ଭୁବନେଶ୍ବର: ଦିଲ୍ଲୀର ଉତ୍ତମନଗରରେ ଏକ ବୁଲା କୁକୁର କିଛି ଲୋକଙ୍କୁ ଗୋଡ଼େଇ ଗୋଡ଼େଇ କାମୁଡ଼ିବା ସହ ଗୋଟିଏ ଛୋଟ ପିଲାକୁ ଯେପରି ଅସ୍ତବ୍ୟସ୍ତ କରି କାମୁଡ଼ିଲା ତା’ର ଭିଡ଼ିଓ ଭାଇରାଲ ହେବା ପରେ ତାହା ସାଧାରଣରେ ଉଦ୍‌ବେଗର କାରଣ ହୋଇଥିଲା। ଏହା ବି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ହେଲେ ଏବେ ଭୁବନେଶ୍ବରରେ ଅନୁରୂପ ଅବସ୍ଥା। ଭୁବନେଶ୍ବରରେ ଏବେ ପ୍ରାୟ ୫୦ହଜାର ବୁଲା କୁକୁର ରହିଛନ୍ତି। ଏମାନେ ପ୍ରତିଦିନ ବିଭିନ୍ନ ଛକରେ ଆଡ଼ା ଜମାଇ କେଉଁଠି ନା କେଉଁଠି ଲୋକମାନଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଥିବା ଅଭିଯୋଗ ହେଉଛି। ପରିସ୍ଥିତି ଏପରି ହୋଇଛି, ଖାଲି କ୍ୟାପିଟାଲ ହସ୍ପିଟାଲକୁ ଦିନକୁ ପ୍ରାୟ ୫୦ଜଣ କୁକୁର କାମୁଡ଼ା ରୋଗୀ ଆସୁଛନ୍ତି। ଏଥିରୁ ଜଣାପଡ଼ୁଛି ରାଜଧାନୀରେ ବୁଲା କୁକୁର କିପରି ଆତଙ୍କ ଚଳାଇଛନ୍ତି। ଆଶ୍ଚର୍ଯ୍ୟର ବିଷୟ ବିଏମ୍‌ସି କର୍ତ୍ତୃପକ୍ଷ ସବୁବେଳେ କହୁଛନ୍ତି ଯେ ଆମେ ବୁଲା କୁକୁରଙ୍କୁ ବନ୍ଧ୍ୟାକରଣ କରି ଜଳାନ୍ତକ ନ ହେବା ପାଇଁ ଇଞ୍ଜେକ୍ସନ୍‌ ଦେଉଛୁ। ହେଲେ କୁକୁର କାମୁଡ଼ିଲେ ଯେପରି ଜଳାନ୍ତକ କି ଲୋକର ଯେପରି ବିଶେଷ କ୍ଷତି ନ ହେବ, ସେଥିପାଇଁ ଯେଉଁ ଇ‌ଞ୍ଜେକ୍ସନ କୁକୁରଙ୍କୁ ଦିଆଯାଉଛି, ତାହାର ଆୟୁଷ ମାତ୍ର ବର୍ଷେ। ଯେଉଁ କୁକୁର ଇଞ୍ଜେକ୍ସନ୍‌ ନେଇଥିବ ସେ ବର୍ଷକ ଯା‌ଏ କାମୁଡ଼ିଲେ ବିଶେଷ କ୍ଷତି ହେବନି। ହେଲେ ବର୍ଷକ ପରେ କାମୁଡ଼ିଲେ, ଯଦି କାମୁଡ଼ା ଖାଇଥିବା ଲୋକ ଚିକିତ୍ସାରେ ଅବହେଳା କରେ ବା ଠିକ୍ ସମୟରେ ଇଞ୍ଜେକ୍ସନ ନ ନିଏ, ‌େତବେ ଜଳାନ୍ତକରେ ମରିବା ଥୟ। ନିକଟରେ ଜାଗମରା ଓ ଚିନ୍ତାମଣିଶ୍ବର ଅଞ୍ଚଳରେ ବୁଲା କୁକର ଗୋଡ଼େଇ ଗୋଡ଼େଇ ୧୦ଜଣରୁ ଅଧିକ ଲୋକଙ୍କୁ ଗୋଟିଏ ଦିନରେ କାମୁଡ଼ିଥିବା ଅଭିଯୋଗ ହୋଇଥିଲା। କେବଳ କୁକର କାମୁଡ଼ୁ ନାହାନ୍ତି ହଠାତ୍ ଗାଡ଼ି ଆଗକୁ ପଳାଇ ଆସୁଥିବାରୁ ପ୍ରତ୍ୟେକ ଦିନ ଦୁର୍ଘଟଣା ବି ଘଟୁଛି। ଏହି ସଂଖ୍ୟା ଦିନକୁ ୧୦ରୁ କମ୍‌ ନୁହେଁ। ରାଜଧାନୀରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ ଅସହ୍ୟ ହେଲାଣି। ହେଲେ ବୁଲା କୁକୁରଙ୍କୁ ନିୟନ୍ତ୍ରଣ କରିବା ଏବଂ ସେମାନଙ୍କ ବଂଶବୃଦ୍ଧି ରୋକିବାକୁ ବିଏମ୍‌ସି ପ୍ରତିବର୍ଷ ଏବିସି (ଆନିମଲ ବାର୍ଥ କଣ୍ଟ୍ରୋଲ) ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥି‌ଲେ ହେଁ କିଛି ଫରକ ପଡ଼ୁନି।

Advertisment

ବୁଲା କୁକୁର ନିୟନ୍ତ୍ରଣ କରିବାରେ ବିଏମ୍‌ସି ବିଫଳ
ଆହୁରି ୩୦ହଜାର କୁକୁରଙ୍କର ବନ୍ଧ୍ୟାକରଣ ବାକି ଅଛି
ଜଳାନ୍ତକ ନହେବା ଇଞ୍ଜେକ୍‌ସନର ଆୟୁଷ ବର୍ଷେ
୧୨ବର୍ଷରେ ୨୪ହଜାର କୁକୁରଙ୍କର ବନ୍ଧ୍ୟାକରଣ ହୋଇଛି
ହସ୍ପିଟାଲକୁ ଦିନକୁ ୫୦ କୁକୁର କାମୁଡ଼ା ରୋଗୀ ଆସୁଛନ୍ତି

ବୁଲା କୁକୁରଙ୍କ ବନ୍ଧ୍ୟାକରଣ କରିବା ପାଇଁ ବିଏମ୍‌ସି କୁକୁର ପିଛା ୫୦୦ଟଙ୍କା ଲେଖାଏଁ ଖର୍ଚ୍ଚ କରୁଛି। ହେଲେ ଯେଉଁ କୁକୁରଙ୍କୁ ଯେଉଁଠୁ ଆଣୁଛି, ସେମାନଙ୍କର ଅସ୍ତ୍ରୋପଚାର ସରିବା ପରେ ପୁଣି ନେଇ ସେଠାରେ ଛାଡ଼ି ଦେଉଛି। ଫଳରେ ‌କୌଣସି ଅଞ୍ଚଳରେ କୁକୁରଙ୍କ ସଂଖ୍ୟା କମୁନି, ବରଂ ବର୍ଷକୁ ବର୍ଷ ବଢ଼ି ଚାଲିଛି। ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀରେ ପ୍ରତିବର୍ଷ ପ୍ରାୟ ୩ ହଜାରରୁ ୩୩୦୦ ପର୍ଯ୍ୟନ୍ତ କୁକୁର ଛୁଆ ଜନ୍ମ ହେଉଛନ୍ତି। ହେଲେ ବିଏମ୍‌ସି ପ୍ରତିବର୍ଷ ପ୍ରାୟ ୨ହଜାରରୁ ୨୨୦୦ କୁକୁରଙ୍କ ବନ୍ଧ୍ୟାକରଣ କରିବାରେ ସମର୍ଥ ହେଉଛି। ତେଣୁ ପ୍ରତିବର୍ଷ ଏମିତିରେ ପ୍ରାୟ ୧୩୦୦ କୁକୁର ବଢ଼ିବାରେ ଲାଗିଛି। ଚଳିତବର୍ଷ ବି ଏହି ଶୀତ ଋତୁରେ ପ୍ରାୟ ବହୁ ସଂଖ୍ୟକ କୁକୁର ଜନ୍ମ ହୋଇଛନ୍ତି। ସରକାରଙ୍କ ହିସାବ ଅନୁଯାୟୀ, ପ୍ରତି ୧୦୦ ଲୋକରେ ୩ଟି ବୁଲା କୁକୁର ଭୁବନେଶ୍ବରରେ ଅଛନ୍ତି। କିନ୍ତୁ ୨୦୧୫ର ଗଣନା ଅନୁଯାୟୀ, ରାଜଧାନୀରେ ସେତେବେଳେ ୪୬ ହଜାର ବୁଲା କୁକୁର ଥିଲେ। ୨୦୦୮ରୁ ଏବିସି କାର୍ଯ୍ୟକ୍ରମରେ କୁକୁରଙ୍କ ବନ୍ଧ୍ୟାକରଣ କରାଯାଇଥିବା ବେଳେ ଅଗଷ୍ଟ ୨୦୧୯ ସୁଦ୍ଧା ୨୧,୬୦୦ କୁକୁରଙ୍କର ବନ୍ଧ୍ୟାକରଣ ହୋଇଥିଲା। ଏବେ ପ୍ରାୟ ୨୪୦୦ ଅଧିକ କୁକୁରଙ୍କର ବନ୍ଧ୍ୟାକରଣ ହୋଇଛି। ଏହି ହିସାବରେ ବର୍ତ୍ତମାନ ସୁଦ୍ଧା‌ ୨୪ହଜାର କୁକୁରଙ୍କର ବନ୍ଧ୍ୟାକରଣ ହୋଇଛି। ହେଲେ ୨୦୧୫ରୁ ବର୍ତ୍ତମାନ ସୁଦ୍ଧା ଆଉ ପ୍ରାୟ ୬ ହଜାର କୁକୁର ବଢ଼ିଥିବା ଅନୁମାନ କରାଯାଉଛି। ଏବେ ପ୍ରାୟ ୩୦ ହଜାର କୁକୁରଙ୍କର ବନ୍ଧ୍ୟାକରଣ କରାଯିବାର ଯୋଜନା ହୋଇଛି। କିନ୍ତୁ ଯେଉଁଭଳି କୁକୁରଙ୍କର ବନ୍ଧ୍ୟାକରଣ ହେଉଛି, ସେଥିରେ ବିଏମ୍‌ସି କେବେ ସୁଦ୍ଧା ରାଜଧାନୀର ବୁଲା କୁକୁରଙ୍କ ବଂଶବୃଦ୍ଧିରେ ରୋକ୍ ଲଗାଇବ ତାହା କେହି କହିପାରୁନାହାନ୍ତି।

ଏବିସି ଦାୟିତ୍ବରେ ଥିବା ବିଏମ୍‌ସିର ଡେପୁଟି କମିସନର ଶ୍ୟାମସୁନ୍ଦର ସେଠୀ କହିଛନ୍ତି ଯେ କୁକୁର ବନ୍ଧ୍ୟାକରଣ ପାଇଁ ସେପ୍ଟେମ୍ବର ମାସରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ପ୍ରତ୍ୟେକ ଦିନ ସକାଳ ୫ଟାରୁ ବୁଲା କୁକୁର ଧରା ଅଭିଯାନ ଆରମ୍ଭ ହେଉଛି। ଦୁଇଟି ଟିମ୍ ୱାର୍ଡରୁ ୱାର୍ଡ ବୁଲି କୁକୁରଙ୍କୁ ଧରୁଛନ୍ତି। ପ୍ରତ୍ୟେକ ଟିମ୍‌ରେ ଜଣେ ଡାକ୍ତର, ଦୁଇ ଜଣ ଧରାଳି, ଜ‌ଣେ ସହାୟକ ଏବଂ ଜଣେ ଡ୍ରାଇଭର ଅଛନ୍ତି। ଦିନକୁ ୩୦ଟି କୁକୁର ଧରିବାକୁ ଟାର୍ଗେଟ୍ ଦିଆଯାଇଛି। ଆମର ତିନିଟି କେନେଲ୍ ଥିଲେ ହେଁ ଏବେ ଗୋଟିଏ କେନେଲ୍‌ ମରାମତି ହେଉଥିବାରୁ ଦୁଇଟି କେନେଲ୍‌ରେ କୁକୁର ରହୁଛନ୍ତି। ତେଣୁ ଦିନକୁ ୨୦ରୁ ୨୫ଟି କୁକୁରର ବନ୍ଧ୍ୟାକରଣ ହେଉଛି। ଯଦି କେଉଁଠି ପାଗଳା କୁକୁର କାମୁଡ଼ିବାର ଅଭିଯୋଗ ଆସେ, ତେବେ ଆମେ ଟିମ୍ ପଠାଇ କୁକୁରକୁ କାବୁ କରିକି ଆଣୁ। ଭୁବନେଶ୍ବରରେ ଯେପରି କୁକୁର ସଂଖ୍ୟା କମିବ, ସେନେଇ ଆମେ ଯୋଜନା କରୁଛୁ।