୍ବରର ଘରେ ଘରେ କୁକୁର ଓ ଭରତପୁର ସହର ଉପକଣ୍ଠରେ ଥିବାରୁ ଏହା କାହାର କାମରେ ଲାଗିଲା ନାହିଁ। ବିଏମ୍‌ସି ମଧ୍ୟ କୌଣସି ବ୍ୟବସ୍ଥା କଲାନାହିଁ। ଫଳରେ ଏହି ବାଇଲ ସ୍ବୀକୃତି ପାଉନାହିଁ। ଏଠାରେ ସୂଚାଇ ଦିଆଯାଇପାରେ, ବିଧାନସଭାରେ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ଏକ ପ୍ରଶ୍ନରେ ଗୃହନିର୍ମାଣ ଓ ନଗର ଉନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର କିଛି ପ୍ରମୁଖ ସହରରେ କୁକୁରଙ୍କ ପାଇଁ ଶ୍ମଶାନ କରାଯିବ ବୋଲି ଉତ୍ତର ରଖିଥିଲେ। କିନ୍ତୁ ଏ ଯାବତ୍‌ ରାଜ୍ୟର କୌଣସି ଜାଗାରେ ଏଭଳି ବ୍ୟବସ୍ଥା କରାଯାଇ ପାରିନାହିଁ।