ବାଲିପାଟଣା : ବାଲିପାଟଣାରେ ଆଜି ପ୍ରସିଦ୍ଧ ଦୋପଟି ମେଳଣ ଅନୁଷ୍ଠିତ ହୋଇଯାଇଛି। ଏଥିସହିତ ସମଗ୍ର ଅଞ୍ଚଳରେ ପବିତ୍ର ଦୋଳ ମେଳଣ ଆରମ୍ଭ ହୋଇଛି। ଠାକୁର ମନ୍ଦିରରୁ ବାହାରି ବିଭିନ୍ନ ଗ୍ରାମରେ ରାତିରେ ଭୋଗ ଖାଇଥିଲେ। ଭୋର ପ୍ରାୟ ୪ଟା ବେଳେ ବାଲିପାଟଣା ଛକରେ ପ୍ରଭୁ ବୁଦ୍ଧନାଥ, ସରାଟର ନୀଳକଣ୍ଠେଶ୍ୱରଙ୍କ ସମେତ ବହୁ ବିମାନ ଏକାଠି ହୋଇଥିଲେ। ବାଜା, ବାଣ ରୋଶଣିରେ ଦୋପଟି ମେଳଣ ପଡ଼ିଆ ଅଭିମୁଖେ ବାହାରିଥିଲେ। ସେଠାରେ ପ୍ରଭୁଙ୍କ ବିମାନକୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଗାରେଡ଼ିପାଞ୍ଚଣର ଦ୍ୱାଦଶ ଶତାବ୍ଦୀ ମନ୍ଦିରର ପ୍ରଭୁ ବୁଦ୍ଧନାଥ ଦୋପଟି ମେଳଣର ଥାନପତି ଭାବେ ପ୍ରଥମେ ଆସନ ଅଳଂକୃତ କରିଥିଲେ। ବୁଦ୍ଧନାଥଙ୍କ ମୁଖ୍ୟ ପୂଜକ ଚନ୍ଦ୍ରଶେଖର ପଣ୍ଡା ଓ ମଦନମୋହନଙ୍କ ମୁଖ୍ୟ ପୂଜକ ମୃତ୍ୟୁଞ୍ଜୟ ମିଶ୍ରଙ୍କ କହିବା ଅନୁଯାୟୀ ବାଲିପାଟଣାରେ ଦୋପଟି ମେଳଣ ପ୍ରଥମ ଦୋଳମେଳଣ। ଆଜିଠାରୁ ବାଲିପାଟଣାରେ ଦୋଳପର୍ବ ଓ ମେଳଣର ଆରମ୍ଭ ହୋଇଥାଏ। ବହୁ ବୟସ୍କ ବ୍ୟକ୍ତିଙ୍କ କହିବା ମୁତାବକ ସ୍ୱାଧୀନତା ପୂର୍ବରୁ ଇଂରେଜମାନେ ବାଲିପାଟଣାରେ ଦୋପଟି ମେଳଣର ଆରମ୍ଭ କରିଥିଲେ। ମେଳଣରେ ପ୍ରଭୁ ବୁଦ୍ଧନାଥଙ୍କ ସମେତ ସରାଟର ପ୍ରଭୁ ନୀଳକଣ୍ଠେଶ୍ୱର, ଗଣ୍ଡିଲୋର ଜଟେଶ୍ୱର, ଷଠିଲୋର ଚମ୍ପେଶ୍ୱର(ହର)ଙ୍କ ବ୍ୟତୀତ ଶିଶୁମଠର ମଦନମୋହନ, ବାରିଲୋର ରାଧାମାଧବ, ବ୍ରାହ୍ମଷଢ଼ଙ୍ଗୀ, ବେଣ୍ଟପୁର ଜାଗିରୀ, ଆଣ୍ଠୁଆରୀ, କୁଳନ୍ତିରା, ଗିରିଙ୍ଗ, ତରଡ଼ପଡ଼ା, କୁଳନ୍ତିରା ବାଗିଲୋର ପ୍ରଭୁ ଗୋପୀନାଥ, ସରାଟର ରାଧାକୃଷ୍ଣ, କୁଳନ୍ତିରାର ରାଧାକାନ୍ତ, ବାଲିପାଟଣା, ଫକୀରପଡ଼ାର ପ୍ରଭୁ ରାଧାମୋହନ, ଚଣାହଟ୍ଟାର ରାଧା ଗୋବିନ୍ଦ, ସାହବ ନଗରର ପ୍ରଭୁ ହରିଦାସଙ୍କ ମୋଟ ୨୦ଟି ବିମାନ ମେଳଣକୁ ଆସିଥିଲେ। ବିଶିଷ୍ଟ କଣ୍ଠଶିଳ୍ପୀ ବସନ୍ତ କୁମାର ପାତ୍ର, ରବି କୁମାରଙ୍କ ଗ୍ରୁପ ପକ୍ଷରୁ ଆଜି ଭଜନ ପରିବେଷଣ ହୋଇଥିଲା।
ବାଲିପାଟଣାରେ ଦୋପଟି ମେଳଣ
/sambad/media/post_attachments/wp-content/uploads/2018/02/balipatana-dopati-melana.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)