ପଟିଆ-ଇନ୍ଫୋସିଟି ରାସ୍ତାପାର୍ଶ୍ବରେ ଖୋଲିଥିବା ଖାଓଗଳିକୁ ଯାଉଛନ୍ତି କି? ତାହେଲେ ସାବଧାନ! ସାଙ୍ଗରେ ବାଡ଼ି ନେଇ ଯାଆନ୍ତୁ। ସତର୍କତାର ସହ ଖାଦ୍ୟ ଖାଆନ୍ତୁ। ଟିକିଏ ଅନ୍ୟମନସ୍କ ହେଲେ ପ୍ଲେଟ୍ରୁ ଖାଦ୍ୟ ନେଇଯିବେ ବୁଲା କୁକୁର। ଯଦି ଫୁଟପାଥ୍ରେ ବସି ଖାଉଥାନ୍ତି, ତେବେ ମୁହଁରେ ମୁହଁ ଲଗାଇଦେବେ। କେବଳ ଏହି ଗୋଟିଏ ରାସ୍ତା ନୁହେଁ, ମାଗନାଇଟ୍ ଛକରୁ କିଟ୍ ରୋଡକୁ ସଂଯୋଗ କରୁଥିବା ରାସ୍ତାପାର୍ଶ୍ବରେ ମଧ୍ୟ ବୁଲା କୁକୁର ହାଉଯାଉ। ତେଣୁ ଏହି ରାସ୍ତାରେ ଯିବା ସମୟରେ ସତର୍କତା ଅବଲମ୍ବନ ନ କଲେ କୁକୁର କାମୁଡ଼ିବା ଏକପ୍ରକାର ଥୟ।
ଗତ ୬ ମାସରେ ଇନ୍ଫୋସିଟି ଥାନା ଅଞ୍ଚଳରେ ୨୦ରୁ ଅଧିକ ଲୋକ କୁକୁର କାମୁଡ଼ାର ଶିକାର ହୋଇଥିବା ବେଳେ ମୈତ୍ରୀବିହାର ଥାନା ଅଧୀନରେ ୨୨ ଓ ଚନ୍ଦ୍ରଶେଖପୁର ଥାନା ଅଧୀନରେ ୧୦ରୁ ଅଧିକ ଲୋକ କୁକୁର କାମୁଡ଼ାର ଶିକାର ହୋଇଛନ୍ତି। ସମସ୍ୟା ଦିନକୁ ଦିନ ଜଟିଳ ହେଉଥିବାରୁ ସ୍ଥାନୀୟ ଲୋକେ ବାରମ୍ବାର ବିଏମ୍ସି ନିକଟରେ ଗୁହାରି କରିଛନ୍ତି। ତେବେ ଏ ପର୍ଯ୍ୟନ୍ତ କିଛି ବି ସୁଫଳ ମିଳିନି, ବରଂ ସମସ୍ୟା ବଢ଼ୁଛି। ଏହା ସହିତ ପ୍ରତିଦିନ ଏହି ୩ ଥାନା ଅଞ୍ଚଳରେ ଗୋଟିଏ ଯୋଡ଼ିଏ କୁକୁର ଗାଡ଼ି ଧକ୍କାରେ ମଧ୍ୟ ମରୁଛନ୍ତି। କୁକୁର-ମଣିଷ ଲଢ଼େଇ କଥା ନ କହିବା ଭଲ। କିଛି ମାସ ତଳେ ମୈତ୍ରୀ ବିହାର ଥାନା ଅଞ୍ଚଳରେ କୁକୁରଙ୍କ ଉତ୍ପାତରୁ ରକ୍ଷା ପାଇବାକୁ ବିଡିଏ କଲୋନିରେ କେହି ଦୁର୍ବୃତ୍ତ ଖାଦ୍ୟରେ ବିଷ ଦେଇ ୪ଟି କୁକୁରଙ୍କୁ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଶୈଳଶ୍ରୀବିହାର ଜଗନ୍ନାଥ ରୋଡ୍ରେ କୁକୁରକୁ କାର୍ ଚଢ଼ାଇ ମାରିଥିବା ନେଇ ପଶୁପ୍ରେମୀଙ୍କ ଅଭିଯୋଗ ଆଧାରରେ ଜଣେ ଗାଡ଼ି ଚାଳକଙ୍କୁ ଗିରଫ କରାଯାଇଥିଲା। ପଟିଆ ରୋଡ୍ରେ ହଠାତ୍ କୁକୁର ରାସ୍ତା ଉପରକୁ ଚାଲି ଆସିବାରୁ ତାହାକୁ ବଞ୍ଚାଇବାକୁ ଯାଇ ଜଣେ କାର୍ ଚାଳକ ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ।
ଶୈଳାଶ୍ରୀ ବିହାରର ଏଫ୍ଆର କଲୋନି, ଏଲ୍ଆଇଜି କଲୋନି, ଶ୍ରୀବିହାର, ପ୍ରଶାନ୍ତି ବିହାର, ଲୁମ୍ବିନୀ ବିହାର, ମଞ୍ଚେଶ୍ବର ଷ୍ଟେସନ ରାସ୍ତା, ଗଜପତି ନଗର, ମୈତ୍ରୀବିହାର, ବିଡିଏ କଲୋନି, ବୁଦ୍ଧପାର୍କ ରାସ୍ତା, ନୀଳାଦ୍ରିବିହାରର ସେକ୍ଟର ୪ ଓ ୫, ଇନ୍ଫୋସିଟି ରାସ୍ତା, ଶିଖରଚଣ୍ଡୀ ରାସ୍ତା, ବନଫୁଲ ବସ୍ତି, ନନ୍ଦନବିହାର ଅଞ୍ଚଳରେ କୁକୁରଙ୍କ ଉତ୍ପାତ ଅଧିକ ରହିଛି। ସ୍ଥିତି ଏମିତି ହେଲାଣି ଯେ ଏମାନଙ୍କ ଦାଉରୁ କେତେବେଳେ ଯେ ଦୁର୍ଘଟଣାରେ ଗାଡ଼ି ଚାଳକଙ୍କ ଜୀବନ ଚାଲିଯିବ, ତାହା କହିବା ମୁସ୍କିଲ୍। ପଟିଆ, ଡମଣା ଗାଁ ରାସ୍ତା କଥା ନ କହିବା ଭଲ। ଭିଏସ୍ଏସ୍ ନଗରରୁ ରେଲୱେ କଲୋନି ଡମ୍ପିଂୟାର୍ଡ ରାସ୍ତା ଦେଇ ଯାଉଥିବା ଲୋକଙ୍କୁ ଏବେ ନାକେଦମ ହେବାକୁ ପଡ଼ୁଛି। କୁକୁରଗୁଡ଼ିକ ବାଇକ ଚାଳକଙ୍କୁ ଗୋଡ଼େଇ ଗୋଡ଼େଇ ନେଇ ଘରେ ଛାଡ଼ୁଛନ୍ତି। ରାସ୍ତାପାର୍ଶ୍ବରେ କୁକୁଡ଼ା ଓ ଛେଳି ମରାଯାଉଥିବାରୁ ଏଭଳି ସମସ୍ୟା ହେଉଥିବା ଗାଡ଼କଣବାସିନ୍ଦା କୁଳମଣି ମହାନ୍ତି କହିଛନ୍ତି। ଶୈଳାଶ୍ରୀବିହାର ଉନ୍ନୟନ ପରିଷଦର ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ସାହୁ କହିଛନ୍ତି, ବୁଲା କୁକୁରଙ୍କ ଉପରେ ରୋକ ଲଗାଇବାକୁ ପୂର୍ବରୁ ବିଏମ୍ସି ପକ୍ଷରୁ ସ୍ବତନ୍ତ୍ର ଭ୍ୟାନରେ ଉଠାଇ ନିଆଯାଉଥିଲା। ମାତ୍ର ଏବେ ତାହା ବନ୍ଦ ହୋଇଥିବାରୁ କୁକୁରଙ୍କ ସଂଖ୍ୟା ବଢ଼ିଯାଇଛି। ସନ୍ଧ୍ୟାରୁ ରାତି ପର୍ଯ୍ୟନ୍ତ ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଥିଲେ ମଧ୍ୟ ପଦକ୍ଷେପ ଶୂନ। କୁକୁର କାମୁଡ଼ିଲେ ଏଠାରେ ଥିବା ସ୍ବାସ୍ଥ୍ୟ କେନ୍ଦ୍ରରେ ଇଞ୍ଜେକସନ୍ ମିଳୁନାହିଁ। ସେଥିପାଇଁ ୟୁନିଟ୍-୬ କ୍ୟାପିଟାଲ ହସ୍ପିଟାଲ ଉପରେ ନିର୍ଭର କରିବାକୁ ପଡ଼ୁଛି। କୁକୁରଙ୍କ ପାଇଁ ଏଚ୍ଆଇଜି କଲୋନିରେ ବାରମ୍ବାର ଗଣ୍ଡଗୋଳ ହେଉଛି। ସ୍ଥିତି ଏମିତି ହେଲାଣି ଲୋକେ ଗାଡ଼ିରେ ଯିବା ସମୟରେ ମଧ୍ୟ ସାଙ୍ଗରେ ବାଡ଼ି ନେଇ ଯାଉଛନ୍ତି।