ଧିମେଇଯାଇଛି କୁକୁର ବନ୍ଧ୍ୟାକରଣ: ମାସିକ ଟାର୍ଗେଟ୍ ୨ହଜାର, ହେଉଛି ୫୦୦, ୩ ମାସରେ ବନ୍ଧ୍ୟାକରଣ ହୋଇଛନ୍ତି ୧୪୫୬

ରାଜଧାନୀରେ ବୁଲାକୁକୁର ଏକ ବଡ଼ ସମସ୍ୟା ଭାବେ ମୁଣ୍ଡ ଟେକିଛି। ରାତିରେ ଏକୁଟିଆ ଗଲେ ଝୁଣି ପକାଉଛନ୍ତି। ଗାଡ଼ିରେ ଯିବାବେଳେ ଏଭଳି ଗୋଡ଼ାଉଛନ୍ତି ଯେ ଚାଳକ ଦୁର୍ଘଟଣାରେ ମୃତାହତ ହେଉଛନ୍ତି।

dog fff

ଭୁବନେଶ୍ବର: ରାଜଧାନୀରେ ବୁଲାକୁକୁର ଏକ ବଡ଼ ସମସ୍ୟା ଭାବେ ମୁଣ୍ଡ ଟେକିଛି। ରାତିରେ ଏକୁଟିଆ ଗଲେ ଝୁଣି ପକାଉଛନ୍ତି। ଗାଡ଼ିରେ ଯିବାବେଳେ ଏଭଳି ଗୋଡ଼ାଉଛନ୍ତି ଯେ ଚାଳକ ଦୁର୍ଘଟଣାରେ ମୃତାହତ ହେଉଛନ୍ତି। ଗାଡ଼ିମୋଟର ସିଟ୍, କଭର ବି ଭିଡ଼ି ଚିରି ଦେଉଛନ୍ତି। ଉଦ୍‌ବେଗଜନକ ଥିଲା, ଯେବେ ଡାକ୍ତରଖାନାରୁ ନବଜାତକୁ ବୁଲା କୁକୁର ଭିଡ଼ି ନେଇ ଝୁଣି ପକାଇଥିଲେ। ସେବେଠୁ ଭୁବନେଶ୍ବର ମହାନଗର ନିଗମ ଏବିସି(ଆନିମଲ୍ ବାର୍ଥ କଣ୍ଟ୍ରୋଲ) ଅଭିଯାନ ଜରିଆରେ ବୁଲାକୁକୁର ବନ୍ଧ୍ୟାକରଣକୁ ଜୋର ଦେଇଛି। କିନ୍ତୁ ଏହି ଲକ୍ଷ୍ୟ ବିଶେଷ ଫଳପ୍ରଦ ହୋଇପାରୁନି। ଏବେ ବି ମାଳମାଳ ବୁଲା କୁକୁର ସାହି ଗଳିକନ୍ଦିରେ ପଇଁତରା ମାରୁଛନ୍ତି। ଏବେ ବୁଲା କୁକୁରଙ୍କୁ ସଂପୂର୍ଣ୍ଣ ହଟାଇବା ଉପରେ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ରାଜଧାନୀର କୁକୁର ସମସ୍ୟା ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଛି।
ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଚଳିତବର୍ଷଠାରୁ ହାଇଦ୍ରାବାଦ୍‌ର ଭେଟ୍‌ସ ସୋସାଇଟି ଫର୍ ଆନିମଲ୍ ୱେଲ୍‌ଫେୟାର ଆଣ୍ଡ୍ ରୁରାଲ୍ ଡେଭ୍‌ଲପ୍‌ମେଣ୍ଟ(ଭିଏସ୍ଏଡବ୍ଲ୍ୟୁଆର୍‌ଡି) ସଂସ୍ଥା ଜରିଆରେ କୁକୁର ବନ୍ଧ୍ୟାକରଣ ଅଭିଯାନର ଆରମ୍ଭ କରିଛି। ଗତ ମେ ମାସ ୧୬ ତାରିଖରୁ ଏହି ଅଭିଯାନ ଆରମ୍ଭ ହେଲାଣି। କିନ୍ତୁ ଯେଉଁ ଟାର୍ଗେଟ୍ ଥିଲା, ତାହା ସଂସ୍ଥାହାସଲ କରି ପାରିନି। ମାସିକ ୨ହଜାର ବୁଲା କୁକୁରଙ୍କ ବନ୍ଧ୍ୟାକରଣର ଲକ୍ଷ୍ୟ ରଖାଯାଇଥିବାବେଳେ ମାତ୍ର ୪ଶହରୁ ୫ଶହ କୁକୁର ବନ୍ଧ୍ୟାକରଣ ହେଉଛି। ୩ ମାସରେ ସଂପୃକ୍ତ ସଂସ୍ଥା ମାତ୍ର ୧୪୫୬ଟି ବୁଲାକୁକୁରଙ୍କ ବନ୍ଧ୍ୟାକରଣ କରିଛି।

ଅଦ୍ୟାବଧି ବିଏମ୍‌ସିରେ କୁକୁର ଗଣନା ଆରମ୍ଭ ହୋଇନି। କିନ୍ତୁ ସମୁଦାୟ ଜନସଂଖ୍ୟାର ୪ ପ୍ରତିଶତ କୁକୁର ବୋଲି ପୂର୍ବରୁ ଏକ ଆକଳନ କରାଯାଇଛି। ବିଏମ୍‌ସିର ଜନସଂଖ୍ୟା ପ୍ରାୟ ୧୫ଲକ୍ଷ। ଏଣୁ ଏଠାରେ ପ୍ରାୟ ୭୦ହଜାର କୁକୁର ଅଛନ୍ତି ବୋଲି ଆକଳନ କରାଯାଇଛି। ବନ୍ଧ୍ୟାକରଣ ପାଇଁ ଭିଏସ୍ଏଡବ୍ଲ୍ୟୁଆର୍‌ଡି ସହ ବିଏମ୍‌ସିର ୩ ବର୍ଷର ଚୁକ୍ତି ହୋଇଛି। ୩ ବର୍ଷ ଭିତରେ ସମସ୍ତ ବୁଲାକୁକୁରଙ୍କ ବନ୍ଧ୍ୟାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଯେହେତୁ ରାଜଧାନୀରେ ପ୍ରାୟ ୭୦ହଜାର ବୁଲା କୁକୁର ଥିବା ଆକଳନ କରାଯାଉଛି, ତେଣୁ ମାସିକ ୨ହଜାର ବୁଲା କୁକୁରଙ୍କ ବନ୍ଧ୍ୟାକରଣର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। କୁକୁର ବନ୍ଧ୍ୟାକରଣ ପିଛା ୧୬୫୦ ଟଙ୍କା ସଂପୃକ୍ତ ସଂସ୍ଥାକୁ ଦିଆଯାଉଛି। ଯେଉଁଥିରେ ପରିବହନ ଖର୍ଚ୍ଚ ୨ଶହ ଟଙ୍କା ଏବଂ ଅସ୍ତ୍ରୋପଚାର, ଅସ୍ତ୍ରୋପଚାର ପରେ ୫ ଦିନର ରହଣୀ ସମୟରେ ଖାଦ୍ୟ, ଔଷଧ ଆଦି ପାଇଁ ବାକି ଟଙ୍କା ପ୍ରଦାନ କରାଯାଉଛି। ମଞ୍ଚେଶ୍ବର କୁକୁର ବନ୍ଧ୍ୟାକରଣ କେନ୍ଦ୍ରରେ ବୁଲାକୁକୁରଙ୍କ ଅସ୍ତ୍ରୋପଚାର କରାଯାଉଛି। ଅସ୍ତ୍ରୋପଚାର ପରେ ଏକକାଳୀନ ୩୫୦ କୁକୁର ଏଠାରେ ରହି ପାରିବାର ବ୍ୟବସ୍ଥା ରହିଛି। ପ୍ରତିଦିନ ୭୦ଟି କୁକୁର ଅସ୍ତ୍ରୋପଚାରର ଭିତ୍ତିଭୂମି ରହିଛି।

ବନ୍ଧ୍ୟାକରଣ ଅଭିଯାନ ତଦାରଖ ପାଇଁ ଜଣେ ପ୍ରାଣୀ ଚିକିତ୍ସକ ନୋଡାଲ୍ ଅଧିକାରୀ ଓ ଅନ୍ୟ ଜଣେ ପ୍ରାଣୀ ଚିକିତ୍ସକ ପ୍ରକଳ୍ପ ଇନ୍‌ଚାର୍ଜ ଅଛନ୍ତି। ଏକ ୫ଜଣିଆ ମନିଟରିଂ କମିଟି ବି ରହିଛି। ଯେଉଁଥିରେ କମିସନର୍ ଅଧ୍ୟକ୍ଷ, ସିଟି ସ୍ବାସ୍ଥ୍ୟ ଅଧିକାରୀ, ଏସ୍‌ପିସିଏ(ସୋସାଇଟି ଫର୍ ଦି ପ୍ରିଭେନ୍‌ସନ୍ ଅଫ୍ କ୍ରୁଏଲ୍‌ଟି ଟୁ ଆନିମଲ୍‌ସ) ଜିଲ୍ଲା ଅଧିକାରୀ, ସଂପୃକ୍ତ ଅଞ୍ଚଳର ପ୍ରାଣୀ ଚିକିତ୍ସକ, ପ୍ରାଣୀ ସଂପଦ ବିଭାଗର ନିର୍ଦ୍ଦେଶକଙ୍କ ଜଣେ ପ୍ରତିନିଧି କମିଟିର ସଦସ୍ୟ ରହିଛନ୍ତି। କମିଟି ସହ ନୋଡାଲ୍ ଅଧିକାରୀ ଓ ପ୍ରକଳ୍ପ ଅଧିକାରୀ ବନ୍ଧ୍ୟାକରଣ କାମ ଠିକ୍‌ରେ ଚାଲୁଛି କି ନାହିଁ, ଅନୁଧ୍ୟାନ କରିବେ। ଆବଶ୍ୟକ ନିର୍ଦ୍ଦେଶ ଦେବେ। କିନ୍ତୁ ବନ୍ଧ୍ୟାକରଣ ମନ୍ଥର ଚାଲିଥିଲେ ବି କମିଟି ସ୍ଥିତି ଅନୁଧ୍ୟାନ କରୁନି କି କାର୍ଯ୍ୟକୁ ତ୍ବରାନ୍ବିତ କରିବା ଦିଗରେ ସେଭଳି କୌଣସି ଚିଠି କରି ନିର୍ଦ୍ଦେଶ ଦେଇନି।

ବିଏମ୍‌ସି କର୍ତ୍ତୃପକ୍ଷ କହିଛନ୍ତି, ବର୍ଷା କାରଣରୁ କୁକୁରଙ୍କୁ ଧରିବା ଓ ଅସ୍ତ୍ରୋପଚାର କରିବାରେ ଅସୁବିଧାର ହେଉଛି। ବର୍ଷାରେ ଅସ୍ତ୍ରୋପଚାର କଲେ, ସଂକ୍ରମଣର ଭୟ ରହୁଛି। ଏଣୁ ଦିନକୁ ୩୦ରୁ ୪୦ଟି ବୁଲା କୁକୁରଙ୍କ ଅସ୍ତ୍ରୋପଚାର କରାଯାଉଛିଛି। ଅଗଷ୍ଟରେ ୯ ଦିନରେ ୬୭ଟି କୁକୁର ବନ୍ଧ୍ୟାକରଣ ହୋଇଛନ୍ତି। ୨୫, ୨୭ ଓ ୫୧ ନମ୍ବର ୱାର୍ଡରେ ବୁଲାକୁକୁର ବନ୍ଧ୍ୟାକରଣ ସଂପୂର୍ଣ୍ଣ ହୋଇସାରିଛି। ବର୍ଷା ପରେ କାର୍ଯ୍ୟରେ ତତ୍ପରତା ଦେଖାଦେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe