ଭୁବନେଶ୍ୱର: ବିଭିନ୍ନ ବାଦବିବାଦ ପରେ ବିଏମ୍‌ସିରେ ଆରମ୍ଭ ହୋଇଥିବା କୁକୁର ବନ୍ଧ୍ୟାକରଣ ପୁଣି ଥରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହୋଇଯାଇଛି। ହାଇକୋର୍ଟ ରଖିଥିବା ସର୍ତ୍ତ ମୁତାବକ ଭାରତୀୟ ପ୍ରାଣୀ ମଙ୍ଗଳ ପରିଷଦ(ଆନିମଲ ୱେଲ୍‌ଫେୟାର ବୋର୍ଡ ଅଫ୍‌ ଇଣ୍ଡିଆ) ବିଏମ୍‌ସିକୁ ପ୍ରୋଜେକ୍ଟ ରେକଗ୍‌ନାଇଜେସନ ସାର୍ଟିଫିକେଟ୍‌ (ପିଆରସି) ଧାର୍ଯ୍ୟ ସମୟରେ ନ ଦେବାରୁ ଏହି ପ୍ରକ୍ରିୟା ବନ୍ଦ ହୋଇଯାଇଛି। ପ୍ରବଳ ଖରା ପାଇଁ ଏହାକୁ ବନ୍ଦ ରଖାଯାଇଥିବା ନେଇ ବିଜ୍ଞନ୍ତି ପ୍ରକାଶ ପାଇଥିଲା। ବର୍ଷାଋତୁ ଆସିଯିବା ପରେ ପ୍ରକ୍ରିୟା ପୁଣି ଥରେ ଆରମ୍ଭ କରିବାକୁ ବିଏମ୍‌ସି ସଜବାଜ ହେବା ବେଳେ ଏହି ପିଆର୍‌ସି ଛାଟ କୁକୁର ବନ୍ଧ୍ୟାକରଣ ପ୍ରକଳ୍ପର ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛି। ପିଆରସି ଅଭାବରୁ ସଂସ୍ଥାର ବିଲ୍‌ ପାସ୍‌ ହୋଇ ନପାରିବାରୁ ସଂସ୍ଥା ପେଡ଼ିପୁଟୁଳି ବାନ୍ଧି ମହାରାଷ୍ଟ୍ର ଫେରିଯାଇଛି। ମଞ୍ଚେଶ୍ବରରେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ପ୍ରସ୍ତୁତ କରାଯାଇଥିବା କୁକୁର ଅପରେସନ କେନ୍ଦ୍ରରେ ତାଲା ଝୁଲୁଛି। କୁକୁର ଧରାଯାଉ ନଥିବାରୁ ଭୁବନେଶ୍ବରରେ କୁକୁରଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ବିଏମ୍‌ସି ପକ୍ଷରୁ କୁକୁର ବନ୍ଧ୍ୟାକରଣ କାର୍ଯ୍ୟକ୍ରମ(ଏବିସି) ଚାଲିଥିଲା। କିନ୍ତୁ ଏଥିପାଇଁ ଯେଉଁ କମିଟି ଗଠନ କରିବା ଓ ଭାରତୀୟ ପ୍ରାଣୀ ମଙ୍ଗଳ ପରିଷଦ ଠାରୁ ପ୍ରମାଣପତ୍ର ହାସଲ କରିବା କଥା ତାହା ହାସଲ କରିନଥିଲା। ଏଣୁ ମାମଲା ହାଇକୋର୍ଟରେ ପହଞ୍ଚିଥିଲା।

Advertisment

ହାଇକୋର୍ଟ ଏହି କାର୍ଯ୍ୟକ୍ରମ ଉପରେ ଗତ ବର୍ଷ ସେପ୍ଟେମ୍ବର ମାସରେ କଟକଣା ଲଗାଇବାରୁ ଏହା ବନ୍ଦ ରହିଥିଲା। ଏ ସବୁ ହାସଲ କରିବାକୁ ବିଏମ୍‌ସି ପ୍ରତିଶ୍ରୁତି ଦେଇ ଚଳିତ ବର୍ଷ ଫେବ୍ରୁଆରି ମାସରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲା। କିନ୍ତୁ ବିଏମ୍‌ସିକୁ ପିରଆର୍‌ସି(ପ୍ରୋଜେକ୍ଟ ରେକଗ୍‌ନାଇଜେସନ ସାର୍ଟିଫିକେଟ୍‌) ମିଳି ନଥିଲା। ବିନା ସ୍ବୀକୃତିରେ ଏହି ଅପରେସନ ଚାଲିଥିବାରୁ ବିଭିନ୍ନ ମହଲରୁ ଅଭିଯୋଗମାନ ଆସିବାରେ ଲାଗିଲା। ଅନ୍ୟପଟେ ଯେଉଁ ସଂସ୍ଥା(ଭେଟ୍‌ସ୍‌ ଫର ଆନିମଲ୍ସ) ଏବିସି କାର୍ଯ୍ୟକ୍ରମ କରୁଥିଲା ତାହାର ବିଲ୍‌ପାସ୍‌ ହେବା ପାଇଁ ବା ପ୍ରାପ୍ୟ ପାଇବା ପାଇଁ ସିଡିଭିଓ ଦସ୍ତଖତ କରିବା କଥା। କିନ୍ତୁ ପିଆରସି ନଥିବାରୁ ସେ ମଧ୍ୟ ଦସ୍ତଖତ କଲେ ନାହିଁ। ଫଳରେ ସଂସ୍ଥା ତାର ପ୍ରାପ୍ୟ ପାଇ ପାରିଲା ନାହିଁ। ଫଳରେ ୨୦ ଲକ୍ଷରୁ ଊର୍ଦ୍ଧ୍ବ ବାକି ପଡ଼ିଲା। ଏଣୁ ବିଏମ୍‌ସି କିଂକର୍ତ୍ତବ୍ୟ ବିମୁଢ଼ ହୋଇ ପଡ଼ିଥିଲା। ଗତ ମେ ୧ ତାରିଖ ଦିନ ପ୍ରବଳ ଖରା ଯୋଗୁ ଏହି କାର୍ଯ୍ୟକ୍ରମ ସ୍ଥଗିତ ରହିଲା ବୋଲି ବିଏମ୍‌ସି ବିଜ୍ଞପ୍ତି ଜାରି କରିଥିଲା। କିନ୍ତୁ କାଳେ ଏହି ପିଆରସି ମିଳିଯିବ ଓ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଆଶା କରି ଭେଟ୍ସ ଫର ଆନିମଲ୍‌ସ୍‌ ସଂସ୍ଥା ପଡ଼ି ରହିଥିଲା। କିନ୍ତୁ ନିକଟ ଅତୀତରେ ମିଳିବା ସମ୍ଭାବନା ନଥିବାରୁ ସଂସ୍ଥା ଗତକାଲି ପେଡ଼ିପୁଟୁଳି ବାନ୍ଧି ମହାରାଷ୍ଟ୍ର ଫେରିଯାଇଛି।

କଟକଣା ଯୋଗୁ ୬ ମାସ ବନ୍ଦ ରହିବା ପରେ ଫେବ୍ରୁଆରି ମାସରେ ଆରମ୍ଭ ହୋଇ ମେ ପର୍ଯ୍ୟନ୍ତ ଚାଲିଥିଲା। ମଞ୍ଚେଶ୍ବରରେ ଥିବା କର୍ମଜୀବୀ ହଷ୍ଟେଲ୍‌ରେ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରି ବିଏମ୍‌ସି କୁକୁର ଅସ୍ତ୍ରୋପଚାର କେନ୍ଦ୍ର ପ୍ରସ୍ତୁତ କରିଥିଲା। ପୂର୍ବରୁ ସହିଦନଗର ଠାରେ ଦିନକୁ ୩୦ କୁକୁରଙ୍କର ଅସ୍ତ୍ରୋପଚାର କରାଯାଉଥିବା ବେଳେ ଏଠାରେ ଦିନକୁ ୫୦ରୁ ୬୦ ଲକ୍ଷ୍ୟ ରଖିଥିଲା। ମହାରାଷ୍ଟ୍ରର ସଂସ୍ଥା ଭେଟ୍‌ସ୍‌ ଫର ଆନିମଲ୍‌ସ୍‌ ଡାକ୍ତର, ଚିକିତ୍ସା ସହାୟକ ଓ କର୍ମଚାରୀ ରଖିଥିଲା। ସଂସ୍ଥାକୁ ବିଏମ୍‌ସି କୁକୁର ପିଛା ୧୬୫୦ ଟଙ୍କା ଦେବାକୁ ଧାର୍ଯ୍ୟ ହୋଇଥିଲା। ୩ ମାସ ପର୍ଯ୍ୟନ୍ତ ସଂସ୍ଥା ପ୍ରାପ୍ୟ ପାଇନଥିଲା। ଏବେ ବନ୍ଧ୍ୟାକରଣ ବନ୍ଦ ହୋଇଯିବା‌ ପରେ ଅସ୍ତ୍ରୋପଚାର କେନ୍ଦ୍ରରେ ବ୍ୟୟ ଅର୍ଥ କେବଳ ବରବାଦ ହୋଇ ନାହିଁ ବରଂ ପ୍ରକଳ୍ପ ବନ୍ଦ ହୋଇଯିବା ଯୋଗୁ ଭୁବନେଶ୍ବରକୁ ୨୦୨୫ ସୁଦ୍ଧା ‘ଜଳାତଙ୍କ-ମୁକ୍ତ ସହର’ ଘୋଷଣା ପାଇଁ ବିଏମ୍‌ସିର ସ୍ବପ୍ନ ଫସରଫାଟିଛି। ଏଣେ ଭୁବନେଶ୍ବରବାସୀ ଛାନିଆ ହୋଇପଡ଼ିଛନ୍ତି। କୁକୁରଙ୍କ ପାଇଁ ନିୟମିତ ଦୁର୍ଘଟଣା ଘଟୁଥିବା ବେଳେ ଏବେ ଏହି ଆଶଙ୍କା ଆହୁରି ବଢ଼ି ଯାଇଛି।