କୁକୁର ବନ୍ଧ୍ୟାକରଣ କରିବ ଜାତୀୟସ୍ତରର ଏଜେନ୍‌ସି

ରାଜଧାନୀରେ ମାଳମାଳ ବୁଲା କୁକୁର, ଫେଲ୍‌ ମାରିଛି ଏବିସି, ଅବସ୍ଥା ଅସମ୍ଭାଳ

ଭୁବନେଶ୍ୱର : ୨୦୦୮ ମସିହାରୁ ଭୁବନେଶ୍ବରରେ କାମ କରୁଛି ଆନିମଲ ବାର୍ଥ(ଏବିସି) କଣ୍ଟ୍ରୋଲ କର୍ଯ୍ୟକ୍ରମ। ୧୩ ବର୍ଷରେ ୩୦ ହଜାର କୁକୁରଙ୍କୁ ବନ୍ଧ୍ୟାକରଣ କରାଯାଇଛି। କୁକୁରଙ୍କ ଗଣନା ହୋଇନାହିଁ। ସରକାରୀ ହିସାବରେ ୧ ଲକ୍ଷ ଜନସଂଖ୍ୟାରେ ୧ ହଜାର କୁକୁର ରହୁଛନ୍ତି। ଅର୍ଥାତ୍‌ ଏବେ ଭୁବନେଶ୍ବରରେ ୬୦ ହଜାର କୁକୁର ଅଛନ୍ତି। ଯେଉଁ ଅନୁପାତରେ ବନ୍ଧ୍ୟାକରଣ ହେଉଛି ସେଥିରେ ସମ୍ପୂର୍ଣ୍ଣ ବନ୍ଧ୍ୟାକରଣ ଅସମ୍ଭବ। ଏ ନେଇ ‘ସମ୍ବାଦ’ରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ବିଏମ୍‌ସି ନୂଆ ପଦକ୍ଷେପ ନେବାକୁ ଯାଉଛି। ଖୁବ୍‌ଶୀଘ୍ର ଗ୍ଲୋବାଲ୍‌ ଟେଣ୍ଡର କରାଯାଇ ଏକ ଜାତୀୟସ୍ତରର ଏଜେନ୍‌ସି ଜରିଆରେ ଏହି ବନ୍ଧ୍ୟାକରଣ କାର୍ଯ୍ୟକମ କରିବାକୁ ଯୋଜନା ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ଦୁଇବର୍ଷ ମଧ୍ୟରେ ଭୁବନେଶ୍ବରରେ ସମସ୍ତ କୁକୁରଙ୍କର ବନ୍ଧ୍ୟାକରଣ କରିବା ପାଇଁ ସମୟ ଧାର୍ଯ୍ୟ କରାଯିବ। ସମ୍ପୃକ୍ତ ସଂସ୍ଥା ନିର୍ଦ୍ଧାରିତ ସମୟ ମଧ୍ୟରେ ଭୁବନେଶ୍ବରର ସମସ୍ତ ବୁଲା କୁକୁରଙ୍କ ବନ୍ଧ୍ୟାକରଣ କରିବ। ଏ ନେଇ ଟେଣ୍ଡର ପ୍ରକ୍ରିୟା‌ ଆରମ୍ଭ ହେବାକୁ ଯାଉଥିବା ସୂଚନା ମିଳିଛି। ଏବିସି ଯୋଜନାରେ ବିଏମ୍‌ସି କୁକୁର ପିଛା ୫୦୦ଟଙ୍କା ଲେଖାଏଁ ଖର୍ଚ୍ଚ କରୁଛି। ମାସକୁ ପ୍ରାୟ ୨୦୦ଟି କୁକୁରଙ୍କର ଅପରେସନ ହୋଇ ପାରୁଛି। ଅର୍ଥାତ୍‌ କେବଳ କୁକୁର ପିଛା ମାସକୁ ଲକ୍ଷେ ଟଙ୍କା ଖର୍ଚ୍ଚ ହେଉଛି। ଏହା ବାଦ୍‌ ଡାକ୍ତର, ସହାୟକ, ପାରାଭେଟ୍‌ଙ୍କ ଦରମା ସହ ଔଷଧ ଖର୍ଚ୍ଚ ରହିଛି। ହେଲେ ଏ ସବୁ ପାଣିରେ ପଡ଼ୁଛି। ବର୍ଷକୁ ପ୍ରାୟ ୩୦୦୦ କୁକୁର ଛୁଆ ଜନ୍ମ ହେଉଛନ୍ତି। ଏବେ ଏବିସି ଜରିଆରେ ପ୍ରତିବର୍ଷ ପ୍ରାୟ ୨ହଜାରରୁ ୨୫୦୦ କୁକୁରଙ୍କ ବନ୍ଧ୍ୟାକରଣ ହେଉଛି। ଅର୍ଥାତ୍‌ ବର୍ଷକୁ ଅତି କମ୍‌ରେ ୧୦୦୦ କୁକୁରଙ୍କ ସଂଖ୍ୟା ବଢ଼ୁଛି। ଏବେ କରୋନା ପାଇଁ ଏହି କାର୍ଯ୍ୟକ୍ରମ ବନ୍ଦ ଥିବାରୁ କୁକୁରଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବରେ ବୃଦ୍ଧି ପାଇଛି। ଏଣୁ ପରିସ୍ଥିତି ଅସମ୍ଭାଳ ହେବାରେ ଲାଗିଛି।

oneindia.com

କେବଳ କ୍ୟାପିଟାଲ୍‌ ହସ୍‌ପିଟାଲ ତଥ୍ୟ ମୁତାବକ, ଦିନକୁ ୪ ଜଣ କୁକୁରଙ୍କ ପ୍ରଭାବରେ ଆହତ ହେଉଛି। କେଉଁଠି କୁକୁର କାମୁଡ଼ୁଛି ତ କେଉଁଠି ଗାଡ଼ି ଆଗକୁ ପଶି ଆସିବାରୁ ଚାଳକ ତଳେ ପଡ଼ି ଆହତ ହେଉଛି। ରାସ୍ତା ମଝିରେ କୁକୁରଙ୍କ ଆକ୍ରମଣ ପ୍ରତି ଆକ୍ରମଣ ଯୋଗୁ ମଧ୍ୟ ଦୁର୍ଘଟଣା ଘଟୁଛି। ଏହି ଘଟଣା ବଢ଼ି ବଢ଼ି ଚାଲିଛି। କ୍ୟାପିଟାଲ ହସ୍‌ପିଟାଲ ସହ ଅନ୍ୟ ଘରୋଇ ତଥା ସରକାରୀ ହସ୍‌ପିଟାଲର ତଥ୍ୟ ହିସାବକୁ ନେଲେ କୁକୁରଙ୍କ ଯୋଗୁଁ ଘଟୁଥିବା ଦୁର୍ଘଟଣାରେ ଆହତଙ୍କ ସଂଖ୍ୟା ଦୈନିକ ୧୦ଟପିବ ବୋଲି ଆଶଙ୍କା କରାଯାଉଛି।

ସରକାରୀ ଯୋଜନା ଫେଲ୍‌ ମାରିବା ପରେ କେତେକ ମହାନଗରରେ ଏଭଳି ଏନ୍‌ଜିଓମାନଙ୍କ ଦ୍ବାରା ଏହି ବନ୍ଧ୍ୟାକରଣ କରାଉଛନ୍ତି ଓ ସଫଳତା ମଧ୍ୟ ପାଇଛନ୍ତି। ସେମାନଙ୍କ ମଧ୍ୟରୁ ଗୋଆ ଓ ରାଞ୍ଚିରେ ଏହି କାର୍ଯ୍ୟକ୍ରମ ଶତପ୍ରତିଶତ ସଫଳ ହୋଇଛି। ଏହା ପରେ ଆହୁରି ୫୦ରୁ ଊର୍ଦ୍ଧ୍ବ ମହାନଗର ନିଗମ ଏହି ବ୍ୟବସ୍ଥାକୁ ଆପଣେଇଥିବା ଜଣାପଡ଼ିଛି।

ଏବିସି ଦାୟିତ୍ବରେ ଥିବା ବିଏମ୍‌ସି ଡେପୁଟି କମିସନର ରମେଶ ଚନ୍ଦ୍ର ଜେନା କହିଛନ୍ତି, ରାଜଧାନୀରେ ଏବିସି କାର୍ଯ୍ୟକ୍ରମ ଚାଲିଛି। ଏହା ବନ୍ଦ ହେବ ନାହିଁ। କିନ୍ତୁ ଗ୍ଲୋବାଲ୍‌ ଟେଣ୍ଡର ଜରିଆରେ ଜାତୀୟସ୍ତରର ଏଜେନ୍‌ସି ଦ୍ବାରା ଏହି ବନ୍ଧ୍ୟାକରଣ ସମେତ ଟିକାକରଣ କରାଯିବାକୁ ଯୋଜନା ହୋଇଛି। ତା ଛଡ଼ା ଜଳାତଙ୍କ ରୋଗ କିଭଳି ନ ବ୍ୟାପିବ ସେ ନେଇ ମଧ୍ୟ ବିଏମ୍‌ସି ତତ୍ପର ରହିଛି।

ସମ୍ବନ୍ଧିତ ଖବର