ଦୋଳ ଉତ୍ସବ ଆରମ୍ଭ : ଘର ଘର ବୁଲି ଭୋଗ ଖାଉଛନ୍ତି ରାଧା ମାଧବ

ଚନ୍ଦ୍ରଶେଖରପୁର : ‘ଫଗୁଣ ମାସରେ ଦୋଳ ଗୋବିନ୍ଦ, ଫଗୁ ଖେଳୁଛନ୍ତି ପରମା ନନ୍ଦ’, ଅର୍ଥାତ ଫଗୁଣ ମାସ ଆସିଲେ ମନେପଡ଼େ ଫଗୁ ଉତ୍ସବର କଥା। ଏହି ସମୟେରେ ଭକ୍ତମାନେ ଦୋଳ ବିମାନରେ ରାଧାମାଧବଙ୍କୁ ବସାଇ ବିଭିନ୍ନ ଗ୍ରାମକୁ ନେଇ ପୂଜା କରିଥାଆନ୍ତି। ରାଜଧାନୀ ଉପକଣ୍ଠର ଗ୍ରାମାଞ୍ଚଳରେ ଏହି ଉତ୍ସବ ବଡ଼ ଧୂମଧାମ୍‌ରେ ପାଳନ କରାଯାଉଥିବା ବେଳେ ବିଭିନ୍ନ କଲୋନି, ମନ୍ଦିରଗୁଡ଼ିକରେ ମଧ୍ୟ ଆଜିଠାରୁ ଦୋଳ ଉତ୍ସବ ଆରମ୍ଭ ହୋଇଛି। ଉତ୍ତର ଭୁବନେଶ୍ୱର ମଞ୍ଚେଶ୍ୱର, ରଂଗମାଟିଆ, ଗାଡ଼କଣ, ପଟିଆ, କଳାରାହାଙ୍ଗ, ଡମଣା, କଳାଝରୀ, ଇଂଞ୍ଜଣା, ରୋକଟ, ବରିମୁଣ୍ଡ, ରଘୁନାଥପୁର, ଅଳଶୁଆ, ପଥରଗାଡ଼ିଆ, ଦାରୁଠେଙ୍ଗ, କଲ୍ୟାଣପୁର, ଦାଢ଼ା ଓ ନହରକଣ୍ଟା ପରି ଗ୍ରାମାଞ୍ଚଳଗୁଡ଼ିକରେ ଏହି ଉତ୍ସବ ଭାଇଚାର ଓ ଗ୍ରାମର ଏକାତା ପାଇଁ ଶହଶହ ବର୍ଷ ପୂର୍ବରୁ ଆରମ୍ଭ ହୋଇଛି। ବିଭିନ୍ନ ଗ୍ରାମରେ ଯାତ୍ରା ପଡ଼ିଆ ଖୋଲା ମଞ୍ଚରେ ଅପେରା ସହ ଦିନରେ ଦୋଳ ମେଳଣ ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଥାଏ। ଗ୍ରାମର ବାରିକ ପରିବାରଲୋକ ଦୋଳ ବିମାନ ଆଗରେ ମଶାଲ ଧରିବା କାର୍ଯ୍ୟ କରୁଥିବା ବେଳେ ଗୋପାଳ ପରିବାରଲୋକେ ବିମାନକୁ କାନ୍ଧେଇ ବୁଲେଇଥାଆନ୍ତି। ଏହି ଅବସରରେ ଉତ୍ତର ଭୁବନେଶ୍ୱରର ବିଭିନ୍ନ ଗ୍ରାମରେ ଏବେ ୯ଟି ଯାତ୍ରା ପାର୍ଟି ନାଟକ ପରିବେଷଣ କରୁଛନ୍ତି। ହୋଲି ପରେ ହରିହର ଭେଟ ଉତ୍ସବ ଦେଖି ଦୋଳ ବିମାନଗୁଡ଼ିକ ନିଜ ନିଜ ଗ୍ରାମକୁ ଯାଇ ରାଧା ମାଧବଙ୍କୁ ଭଗତଘରେ ସ୍ଥାପନା କରିବେ ଓ ପରେ ଦଶ ଦୋଳଦିନ ନଉଡ଼ି ନାଟ ଦେଖି ଗ୍ରାମବାସୀଙ୍କଠାରୁ ସାମୂହିକ ପୂଜା ପାଇ ମନ୍ଦିରକୁ ପ୍ରବେଶ କରିବାର ବିଧି ରହିଛି।

ଶ୍ରୀଲିଙ୍ଗରାଜଙ୍କୁ ଫଗୁ ଲାଗି

ପୁରୁଣା ଭୁବନେଶ୍ୱର : ଆଜି ଫଗୁ ଦଶମୀ ଉପଲକ୍ଷେ ଶ୍ରୀଲିଙ୍ଗରାଜ ମନ୍ଦିର ଭିତର ଫଗୁ ପର୍ବ ପାଳନ ହୋଇଛି। ମହାପ୍ରଭୁଙ୍କଠାରେ ଫଗୁ ଲାଗି କରାଯାଇଛି। ଏଥି ସହ ମନ୍ଦିରରେ ଥିବା ସମସ୍ତ ଦେବଦେବୀଙ୍କୁ ମଧ୍ୟ ଫଗୁ ଲାଗି କରାଯାଇଛି। ଅସନ୍ତାକାଲିଠାରୁ ଶ୍ରୀ ଲିଙ୍ଗରାଜ ମହାପ୍ରଭୁ ମା’ ପାର୍ବତୀ, ମା’ ଦୁର୍ଗା, ଶ୍ରୀ ବସୁଦେବଙ୍କ ସଙ୍ଗେ ବିଭିନ୍ନ ସ୍ଥାନକୁ ଭୋଗ ଖାଇବାକୁ ଯିବେ। ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମାକୁ ଦକ୍ଷିଣୀ ଘରୁ ଅଣାଯାଇ ପାଲିଙ୍କି ଓ ବିମାନରେ ଦେବଦେବୀଙ୍କୁ ନିଆଯାଇ ବିଭିନ୍ନ ସ୍ଥାନରେ ଫଗୁ ଲାଗି ହେବ। ସୋମବାର ଏକାଦଶୀ ତିଥିରେ ଶ୍ରୀଲିଙ୍ଗରାଜ ତାଙ୍କ ଭଉଣୀ ଘର ବଢ଼େଇବାଙ୍କ ଛକ ନିକଟ ବଡ଼ମଠରେ ଥିବା କାମାକ୍ଷା ଠାକୁରାଣୀଙ୍କ ପାଖକୁ ଯିବେ। ମଙ୍ଗଳବାର ଦ୍ଵାଦଶୀ ତିଥିରେ ଦେବଦେବୀ ତିନି ମୁଣ୍ଡିଆ ଛକ ନିକଟ କପାଳୀ ଠାକୁରାଣୀ, ବୁଧବାର ତ୍ରୟୋଦଶୀ ତିଥିରେ ପରକରଣ ସାହି, ଯମ୍ଭେଶ୍ୱର ମନ୍ଦିର ନକଟକୁ ଯିବା ସହ ସେହିଦିନ ଚତୁର୍ଦ୍ଦଶୀ ତିଥି ପଡ଼ୁଥିବାରୁ ଦେବଦେବୀ ବାଟ କୂଅ ମୂହଁ ବଡ଼ୁ ସାହି ଭୋଗ ଖାଇବାକୁ ଯିବେ। ଶେଷରେ ଗୁରୁବାର ଦୋଳ ପୂର୍ଣ୍ଣିିମା ତିଥିରେ ରଥଖଳାଠାରେ ସର୍ବସାଧାରଣ ଭକ୍ତଙ୍କ ଭୋଗ ଖାଇବେ। ସେଠାରେ ମହାପ୍ରଭୁ ଦୋଳିରେ ଝୁଲୁଥିବା ବେଳେ ଭକ୍ତମାନେ ଫଗୁ ଲାଗି କରିବେ।

ଭୀମଟାଙ୍ଗିରେ ରାଧାକୃଷ୍ଣ ଓ ଦୋଳ ଗୋବିନ୍ଦଙ୍କୁ ଫଗୁ ଲାଗି

ପୁରୁଣା ଭୁବନେଶ୍ୱର : ଭୀମଟାଙ୍ଗୀ ଭୀମେଶ୍ୱର ମନ୍ଦିର ପ୍ରଙ୍ଗଣରେ ଭୀମେଶ୍ୱର ମନ୍ଦିର ସମିତି ପକ୍ଷରୁ ଆଜି ଫଗୁ ଦଶମୀ ଉପଲକ୍ଷେ ରାଧା କୃଷ୍ଣ ଓ ଦୋଳ ଗୋବିନ୍ଦଙ୍କୁ ଫଗୁ ଲାଗି କରାଯାଇଛି। ଏଥି ସହ ମନ୍ଦିରରେ ଥିବା ସମସ୍ତ ଦେବଦେବୀଙ୍କୁ ମଧ୍ୟ ଫଗୁ ଲାଗି କରାଯାଇଛି। ଅସନ୍ତା କାଲିଠାରୁ ଦେବଦେବୀ ସୁସଜ୍ଜିତ ପାଲିଙ୍କିରେ ବସି ଭକ୍ତଙ୍କ ଘରକୁ ଯାଇ ଭୋଗ ଖାଇବେ। ଏକାଦଶୀ ତିଥିରେ ଉପର ଫେଜ୍‌, ଦ୍ଵାଦଶୀ ଓ ତ୍ରୟୋଦଶୀ ତିଥିରେ ତଳଫେଜ ଓ ବିଡିଏ କଲୋନିକୁ ଯାତ୍ରା କରିବେ। ଶେଷରେ ଦୋଳ ପୂର୍ଣ୍ଣିିମା ତିଥିରେ ଭୀମେଶ୍ୱର ମନ୍ଦିର ନିକଟରେ ସର୍ବସାଧାରଣ ଭକ୍ତଙ୍କ ଭୋଗ ଖାଇବାସହ ଫଗୁ ଲାଗି ହେବ ବୋଲି ମନ୍ଦିର ସମିତିର ଉପସଭାପତି ମାନସ ରଞ୍ଜନ ପଟ୍ଟନାୟକ କହିଛିନ୍ତି।

ସମ୍ବନ୍ଧିତ ଖବର