ବିନା ଆନାସ୍ଥେସିଆରେ କୁକୁର ଅପରେସନ ଘଟଣା: ଜାରି ହେବ ଏସ୍‌ଓପି, ଲାଗିବ ସିସିଟିଭି

ସ୍ଥିତି ଅନୁଧ୍ୟାନ କଲେ ମେୟର, କମିସନର
ମନିଟରିଂ କମିଟି ନାହିଁ, ମନଇଚ୍ଛା ଚାଲିଛି କାମ
ନିଯୁକ୍ତି ପାଇଲେ ନୂଆ ଡାକ୍ତର

ଭୁବନେଶ୍ବର : ବନ୍ଧ୍ୟାକରଣ କାର୍ଯ୍ୟକ୍ରମରେ ଅପରେସନ ବେଳେ କୁକୁରଙ୍କ ପ୍ରତି ନିଷ୍ଠୁରତାକୁ ନେଇ ତନାଘନା ଆରମ୍ଭ ହୋଇଛି। ଭାଇରାଲ ଭିଡିଓକୁ ନେଇ ମେନକା ଗାନ୍ଧୀ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିବା ପ‌ରେ ତୁରନ୍ତ ସମ୍ପୃକ୍ତ ଡାକ୍ତରଙ୍କୁ ବହିଷ୍କାର କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ନୂଆ ଡାକ୍ତରଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। ଅନ୍ୟପଟେ ଆଜି ମେୟର ସୁଲୋଚନା ଦାସ ଓ ବିଏମ୍‌ସି କମିସନର ସଞ୍ଜୟ ସିଂହ ସହିଦନଗର ଉପଖଣ୍ଡ ପ୍ରାଣୀଚିକିତ୍ସାଳୟକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। କେବଳ ସ୍ଥିତି ଅନୁଧ୍ୟାନ କରିନାହାନ୍ତି ବରଂ ପରିଚାଳନା କରୁଥିବା ସଂସ୍ଥାକୁ ଅନେକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ‌ନିର୍ଦ୍ଦେଶ ନ ମାନିଲେ ସମ୍ପୃକ୍ତ ସଂସ୍ଥାକୁ କଳା ତାଲିକାଭୁକ୍ତ କରିବାକୁ ଚେତାବନୀ ଦିଆଯାଇଛି। ଏହାର ପରିଚାଳନା ପାଇଁ ସ୍ବତନ୍ତ୍ର ଏସ୍‌ଓପି ଜାରି ହେବା ସହ ସିସିଟିଭି ଜରିଆରେ ବିଏମ୍‌ସି ଏହା ଉପରେ କଡ଼ା ନଜର ରଖିବ ବୋଲି କହିଛନ୍ତି କମିସନର ଶ୍ରୀ ସିଂହ।

ନିଷ୍ପତ୍ତି ମୁତାବକ, ଭାରତ ସରକାରଙ୍କ ‘ଡଗ୍‌ ରୁଲ୍‌’ ଆଧାରରେ ଏହି ଉପଖଣ୍ଡ ଚିକିତ୍ସାଳୟରେ ବିଏମ୍‌ସି ବୁଲା କୁକୁରମାନଙ୍କ ବନ୍ଧ୍ୟାକରଣ କରୁଛି। ଏଥିପାଇଁ ନିର୍ଦ୍ଦେଶାବଳୀ ରହିଥିଲେ ମଧ୍ୟ ତାହା ପାଳନ ହେଉ ନାହିଁ। ଏଣୁ ଏଥିପାଇଁ ଏକ ସ୍ବତନ୍ତ୍ର ଏସ୍‌ଓପି ଜାରି କରାଯିବ ବୋଲି କମିସନର ଶ୍ରୀ ସିଂହ ସୂଚନା ଦେଇଛନ୍ତି। ସମସ୍ତଙ୍କ ଅବଗତ ପାଇଁ ଏହା ଦ୍ବିଭାଷିକ ହେବ। ଖୁବ୍‌ଶୀଘ୍ର ଏହା ଓଡ଼ିଆ ଓ ଇଂରାଜୀରେ ପ୍ରକାଶ ପାଇବ। ଏଠାରେ କ’ଣ ଚାଲିଛି ତାହା ରେକର୍ଡ ରଖିବା ସହ କଡ଼ା ନଜର ରଖିବା ପାଇଁ ସିସିଟିଭି ଖଞ୍ଜା ଯିବ। ପ୍ରବେଶ ପ୍ରସ୍ଥାନ ଠାରୁ ଆରମ୍ଭ କରି ଅପରେସନ ଥିଏଟର ପର୍ଯ୍ୟନ୍ତ ସମସ୍ତ ଦୃଶ୍ୟ ସିସିଟିଭି କ୍ୟାମେରା ନଜରରେ ରହିବ। ଏଥିପାଇଁ କେତେ ସିସିଟିଭି କ୍ୟାମେରା ଆବଶ୍ୟକତା‌ ରହିଛି ତାହା ଅନୁଧ୍ୟାନ କରିବାକୁ ଦାୟିତ୍ବରେ ଥିବା ଅଧିକାରୀଙ୍କୁ କମିସନର ନିର୍ଦ୍ଦେଶ ଦେଇଛନ୍ତି।

ଏହି ବ୍ୟବସ୍ଥାକୁ ତଦାରଖ କରିବା ପ୍ରାଣୀଧନ ଚିକିତ୍ସା ଅଧିକାରୀଙ୍କ ଠାରୁ ଆରମ୍ଭ କରି ବିଏମ୍‌ସି ଅଧିକାରୀ, ପ୍ରାଣୀଧନ ପ୍ରେମୀ ଓ ଅଭିଜ୍ଞ ଡାକ୍ତରଙ୍କୁ ନେଇ ପାଇଁ ସ୍ବତନ୍ତ୍ର କମିଟି ରହିବା କଥା। କିନ୍ତୁ ବର୍ଷ ବର୍ଷ ହେଲା ଏଠା‌ରେ କମିଟି ନାହିଁ। ଏହି କାର୍ଯ୍ୟକ୍ରମକୁ ଏସ୍‌ଡିଭିଓ(ଉପଖଣ୍ଡ ପ୍ରାଣୀଧନ ଚିକିତ୍ସାଧିକାରୀ) ଓ ସିଡିଭିଓ (ମୁଖ୍ୟ ଜିଲ୍ଲା ପ୍ରାଣୀଧନ ଚିକିତ୍ସାଧିକାରୀ) ନିୟମିତ ତଦାରଖ କରିବା କଥା। ସେମାନେ ବର୍ଷ ବର୍ଷ ଧରି ଏହାକୁ ଦେଖୁନାହାନ୍ତି। ଏଣୁ ଏଠାରେ ଏକ ପ୍ରକାର ମନଇଚ୍ଛା କାମ ଚାଲିଛି। ସେଥିପାଇଁ ଏକ ସ୍ବତନ୍ତ୍ର କମିଟି ଗଠନ କରିବାକୁ କମିସନର ନିର୍ଦ୍ଦେଶ ଦେଇଛନ୍ତି।

ଏତଦ୍‌ବ୍ୟତୀତ ମେଡିକାଲ ଭିତରେ କେଉଁଠି କ’ଣ ଚାଲିଛି ସେ ନେଇ ସୂଚନା ନାହିଁ। ସାଧାରଣ ଲୋକଟିଏ ପୋଷା ଜୀବକୁ ନେଇ ଚିକିତ୍ସା ପାଇଁ ଆସିବା ପରେ କେଉଁଠିକୁ ଯିବ ଜାଣି ପାରୁ ନାହିଁ। ଏହାକୁ ନେଇ ମେୟର ଓ କମିସନର ବିରକ୍ତି ପ୍ରକାଶ କରିବା ସହ କେଉଁଠି କଣ ରହିଛି ତାହାର ସୂଚନା ଫଳକ ଲଗାଇବାକୁ କହିଛନ୍ତି। ଚିକିତ୍ସାଳୟ କାନ୍ଥରେ ପ୍ରାଣୀମାନଙ୍କର ସ୍ବାସ୍ଥ୍ୟକୁ ନେଇ ‌ସଚେତନତାମୂଳକ ଚିତ୍ର ଓ ଲେଖା ସ୍ଥାନ ଦେବାକୁ ବ୍ୟବସ୍ଥା‌ କରାଯିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ପାଇକ୍‌ ସିକ୍ୟୁରିଟି ସେଂଟିନେଲ୍‌ ସଂସ୍ଥା ଜରିଆରେ ବିଏମ୍‌ସି ବୁଲା କୁକୁରଙ୍କ ବନ୍ଧ୍ୟାକରଣ କରାଉଛି। ଏଠାରେ ତିନିଟି ଶ୍ବାନଗୃହରେ ୧୨୦ ଟି କୁକୁରଙ୍କୁ ଏକ ସମୟରେ ବନ୍ଧ୍ୟାକରଣ ବ୍ୟବସ୍ଥା ରହିଛି। କୁକୁରଙ୍କୁ ଯେଉଁ ସ୍ଥାନରୁ ଅଣାଯାଇଥାଏ ଅପ‌ରେସନର ୭ଦିନ ପରେ ସେହି ସ୍ଥାନରେ ହିଁ ଛଡ଼ା ଯାଇଥାଏ। ଏଥିପାଇଁ ସ୍ବତନ୍ତ୍ର ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି। କିନ୍ତୁ ସ୍ଥିତି ଅନୁଧ୍ୟାନ ବେଳେ ଏଠାରେ ବ୍ୟାପକ ଅନିୟମିତତା ପଦାକୁ ଆସିଥିଲା। ଯେଉଁ କୁକୁରକୁ ଅପରେସନ ପରେ କେନେଲ୍‌ରୁ ୭ ଦିନ ପରେ ବାହାର କରିବା କଥା ସେଠାରୁ ବାହାର କରାଯାଉ ନାହିଁ। ଫଳରେ ଅନ୍ୟ କୁକୁରମାନଙ୍କୁ ବାହାରେ ଅପରେସନ କରାଯାଉଛି। ଅପରେସନ ସମୟରେ ଆନାସ୍ଥେସିଆ ଦେବା ବ୍ୟବସ୍ଥା ଥିଲେ ମଧ୍ୟ ତାହା ଦିଆଯାଉ ନାହିଁ। ଅପରେସନ ପୂର୍ବରୁ ଓ ପରେ ଔଷଧ ବ୍ୟବସ୍ଥା ଥିଲେ ମଧ୍ୟ ସେଥିରେ ବ୍ୟାପକ ଅନିୟମିତତା ହେଉଥିବା ପରିଲକ୍ଷିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶକ ରାଜ୍ୟ ପଶୁସମ୍ବଳ ବିକାଶ ବିଭାଗ ନିର୍ଦ୍ଦେଶକ ଡା. ୟେଦୁଲ୍ଲା ବିଜୟ, ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ, ଡେପୁଟି କମିସନର ତଥା ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ ମହାପ୍ରବନ୍ଧକ କମଲଜିତ୍ ଦାସ ଓ ଡେପୁଟି କମିସନର(ଏବିସି) ରମେଶ ଚନ୍ଦ୍ର ଜେନା ପ୍ରମୁଖ ସାମିଲ ହୋଇଥିଲେ।

ଅଲଗା ଅଲଗା ଗଲେ ମେୟର, କମିସନର
ଘରୋଇ ସଂସ୍ଥା ଦ୍ବାରା ବିଏମ୍‌ସି କୁକୁର ବନ୍ଧ୍ୟାକରଣ କରୁଛି। ଭିଡିଓ ଭାଇରାଲ ହେବା ପରେ ଜାତୀୟସ୍ତରରେ ବିଏମ୍‌ସି ବଦନାମ ମୁଣ୍ଡାଇଛି। ପୂର୍ବରୁ କେହି ଯାଉନଥିଲେ, ହଇଚଇ ହେବା ପରେ ଆଜି ବଡ଼ବଡ଼ିଆ ଘଟଣାସ୍ଥଳରେ ପହଞ୍ଚିବା ସହ କୁକୁରଙ୍କ ପ୍ରତି ରହିଥିବା ଭାବାବେଗ ପ୍ରଦର୍ଶନ କରିଛନ୍ତି। ହେଲେ ସେଥିରେ ବି ମନ ମିଶିନି। ମେୟର ସୁ‌ଲୋଚନା ଦାସ ସକାଳେ ଯାଇ ବୁଲି ପଳାଇ ଆସିବା ପରେ କମିସନର ସଞ୍ଜୟ ସିଂହ ପରେ ପହଞ୍ଚିଛନ୍ତି। ମେୟର ତାଙ୍କ ବାଟରେ ତର୍ଜମା କରିଛନ୍ତି। ଡାକ୍ତରମାନଙ୍କ ଉପରେ ବିରକ୍ତି ପ୍ରକାଶ କରିବା ସହ ସ୍ବଚ୍ଛତା, ଜୀବଙ୍କ ଉପରେ ଦୟା ପ୍ରଭୃତି ଉପରେ ଗୁରୁତ୍ବାରୋପ କରିଛନ୍ତି। ସେ ଫେରିଯିବା ପରେ କମିସନର ପହଞ୍ଚିଥିଲେ। ସିସିଟିଭି, ଏସ୍‌ଓପି, ମନିଟରିଂ ଉପରେ ଗୁରୁତ୍ବ ଦେଇଥିଲେ। ମେୟର ଓ କମିସନର ଉଭୟ ବିଏମ୍‌ସି ପାଇଁ ସମପରିମାଣରେ ଉତ୍ତରଦାୟୀ। ବିଏମ୍‌ସି ନିନ୍ଦିତ ହେଲେ ଉଭୟଙ୍କ ପାଇଁ ନିନ୍ଦା। ଏହାକୁ ଗୁରୁତ୍ବର ସହ ନେଇ ଉଭୟ ଛୁଟିଦିନରେ ତତ୍ପରତା ପ୍ରକାଶ କରିଛନ୍ତି। ହେଲେ ଉଭୟଙ୍କର କାର୍ଯ୍ୟାଳୟ ଗୋଟିଏ ହୋଇଥିଲେ ମଧ୍ୟ ଏଭଳି ଅଲଗା ଅଲଗା ଯିବା ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର