ମାଲିକ ପାଇଁ କୁକୁରର ବଳିଦାନ: ନାଗକୁ ମାରିଲା, ନିଜେ ମଲା

ଭୁବନେଶ୍ୱର : ମାଲିକ ପାଇଁ କୁକୁରର ବଳିଦାନ କିଛି ନୂଆ କଥା ନୁହେଁ। କିନ୍ତୁ ମାତ୍ର ୧୦ ମାସର ଛୁଆ କୁକୁରଟିଏ ମାଲିକାଣୀଙ୍କୁ ନାଗ ମୁହଁରୁ ବଞ୍ଚାଇବାକୁ ଯାଇ ନିଜକୁ ବଳି ପକାଇବା ଏକ ଦୁଃଖଦ ଘଟଣା ନିଶ୍ଚୟ। ସୋମବାର ପୋଖରୀପୁଟସ୍ଥିତ କେଶରୀ ଭିଲ୍ଲାରେ ଘଟିଥିବା ଏଭଳି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

ସୂଚନାନୁସାରେ ୨୪ ନମ୍ବର ପ୍ଲଟ୍‌ରେ ରହୁଥିବା ମିନତୀ ପାଳଙ୍କ ଘରକୁ ସୋମବାର ଅପରାହ୍ଣ ପ୍ରାୟ ୩ ଟା ବେଳେ ଏକ ବିଶାଳ ନାଗ ପଶି ଆସିଥିଲା। ମିନତୀଙ୍କୁ ଦେଖି ନାଗଟି ଫଣା ଟେକି ଗର୍ଜନ କରିବାରୁ ସେ ବିକଳରେ ପାଟି କରିଥିଲେ। ତାଙ୍କ ଚିତ୍କାର ଶୁଣି ଘର ଭିତରୁ ୧୦ ମାସର ପୋଷା କୁକୁର ‘ଜେଡି’ ଝପଟି ଆସିଥିଲା। ମିନତୀ କିଛି କହିବା ପୂର୍ବରୁ ଜେଡି ନାଗକୁ କାମୁଡ଼ି ବାହାରକୁ ଫୋପାଡ଼ି ଦେଇଥିଲା। ସେତିକିରେ ଜେଡିର ରାଗ ଥମିନଥିଲା। ପୁଣି ନାଗ ପାଖକୁ ଧାଇଁ ଯାଇ କାମୁଡ଼ି ପକାଇଥିଲା। ନାଗଟି ବି ନିଜକୁ ବଞ୍ଚାଇବାକୁ ଯାଇ ଜେଡିକୁ ବାରମ୍ବାର ଦଂଶନ କରିଥିଲା। ପ୍ରାୟ ଅଧ ଘଣ୍ଟାର ଲଢ଼େଇ ପରେ ନାଗଟି ମରି ଯାଇଥିଲା। ଜେଡି ମଧ୍ୟ ସାପ ଦଂଶନରେ ମୁର୍ମୂଷ ଅବସ୍ଥାକୁ ଆସି ଯାଇଥିଲା। ତୁରନ୍ତ ଜେଡିକୁ ସହିଦନଗର ପ୍ରାଣୀ ଚିକିତ୍ସାଳୟକୁ ନିଆଯାଇଥିଲା, ହେଲେ ସେତେବେଳକୁ ଜେଡି ଆଉ ନଥିଲା।

ସମ୍ବନ୍ଧିତ ଖବର