ଭୁବନେଶ୍ୱର: ୨୦୦୮ ମସିହାରୁ ରାଜଧାନୀରେ ଏବିସି (ଆନିମଲ ବାର୍ଥକଣ୍ଟ୍ରୋଲ) କାର୍ଯ୍ୟକ୍ରମ ଚାଲିଥିଲେ ମଧ୍ୟ ଏହା ସଫଳ ହେଉନାହିଁ। ଏହି କାର୍ଯ୍ୟକ୍ରମ ଅଧୀନରେ ଯେତିକି କୁକୁରଙ୍କ ବନ୍ଧ୍ୟାକରଣ ହେଉଛି, ତା’ଠାରୁ ଯଥେଷ୍ଟ ଅଧିକ କୁକୁର ରାଜଧାନୀ ରାଜରାସ୍ତାରେ ବୁଲୁଛନ୍ତି। ତେବେ କର୍ମଚାରୀ ଅଭାବରୁ ଏହି ଯୋଜନା ସଫଳ ହେଉନଥିବାରୁ ସରକାର କର୍ମଚାରୀଙ୍କ ସଂଖ୍ୟା ବଢ଼ାଇଛନ୍ତି। ଏହି ଏବିସି ଓ ଆନିମଲ ହେଲ୍ପଲାଇନ୍‌ କାର୍ଯ୍ୟକ୍ରମରେ ୪ ପ୍ରାଣୀ ଡାକ୍ତରଙ୍କ ସମେତ ୪ ପାରାଭେଟ୍‌, ୩ କାର୍ଯ୍ୟକ୍ରମ ସଂଯୋଜକ, ୩ ଆସିଷ୍ଟାଣ୍ଟ ଓ ୨ ଆଟେଣ୍ଡାଣ୍ଟ ନିଯୁକ୍ତି ପାଇଛନ୍ତି। ଏମାନଙ୍କୁ ଏବେ ପ୍ରଶିକ୍ଷଣ ଦିଆଯାଉଛି। ଦିନକୁ ଅତି କମ୍‌ରେ ୩୦ଟି କୁକୁର ଧରି ଟିକାକରଣ ସହ ବନ୍ଧ୍ୟାକରଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏଣୁ କମ୍‌ ଦିନ ମଧ୍ୟରେ ଶତପ୍ରତିଶତ ଟିକାଦାନ ସହ ଆବଶ୍ୟକ ସଂଖ୍ୟାର କୁକୁରଙ୍କର ଟିକାକରଣ କରାଯାଇପାରିବ ବୋଲି ବିଏମ୍‌ସି କହିଛି।

Advertisment

ପ୍ରତିଦିନ ସକାଳ ୫ଟାରୁ ବୁଲା କୁକୁର ଧରା ଅଭିଯାନ ଆରମ୍ଭ ହେବ। ଦୁଇଟି ଟିମ୍ ୱାର୍ଡରୁ ୱାର୍ଡ ବୁଲି କୁକୁରଙ୍କୁ ଧରିବେ। ପ୍ରତ୍ୟେକ ଟିମ୍‌ରେ ଜଣେ ଡାକ୍ତର, ଦୁଇ ଜଣ ଧରାଳି, ଜଣେ ସହାୟକ ଏବଂ ଜଣେ ଡ୍ରାଇଭର୍‌ ରହିବେ। ପ୍ରତ୍ୟେକ କାର୍ଯ୍ୟ ଦିବସରେ ଏହି ଟିମ୍ କାମ କରିବ। ମାସକୁ ପ୍ରାୟ ୨୦ଦିନ ଏହି ଟିମ୍ ବୁଲି ବୁଲି କୁକୁର ଧରିବ। ମାସକରେ ୬୦୦କୁକୁର ଧରି ଅସ୍ତ୍ରୋପଚାର କରିବାକୁ ଯୋଜନା ଅଛି। ଏ ନେଇ ବିଏମ୍‌ସି ଆନିମଲ ହେଲ୍ପ ଲାଇନ୍‌ନମ୍ବର ଜାରି କରିଛି। କୁକୁରଙ୍କ ସମେତ ଅନ୍ୟ ଯେକୌଣସି ପ୍ରାଣୀଙ୍କୁ ନେଇ ସମସ୍ୟା ଥିଲେ ବିଏସ୍‌ସିଏଲ୍‌ର ୨୪ ଘଣ୍ଟିଆ ନମ୍ବର ଦେୟମୁକ୍ତ ୧୯୨୯ ଓ ୧୮୦୦୩୪୫୭୪୫୮ ନମ୍ବର କିମ୍ବା ଦେୟଯୁକ୍ତ ୦୬୭୪-୨୫୪୦୯୨୪ରେ ଯୋଗାଯୋଗ କରିବାକୁ ବିଏମ୍‌ସି ପକ୍ଷରୁ କୁହାଯାଇଛି।