ଦୁଇ ବର୍ଷ ମଧ୍ୟରେ ଶେ‌ଷ ହେବ କୁକୁର ବନ୍ଧ୍ୟାକରଣ

ଭୁବନେଶ୍ବର, ୧୪।୯(ଇମିସ): ଦୀର୍ଘ ୧୪ ବର୍ଷ ଧରି ଭୁବନେଶ୍ବରରେ ଆନିମଲ ବାର୍ଥ କଣ୍ଟ୍ରୋଲ(ଏବିସି) କର୍ଯ୍ୟକ୍ରମ ଚାଲିଥିଲେ ମଧ୍ୟ ସଫଳ ହେଉ ନାହିଁ। କେବଳ ସଫଳ ହେଉ ନାହିଁ ତାହା ନୁହେଁ, ବାରଣ୍ଡାରେ କୁକୁରଙ୍କୁ ନୃଶଂସ ଭାବରେ ଅପରେସନ କରିବାକୁ ନେଇ ଜାତୀୟସ୍ତରରେ ନିନ୍ଦିତ ହୋଇଛି ବିଏମ୍‌ସି। ଏଣୁ ଏହି କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିବା ସହ ଧାର୍ଯ୍ୟ ସମୟରେ ସହରରେ ଥିବା କୁକୁରଙ୍କର ବନ୍ଧ୍ୟାକରଣ ସହ ନିୟମିତ ଟିକାକରଣ କରିବାକୁ ଯୋଜନା କରିଛି ବିଏମ୍‌ସି। ଜାତୀୟସ୍ତରର ଏଜେନ୍‌ସି ଜରିଆରେ ଏହି ବନ୍ଧ୍ୟାକରଣ କାର୍ଯ୍ୟକମ କରିବାକୁ ଯାଉଛି। ଏଥିପାଇଁ ଗ୍ଲୋବାଲ୍‌ ଟେଣ୍ଡର ଡକାଯାଇଛି। ୨୬ ତାରିଖ ଟେଣ୍ଡର ଆବେଦନ ଶେଷ ତାରିଖ ରହିଛି। ଆସନ୍ତାକାଲି ବା ଗୁରୁବାର ଦିନ ପ୍ରି’ ବିଡ୍‌ ବୈଠକ ବସିବ। ଏଥିରେ ଏହି କାର୍ଯ୍ୟକ୍ରମ ବାବଦରେ ସମସ୍ତ ସୂଚନା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ପୂର୍ବରୁ କୁକୁର ପିଛା ଖର୍ଚ୍ଚ ୫ଶହ ଟଙ୍କା ରହିଥିବା ବେଳେ ଏଥର ଏହି ଖର୍ଚ୍ଚକୁ ୧୬୫୦ କରାଯାଇଛି।
୨୦୧୪ ମସିହାରୁ ସହିଦନଗର ପ୍ରାଣୀଧନ ଚିକିତ୍ସାଳୟଠାରେ ଏହି କୁକୁର ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ଚାଲିଛି। କରୋନା କାଳରେ ବନ୍ଧ୍ୟାକରଣ ବନ୍ଦ ହୋଇଯିବାରୁ କୁକୁରଙ୍କ ସଂଖ୍ୟା ବଢ଼ି ଯାଇଛି। ପୂର୍ବରୁ ରାଜଧାନୀରେ ୬୦ ହଜାର କୁକୁର ଥିବା ବିଏମ୍‌ସି ଆକଳନ କରିଥିବା ବେଳେ ଏହି ସଂଖ୍ୟା ଏବେ ୭୫ ହଜାର ଛୁଇଁବ ବୋଲି ଆଶଙ୍କା କରାଯାଉଛି।

ବିଏମ୍‌ସି ଡାକିଲା ଗ୍ଲୋବାଲ୍‌ ଟେଣ୍ଡର
ଆଜି ପ୍ରି ବିଡ୍‌ ବୈଠକ
କୁକୁର ପିଛା ଖର୍ଚ୍ଚ ବଢ଼ିଲା ୧୧୫୦

ଏଣୁ ଏହି ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ତ୍ବରାନ୍ବିତ ନ ହେଲେ କୁକୁର ରାଜଧାନୀରେ ନୂଆ ବିପଦ ହୋଇ ଛିଡ଼ା ହେବେ। ଏହାକୁ ଆଖି ଆଗରେ ରଖି ଦୁଇ ବର୍ଷ ମଧ୍ୟରେ ଅତି କମ୍‌ରେ ୮୦ ପ୍ରତିଶତ କୁକୁରଙ୍କର ବନ୍ଧ୍ୟାକରଣ କରିବାକୁ ଯୋଜନା କରି ବିଏମ୍‌ସି ଏହି ଗ୍ଲୋବାଲ୍‌ ଟେଣ୍ଡର ଡାକିଥିବା ଜଣାପଡ଼ିଛି। ଅଭିଜ୍ଞ ଏନ୍‌ଜିଓଙ୍କୁ ଏଥିରେ ନିୟୋଜିତ କରାଯିବ। ବିଗତ ତିନିବର୍ଷ ମଧ୍ୟରେ ଅତି କମ୍‌ରେ ସଂସ୍ଥା କେନ୍ଦ୍ର କିମ୍ବା‌ ରାଜ୍ୟ ସରକାରଙ୍କ ଅଧୀନରେ ଦୁଇବର୍ଷ ଏଭଳି କାର୍ଯ୍ୟକ୍ରମ କରିଥିବ। ୨୦୧୮ରୁ ୨୦୨୧ ମଧ୍ୟରେ ଯେ କୌଣସି ବର୍ଷ ସଂସ୍ଥାର ଟର୍ଣ୍ଣ ଓଭର ୧୦ ଲକ୍ଷରୁ ଊର୍ଦ୍ଧ୍ବ ଥିବ। ଏଭଳି ଦକ୍ଷ ସଂସ୍ଥା ଚୟନ କରାଯାଉଥିବାରୁ ଏଥର କାର୍ଯ୍ୟକ୍ରମ ସଫଳ ହେବ ବୋଲି ବିଏମ୍‌ସି ଆଶା ବାନ୍ଧିଛି।

ଅନ୍ୟ ପଟେ ପୂର୍ବରୁ କୁକୁର ପିଛା ୫ଶହ ଟଙ୍କା ଖର୍ଚ୍ଚ ରହଥିଲା। କିନ୍ତୁ କୁକୁରଙ୍କୁ ଧରିବା, ବନ୍ଧ୍ୟାକରଣ ବା ଟିକାକରଣ କରିବା, ୩ ଦିନ ଧରି ଯତ୍ନ ନେବା, ପୁଣି ନେଇ ଧରା ଯାଇଥିବା ଜାଗାରେ ଛାଡ଼ିବା ସମ୍ଭବ ହେଉନଥିବା ଅଭିଯୋଗ ହୋଇଥିଲା। ଏଣୁ ଏଥର ଏହି ମୂଲ୍ୟ କୁକୁର ପିଛା ୧୧୫୦ ଟଙ୍କା ବଢ଼ା ଯାଇଛି। କୁକୁର ପିଛା ଏଥର ଏନ୍‌ଜିଓକୁ ୧୬୫୦ ଟଙ୍କା ଦିଆଯିବ ବୋଲି ବିଏମ୍‌ସି ସୂଚନା ଦେଇଛି। ଏଥିରେ କୁକୁରଙ୍କୁ ଧରିବା ଓ ଅପରେସନ ପରେ ଛାଡ଼ିବା ପାଇଁ ୨ଶହ ରହିଥିବା ବେଳ‌େ ଅପରେସନ ପୂର୍ବରୁ ଓ ପରେ ହେଉଥିବା‌ ବିଭିନ୍ନ ଖର୍ଚ୍ଚ ପାଇଁ ୧୪୫୦ ରହିଛି।
ସଂସ୍ଥା ମାସକୁ ଅତି କମ୍‌ରେ ୫ଶହ କୁକୁରଙ୍କର ବନ୍ଧ୍ୟା କରଣ ଓ ଟିକାକରଣ କରିବାକୁ ଚୁକ୍ତି ରହିଛି।

ଏହି ଧାର୍ଯ୍ୟ ସଂଖ୍ୟାରୁ କମ୍‌ କଲେ ସଂସ୍ଥାକୁ ଜରିମାନା ଦେବାକୁ ପଡ଼ିବ। ୫ଶହ କୁକୁରରୁ ଯେତିକି କମ୍‌ ହେବ ସେହି କୁକୁର ପିଛା ୨ଶହ ଲେଖାଏଁ ଜରିମାନା ଦେବ। ସେହିଭଳି ଏବିସି କାର୍ଯ୍ୟକ୍ରମର ନିର୍ଦ୍ଦେଶାବଳୀ ପାଳନ ନ କଲେ ଅନୁପାଳନ ନ ହେଲେ ସଂସ୍ଥା ୫ ହଜାର ଟଙ୍କା ଜରିମାନା ଦେବ। ଉଲ୍ଲେଖଯୋଗ୍ୟ, ପୂର୍ବରୁ ମାସକୁ ପ୍ରାୟ ୨୦୦ଟି କୁକୁରଙ୍କ ଅପରେସନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ହେଲେ ସର୍ବାଧିକ ଶହେ କୁକୁରଙ୍କୁ ହୋଇ ପାରୁଥିଲା। ଅର୍ଥାତ୍‌ ବର୍ଷକୁ ୧୨୦୦ କୁକୁର ବନ୍ଧ୍ୟାକରଣ ହୋଇପାରୁଥିଲା। କିନ୍ତୁ ବର୍ଷକୁ ପ୍ରାୟ ୩୦୦୦ କୁକୁର ଛୁଆ ଜନ୍ମ ହେଉଥିଲେ। ଏଣୁ କୁକୁରଙ୍କ ସଂଖ୍ୟା ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି।

ସମ୍ବନ୍ଧିତ ଖବର