ନାଗକୁ ମାରିଲା ଶେରା; ୧୫ ମିନିଟ୍ ଧରି ଲଢ଼ିଲା, ସିସିଟିଭି‌‌ରେ କଏଦ୍‌ ପୂରା ଘଟଣା

ଭୁବନେଶ୍ବର : ନାଗ ସହ ୧୫ ମିନିଟ୍ ଧରି ଲଢିଲା। ଘରେ ପଶିବା ପୂର୍ବରୁ ନାଗକୁ ମାରି ମାଲିକଙ୍କ ପରିବାରକୁ ରକ୍ଷା କଲା। ଏଭଳି ଘଟଣା ଘଟିଛି ଜଟଣୀରେ। ମାସକ ଭିତରେ ଏ ହେଉଛି ଦ୍ବିତୀୟ ଘଟଣା।

ଜଟଣୀର ବ୍ୟବସାୟୀ ମନୋଜ ସ୍ବାଇଁ। ମନୋଜଙ୍କ ଘରେ ଦୁଇଟି ପୋଷା କୁକୁର ଅଛନ୍ତି। ଗୋଟିଏ ହେଉଛି ଶେରା ଓ ଅନ୍ୟଟି ଶାରା। ଆଜି ଦିନ ପ୍ରାୟ ସାଢେ ୧୧ଟାରେ ଗୋଟିଏ ୪ ଫୁଟ ଲମ୍ବର ନାଗ ସାପ ମନୋଜଙ୍କ ଘର ଆଡେ ଆସୁଥିଲା। ଘର ପିଣ୍ଡାରେ ଶୋଇଥିବା ଶେରା ପ୍ରଥମେ ସାପ ଆସୁଥିବା ଜାଣି ତା ପାଖକୁ ଯାଇଥିଲା। ସାଥୀରେ ଶାରା ବି ଥିଲା। ଶେରା ନାଗକୁ ଆକ୍ରମଣ କରି ଚାଲିଥିଲା। ନାଗ ଯେତେବେଳେ ପ୍ରତି ଆକ୍ରମଣ କରିବାକୁ ଉଦ୍ୟତ ହେଉଥିଲା ଶାରା ସାପର ନଜର ହଟାଇ ଚାଲିଥିଲା। ଶେରା ଆକ୍ରମଣ ପରେ ଆକ୍ରମଣ କରି ଚାଲିଥିଲା। ପ୍ରାୟ ୧୫ ମିନିଟ ପରେ ନାଗର ଜୀବନ ଚାଲି ଯାଇଥିଲା। ପୂରା ଘଟଣା ମନୋଜଙ୍କ ଘର ଆଗରେ ଲାଗିଥିବା ସିସିଟିଭିରେ କଏଦ ହୋଇ ରହିଛି। ପ୍ରକାଶ ଥାଉକି ଜାନୁଆରି ୩୦ ତାରିଖରେ ପ୍ରାୟ ୫ ଫୁଟ ଲମ୍ବର ଆଉ ଏକ ନାଗ ମନୋଜଙ୍କ ଘର ଭିତରେ ପଶୁଥିବା ବେଳେ ସମାନ ଢଙ୍ଗରେ ଆକ୍ରମଣ କରି ମାରି ଦେଇଥିଲା ଶେରା। ଦୁଇଟି ଘଟଣା ପରେ ଶେରା ମାଲିକଙ୍କ ପାଇଁ ଆହୁରି ବିଶ୍ବସ୍ତ ପାଲଟି ଯାଇଛି।

ସମ୍ବନ୍ଧିତ ଖବର