ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ଅଞ୍ଚଳରେ କୁକୁର ବନ୍ଧ୍ୟାକରଣ ଓ ଟିକାକରଣ କାର୍ଯ୍ୟକ୍ରମ(ଏବିସି) ଆରମ୍ଭ ହୋଇଛି। ମେୟର ସୁଲୋଚନା ଦାସ ଆଜି ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି। କୁକୁରଙ୍କୁ ବନ୍ଧ୍ୟାକରଣ କରିବା ପାଇଁ ହାଇଦ୍ରାବାଦସ୍ଥିତ ଭେଟ୍ସ ସୋସାଇଟ୍ ଫର୍ ଆନିମଲ୍ ଵେଲ୍ଫେୟାର୍ ଆଣ୍ଡ୍ ରୁରାଲ୍ ଡେଭଲପ୍ମେଣ୍ଟ୍ ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଛି। ଏହି ସଂସ୍ଥା ପ୍ରତି ମାସରେ ପ୍ରାୟ ୨ ହଜାର ବୁଲାକୁକୁରଙ୍କର ବନ୍ଧ୍ୟାକରଣ କରିବ। ଏହି ପ୍ରକ୍ରିୟାରେ ଆଗାମୀ ୩ ବର୍ଷ ପାଇଁ ବନ୍ଧ୍ୟାକରଣ କରାଯିବ। ଫଳରେ ସହରରୁ ବୁଲାକୁକୁରଙ୍କର ସଂଖ୍ୟା କମିବ। ତା ସହ ବୁଲାକୁକୁର କାମୁଡ଼ା, ସଡ଼କ ଦୁର୍ଘଟଣା ଓ ସେମାନଙ୍କ ଦ୍ୱାରା ବ୍ୟାପୁଥିବା ଜଳାତଙ୍କ ରୋଗ ହ୍ରାସ କରାଯାଇପାରିବ। ବିଏମ୍ସିର ସମସ୍ତ ୬୭ଟି ଵାର୍ଡରେ ପୂର୍ବପରି ବୁଲାକୁକୁର ଗଣନା କରାଯିବ। ଏହି କାର୍ଯ୍ୟରେ ସ୍ୱଚ୍ଛସାଥୀମାନେ ସହାୟତା କରିବେ। ଏହି ସମସ୍ତ କାର୍ଯ୍ୟକୁ ବିଏମ୍ସିର ପ୍ରାଣୀ ଚିକିତ୍ସକମାନେ ତଦାରଖ କରିବେ। ଏଣୁ ଗଣନାରେ କର୍ମଚାରୀମାନଙ୍କୁ ଜନସାଧାରଣ ସହଯୋଗ କରିବାକୁ ମେୟର ସୁଲୋଚନା ଦାସ ନିବେଦନ କରିଛନ୍ତି।
ବିଏମ୍ସି ମୁଖ୍ୟାଳୟରେ ଆଜି ଶ୍ୱାନ ଉଦ୍ଧାର ଯାନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ମେୟର ଶ୍ରୀମତୀ ଦାସ। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାର, ଗ୍ରିଭାନ୍ସ ଆଣ୍ଡ ସୋସିଆଲ ଜଷ୍ଟିସ୍ ବିନୟିନୀ ଜେନା, ଅତିରିକ୍ତ କମିସନର ରତ୍ନାକର ସାହୁ, କୈଳାସ ଚନ୍ଦ୍ର ଦାସ, କର୍ପୋରେଟର ରାମଚନ୍ଦ୍ର ରଣସିଂହ, ରଶ୍ମିରଂଜନ ପାଟ୍ଟଶାଣୀ, ଉପାୟୁକ୍ତ ରଶ୍ମିରେଖା ପ୍ରଧାନଙ୍କ ସମେତ ବହୁ ଅଧିକାରୀ ଓ କୁକୁର ଧରା ସଂସ୍ଥାର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
ଶ୍ୱାନ ଉଦ୍ଧାର ଯାନକୁ ପତାକା ଦେଖାଇ ଶୁଭାରମ୍ଭ
ପ୍ରତି ମାସରେ ୨ ହଜାର କୁକୁରଙ୍କ ବନ୍ଧ୍ୟାକରଣ
୨୦୧୯ରେ ହୋଇଥିବା କୁକୁର ଗଣନା ଅନୁଯାୟୀ ଭୁବନେଶ୍ୱରରେ ୭୦ ହଜାର ବୁଲାକୁକୁର ରହିଥିଲେ। ଇତି ମଧ୍ୟରେ ଏହି ସଂଖ୍ୟା ବୃଦ୍ଧି ପାଇଛି। କୁକୁର ବଂଶ ବୃଦ୍ଧି ଯୋଗୁ ସହରରେ ରାସ୍ତା ଦୁର୍ଘଟଣା ଓ କୁକୁରକାମୁଡ଼ା ରୋଗୀଙ୍କ ବୃଦ୍ଧି ପାଇଛି। ବନ୍ଧ୍ୟାକରଣ ପାଇଁ ମଞ୍ଚେଶ୍ୱରସ୍ଥିତ ଶ୍ୱାନ ବନ୍ଧ୍ୟାକରଣ କେନ୍ଦ୍ରରେ ୨୫୦ ଡଗ୍ କେନେଲ ଓ ୫ଟି ଅତ୍ୟାଧୁନିକ ଅସ୍ତ୍ରୋପଚାର କକ୍ଷ ରହିଛି। କୁକୁରଙ୍କୁ ଧରିବା ପାଇଁ ଜାଲର ବ୍ୟବହାର କରିବା, ରୋଗଗ୍ରସ୍ତ କୁକୁରଙ୍କୁ ନ ଧରିବା, ଖାଦ୍ୟ ପ୍ରଦାନ, ଅସ୍ତ୍ରୋପଚାର ପରେଆଣିଥିବା ସ୍ଥାନରେ ନେଇ ଛାଡ଼ିବା ଆଦି କାମ କଡ଼ାକଡ଼ି ପାଳନ କରାଯିବ ବୋଲି ଜଣାପଡ଼ିଛି।
ବର୍ଷେ ହେବ ବନ୍ଦ ଥିଲା
ସହରରେ କୁକୁରଙ୍କୁ ନେଇ ଅଘଟଣ ବଢ଼ିବାରେ ଲାଗିଛି। କିଛି ଦିନ ତଳେ ଜନ୍ମ ହୋଇଥିବା ଛୁଆ ରାସ୍ତାରେ ବୁଲୁଥିବାରୁ ଦୁର୍ଘଟଣା ଘଟୁଛି। କୁକୁରଙ୍କୁ ବଞ୍ଚେଇବାକୁ ଯାଇ ଗାଡ଼ିଚାଳକ ଦୁର୍ଘଟଣାର ଶିକାର ମଧ୍ୟ ହେଉଛନ୍ତି। ମାସକୁ ୭ଶହ କୁକୁର କାମୁଡ଼ା ଇଞ୍ଜେକ୍ସନ ଦିଆଯାଉଥିବା ସରକାରୀ ରେକର୍ଡ କହୁଛି। ଏହାକୁ ରୋକିବା ପାଇଁ ଭାରତୀୟ ପ୍ରାଣୀ ମଙ୍ଗଳ ପରିଷଦ(ଆନିମଲ ୱେଲ୍ଫେୟାର ବୋର୍ଡ ଅଫ୍ ଇଣ୍ଡିଆ)ର ପ୍ରୋଜେକ୍ଟ ରେକଗ୍ନାଇଜେସନ ସାର୍ଟିଫିକେଟ୍ (ପିଆରସି) ନମିଳିବାରୁ ଭୁବନେଶ୍ବରରେ କୁକୁର ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଥିଲା। ବନ୍ଧ୍ୟାକରଣ କରୁଥିବା ଠିକା ସଂସ୍ଥା 'ଭେଟ୍ସ୍ ଫର ଆନିମଲ୍ସ' ପେଡ଼ିପୁଟୁଳି ବାନ୍ଧି ମହାରାଷ୍ଟ୍ର ଫେରିଯାଇଥିଲା। ପିଆର୍ସି ନଥିବାରୁ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ହୋଇପାରୁ ନଥିଲା। ପିଆର୍ସି ନମିଳିବାରୁ ଗତ ବର୍ଷ ମେ ମାସରୁ ପ୍ରକଳ୍ପ ବନ୍ଦ ହୋଇଥିଲା।