ଚନ୍ଦ୍ରଶେଖରପୁର: ‘ଟମି’ ରନ୍ ଆଣ୍ଡ ‘ଗୋ ଦେୟାର’। ‘ସିଟ୍ ସାଇଲେଣ୍ଟ’। ପ୍ରଶିକ୍ଷକଙ୍କ ଏଭଳି ଇସାରାରେ ଚାଲୁଥିଲେ କୁକୁର। ରିଙ୍ଗ୍ରେ ଦେଖାଉଥିଲେ ଦକ୍ଷତା। ମାଲିକଙ୍କ ପାଦରେ ପାଦ ମିଶାଇ ଚାଲୁଥିଲେ। ବସ୍ କହିଲେ ବସୁଥିଲେ। ଉଠୁ କହିଲେ ଉଠୁଥିଲେ। ପାଟିରେ କାଠ ଧରି ମାଲିକିଆଣୀଙ୍କ ପାଖରେ ପହଞ୍ଚି ଯାଉଥିଲେ। କୁକୁରଙ୍କ ପ୍ରତିଟି ଷ୍ଟେପ୍କୁ ବି ବିଚାରକମାନେ ତୀକ୍ଷ୍ମ ଭାବେ ନଜର ରଖିଥିଲେ। ଏହା ଦର୍ଶକଙ୍କୁ ଭରପୂର ମନୋରଂଜନର ଖୋରାକ୍ ଯୋଗାଇଥିଲା। କୁକୁରମାନଙ୍କ ଏଭଳି କାରନାମା ଦେଖିବାକୁ ମିଳୁଛି କିଟ୍ ବିଶ୍ବବିଦ୍ୟାଳୟ ପରିସରରେ। ଓଡ଼ିଶା କେନେଲ କ୍ଲବ(ଓକେସି) ପକ୍ଷରୁ ଆରମ୍ଭ ହୋଇଥିବା ଡଗ୍ ସୋ’ର ଉଦ୍ଘାଟନୀ ଦିବସରେ ଦୁଇଟି ପର୍ଯ୍ୟାୟ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ‘ଓବିଡିଏନ୍ସ ଟ୍ରାଏଲ୍ସ’ରେ ଜର୍ମାନ ସେଫର୍ଡ, ଗୋଲ୍ଡେନ୍ ରେଟ୍ରିଭର, ବେଲିଜିଆନ୍ ମାଲିନଇସ, ଡୋବରମ୍ୟାନ, ଲାବ୍ରାଡର୍ ଭଳି ବିଭିନ୍ନ ପ୍ରଜାତିର ୨୫ଟି କୁକୁର ଭାଗ ନେଇଥିଲେ। ପ୍ରଶିକ୍ଷକ ତଥା ମାଲିକଙ୍କ ସହ ସେମାନେ ଭାଗନେଇ ବିଚାରକଙ୍କ ନଜରକୁ ଆସିଥିଲେ। ଓଡ଼ିଶା ସମେତ ବାହାର ରାଜ୍ୟରୁ ଆସିଥିବା କୁକୁରଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା।
କିଏ ବିଜୟର ମୁକୁଟ ପିନ୍ଧିବ ସମସ୍ତେ ଚାହିଁ ରହିଥିଲେ। ଏହି ପର୍ଯ୍ୟାୟରେ ଦୀର୍ଘ ସମୟ ଧରି ପ୍ରତିଯୋଗିତା ଚାଲିବା ପରେ ଜାମ୍ସେଦ୍ପୁର ଟାଟା ସ୍କ୍ବାଡ୍ରୁ ଆସିଥିବା କୁକୁର ‘ଦିୟା’କୁ ‘ବେଷ୍ଟ ଇନ୍ ସୋ’ ଭାବେ ମନୋନୀତ କରାଯାଇଥିଲା। ଗତ ଦୁଇ ବର୍ଷ ହେଲା ସେହି ଟାଟା ସ୍କ୍ବାଡ୍ରୁ ଆସି ‘ବେଷ୍ଟ ଇନ୍ ସୋ’ ହେଉଥିବା ‘ଜିନା’ ଉପରେ ସମସ୍ତଙ୍କ ନଜର ରହିଥିଲେ ମଧ୍ୟ ଏଥର କିନ୍ତୁ ନିରାଶ ହେବାକୁ ପଡ଼ିଥିଲା। ‘ଜିନା’ ଦ୍ୱିତୀୟ ସ୍ଥାନରେ ରହିଥିଲା। ଏହି ପର୍ଯ୍ୟାୟରେ ଚିତ୍ତରଞ୍ଜନ ପଟ୍ଟନାୟକ ବିଚାରକ ଭାବେ ଯୋଗଦେଇଥିଲେ। ଆଉ ଏକ ରିଙ୍ଗ୍ରେ ଚତୁର୍ଥ ଜିଏସ୍ଡି ସ୍ପେସିଆଲିଟି ସୋ’ ହୋଇଥିଲା। ଓକେସି ଓ ଜର୍ମାନ ସେଫର୍ଡ ଡଗ୍ କନ୍ଫେଡେରେସନ୍ କଳିଙ୍ଗ ଚାପ୍ଟରର ମିଳିତ ସହଯୋଗରେ ଆୟୋଜିତ ଏହି ସୋ’ରେ କେବଳ ଜର୍ମାନ ସେଫର୍ଡ ପ୍ରଜାତିର କୁକୁର ଭାଗ ନେଇଥିଲେ। ନାଗପୁର, ମୁମ୍ବାଇ, ହାଇଦ୍ରାବାଦ, ଦିଲ୍ଲୀ, ଲକ୍ଷ୍ନୌ, ଉଟ୍ଟି ଭଳି ଦେଶର ବିଭିନ୍ନ ସହରରୁ ୮୦ଟି ଜର୍ମାନ ସେଫର୍ଡ କୁକୁର ଏଥିରେ ଅଂଶଗ୍ରହଣ କରିଥିଲେ। ସୋ’ ପାଇଁ ଜର୍ମାନୀରୁ ବର୍ନଡ ଓ୍ବେବର ଓ ଇଟାଲୀରୁ ଗୁସେପି ପାଫୋନି ବିଚାରକ ଭାବେ ରହିଥିଲେ। ପ୍ରତିଯୋଗିତାର ବିଭିନ୍ନ ବିଭାଗରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଦୁଇଦିନ ଧରି ଚାଲିଥିବା ଥିବା ଏହି ସୋ’ ରବିବାର ଉଦ୍ଯାପିତ ହେବ।