ନାମକୁ ମାତ୍ର ବନ୍ଧ୍ୟାକରଣ ଯୋଜନା: ରାସ୍ତାରେ ଉତ୍ପାତ କରୁଛନ୍ତି ମାଳମାଳ କୁକୁର

ପୁରୁଣା ଭୁବନେଶ୍ବର: ସ୍ମାର୍ଟସିଟିରେ ବୁଲା କୁକୁରଙ୍କ ଆତଙ୍କ। ଦିନ ହେଉ କି ରାତି; ଲୋକଙ୍କୁ ଗୋଡ଼େଇ ଗୋଡ଼େଇ କାମୁଡ଼ୁଛନ୍ତି। ଏହାବ୍ୟତୀତ ନିଜ ନିଜ ଭିତରେ ଗୋଡ଼ା‌ଗୋଡ଼ି ହୋଇ ରାସ୍ତା ଉପରକୁ ଚାଲି ଆସି ଦୁର୍ଘଟଣାର କାରଣ ମଧ୍ୟ ସାଜୁଛନ୍ତି। କୁକୁରଙ୍କ ଉତ୍ପାତରେ ରାଜଧାନୀବାସୀ ଏକପ୍ରକାର ଅତିଷ୍ଠ ହୋଇପଡ଼ିଲେଣି। ଏବେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଯୋଗୁଁ ସେମାନଙ୍କ ଦୌରାତ୍ମ୍ୟ ଆହୁରି ବଢ଼ି ଯାଇଛି। ଲୋକଙ୍କ ଯାତାୟାତ ସେତେ ନଥିବାରୁ ରାଜପଥ ଉପରେ ସେମା‌ନଙ୍କ ରାଜୁତି ଚାଲୁଛି। ଫଳରେ ଗାଡ଼ି ଚଳାଇଯିବା ସମୟରେ ଅଚାନକ କୁକୁରଟିଏ ଆସି କାମୁଡ଼ି ଦେବାର ଭୟ ମନକୁ ଘାରୁଛି। ସ୍ଥିତି ଏମିତି ହେଲାଣି ଯେ କୁକୁରଙ୍କୁ ଅତିକ୍ରମ କରି ସହଜରେ ଚାଲିଯିବା ଏକପ୍ରକାର ଅସମ୍ଭବ ହୋଇପଡ଼ିଲାଣି। ରାଜଧାନୀରେ ଏପରି ଘଟଣା ନିୟମିତ ଦେଖିବାକୁ ମିଳୁଛି। ପ୍ରତିଦିନ କେହି ନା କେହି କୁକୁର କାମୁଡ଼ାର ଶିକାର କିମ୍ବା କୁକୁରଙ୍କ ପାଇଁ ଦୁର୍ଘଟଣାର ଶିକାର ହେଉଥିବା ନଜରକୁ ଆସୁଛି।

‌‌ଖାଇବାକୁ ମିଳୁ ନଥିବାରୁ ବହୁ କୁକୁର କାମୁଡ଼ା କାମୁଡ଼ି ହୋଇ ଗାଡ଼ି ତଳକୁ ଚାଲି ଆସୁଛନ୍ତି। ଏବେ କରେନା ସମୟରେ କୁକୁରଙ୍କ ଦୌରାତ୍ମ୍ୟ ରୋକିବା ପାଇଁ ବିଏମ୍‌ସି କୌଣସି ପଦକ୍ଷେପ ନେଇ ପାରିନାହିଁ। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି କୁକୁରଙ୍କ ବନ୍ଧ୍ୟାକରଣ କରାଯାଉଛି ବୋଲି ବିଏମ୍‌ସି ଦାବି କରୁଥିବା ବେଳେ ଏହା ଠିକଣା ଭାବେ କାର୍ଯ୍ୟକାରୀ ହେଉ ନାହିଁ ବୋଲି ଅଭିଯୋଗ ହୋଇଛି। ୨୦୦୧ ମସିହାରେ ପ୍ରଣୀତ ଆନିମାଲ୍ ବାର୍ଥ କଣ୍ଟ୍ରୋଲ୍ (କୁକୁର) ଆଇନ ଅନୁସାରେ କୁକୁର ବନ୍ଧ୍ୟାକରଣ ପାଇଁ ବ୍ୟବସ୍ଥା ରହିଛି। ସହିଦନଗରସ୍ଥିତ ଉପଖଣ୍ଡସ୍ତରୀୟ ପ୍ରାଣୀ ଚିକିତ୍ସାଳୟରେ ଏହି ବନ୍ଧ୍ୟାକରଣ କରାଯାଉଛି। ମାତ୍ର ଏହାକୁ ସଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଉନାହିଁ। ନାମକୁ ମାତ୍ର ବନ୍ଧ୍ୟାକରଣ କରାଯାଉଛି। ଯେଉଁ ଅନୁଷ୍ଠାନକୁ ଏହି କାମ ଦିଆଯାଉଛି, ତାହାର ତଦାରଖ ହେଉନାହିଁ। ଫଳରେ ବର୍ଷବର୍ଷ ଧରି କୁକୁର ବନ୍ଧ୍ୟାକରଣ ଚାଲିଥିଲେ ମଧ୍ୟ କୁକୁରଙ୍କ ସଂଖ୍ୟା କମିବା ବଦଳରେ ବଢ଼ି ଚାଲିଛି ବୋଲି ଲୋକ ଅଭିଯୋଗ କରିଛନ୍ତି। ସେମାନେ ଯେ କେବଳ ରୋଗ ବାହକର ମାଧ୍ୟମ, ତାହା ନୁହେଁ, ବରଂ ଦୁର୍ଘଟଣା ଲାଗି ମଧ୍ୟ ଅନେକାଂଶରେ ଦାୟୀ।

ବିଶେଷକରି ରାତିରେ ବାଇକ୍ ଆରୋହୀଙ୍କୁ ଦେଖିଲେ କାମୁଡ଼ିବାକୁ ଗୋଡ଼ାଉଛନ୍ତି। ଗତରାତିରେ ସାମ୍ବାଦ ପ୍ରତିନିଧି ଶୁଭକାନ୍ତ ପଢ଼ିହାରୀ ବଡ଼ଗଡ଼ ବ୍ରିଟ୍‌ କଲୋନିକୁ ଫେରିବା ବେଳେ ବଡ଼ଗଡ଼ ଛକ ପୂର୍ବରୁ କିଛି କୁକୁର ଗୋଡ଼ାଗୋଡ଼ି ହୋଇ ତାଙ୍କ ବାଇକ୍‌ ତଳକୁ ପଶି ଆସିଥିଲେ। ଫଳରେ ସେ ସେଠାରେ ତଳେ ପଡ଼ି କିଛି ବାଟ ଘୁଷୁରି ଯାଇଥିଲେ। ସେ ଏବେ ଚିକିତ୍ସାଧୀନ ଅଛନ୍ତି। ସେହିପରି ଗତ ମାସରେ ପୁନାମା ଗେଟ୍‌ ଇନ୍ଦ୍ରମଣି ଭବନର ରାହୁଲ ବେହେରା ନାମକ ୧୨ବର୍ଷର ବାଳକକୁ କୁକୁର କାମୁଡ଼ି ଗୁରୁତର କରିଥିଲା। ରାହୁଲ ତାଙ୍କ ଘର ନିକଟ ଏକ ଦୋକାନକୁ ସଉଦା କିଣିବାକୁ ଯାଇଥିବା ବେଳେ ୫ଟି କୁକୁର ତାଙ୍କୁ କାମୁଡ଼ି ପକାଇଥିଲେ। ଏହି ଅଞ୍ଚଳରେ ଶତାଧିକ ବୁଲା କୁକୁର ଥିବା ବେଳେ ରାତିରେ ଲୋକ ଯିବାକୁ ଶ୍ରେୟ ମଣୁ ନାହାନ୍ତି। ଗତ ମାସ ୧୫ତାରିଖରେ ଶ୍ୟାମା ବେହେରା ନାମକ ବୃଦ୍ଧ କୁକୁର କାମୁଡ଼ାରେ ଗୁରୁତର ହୋଇଥିଲେ। କେବଳ ଏହି ଅଞ୍ଚଳ ନୁହେଁ, ରାଜଧାନୀର ବିଭିନ୍ନ ଗଳିରେ ରାତିରେ ଯିବା ମୁସ୍କିଲ ହୋଇପଡ଼ୁଛି। ଅପରପକ୍ଷରେ ଏବେ କରୋନା ମହାମାରୀ ସମୟରେ କୁକୁର କାମୁଡ଼ିଲେ ଇଞ୍ଜେକ୍ସନ୍‌ ନେବା ପାଇଁ ଡାକ୍ତରଖାନା ଯିବାକୁ ଭୟ ଲାଗୁଛି। ହେଲେ କୁକୁରଙ୍କ ଦୌରାତ୍ମ୍ୟ ଉପରେ ଅଙ୍କୁଶ ଲଗାଇବା ପାଇଁ ବିଏମ୍‌ସି ବିସ୍ତୃତ ଯୋଜନା କରିପାରିନାହିଁ। ଫଳରେ କୁକୁରଙ୍କ ସଂଖ୍ୟା ବଢ଼ିବା ସହ ‌ସେମାନଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଛି।

ସମ୍ବନ୍ଧିତ ଖବର