ଆସିଛି ଦୋଳ ପରବ : ଗାଁ ବୁଲିବେ ଦୋଳ ଗୋବିନ୍ଦ

ଦେହ ଓ ମନରେ ପୁଲକ ଭରିଛି ଫଗୁଣ। ଦୋଳ ବିମାନରେ ଗାଁ ବୁଲିବାକୁ ଗୋଡ଼ କାଢ଼ି ବସିଲେଣି ରାଧା ମାଧବ। ଦିନେ କେଇଟା ପରେ ବାଜା, ବାଣ, ‌ରୋଶଣିରେ ଭକ୍ତ କାନ୍ଧରେ ସୁସଜ୍ଜିତ ବିମାନରେ ସବାର ହୋଇ ଭୋଗ ଖାଇବାକୁ ଯିବେ ଲୀଳାମୟ କୃଷ୍ଣ। ଖୋଳ, ଗିନି ଓ କରତାଳରେ ଉଚ୍ଛୁଳି ଉଠିବ ଗାଁ। ଋତୁରାଜ ବସନ୍ତକୁ ସ୍ବାଗତ କରିବ ଫଗୁମୟ ପରିବେଶ। ଜମିବ ପଞ୍ଚୁଦୋଳ ମେଳଣ। କେବଳ ଯେ ଆମେ କୁଣିଆ ଘର ଯାଉ ତାହା ନୁହେଁ, ବରଂ ଭଗବାନ ଯେ ଅନ୍ୟର ଗାଁ’କୁ କୁଣିଆ ସାଜି ବିମାନରେ ଯାଆନ୍ତି, ପ୍ରଭୁଙ୍କ ଏହି ମାନବୀୟ ଲୀଳା ଉପଲବ୍ଧିର ଅବକାଶ ଜୁଟିବ। ଗାଁ ଗାଁକୁ ସଞ୍ଚରିଯିବ ଭାଇଚାରାର ଅତର। ରାଜଧାନୀ ଓ ଏହାର ଉପକଣ୍ଠରେ ଦୋଳ ପର୍ବକୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା।

ଶ୍ରୀଲିଙ୍ଗରାଜଙ୍କ ଭିତର ଫଗୁ
ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କୁ ଭିତର ଫଗୁ ପର୍ବ ଅନୁଷ୍ଠିତ ହେବ। ଶ୍ରୀ ଲିଙ୍ଗରାଜଙ୍କ ସମେତ ମନ୍ଦିରରେ ଥିବା ସମସ୍ତ ଦେବାଦେବୀଙ୍କୁ ମଧ୍ୟ ଫଗୁ ଲାଗି କରାଯିବ। ଶୁକ୍ରବାରଠାରୁ ଶ୍ରୀଲିଙ୍ଗରାଜ ମହାପ୍ରଭୁ, ମା ପାର୍ବତୀ, ମା ଦୂର୍ଗା, ଶ୍ରୀବସୁଦେବଙ୍କ ସଙ୍ଗେ ବିଭିନ୍ନ ସ୍ଥାନକୁ ଭୋଗ ଖାଇବାକୁ ଯିବେ। ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମାକୁ ପାଲିଙ୍କିରେ ନିଆଯାଇ ଫଗୁ ଲାଗି କରାଯିବ। ଶୁକ୍ରବାର ଶ୍ରୀଲିଙ୍ଗରାଜ ତାଙ୍କ ଭଉଣୀ ଘର ବଢେଇବାଙ୍କ ନିକଟ ବଡ ମଠରେ ଥିବା କାମାକ୍ଷା ଠାକୁରାଣୀଙ୍କ ପାଖକୁ ଯିବେ। ଶନିବାର ଦେବାଦେବୀ ତିନି ମୁଣ୍ଡିଆ ଛକ ନିକଟ କପାଳୀ ଠାକୁରାଣୀଙ୍କ ପାଖକୁ ଯିବେ। ରବିବାର ମହାପ୍ରଭୁ ପରକରଣ ସାହି, ଯମେଶ୍ୱର ମନ୍ଦିର ନକଟକୁ ଓ ବାଟ କୂଅ ମୁହଁ ବଡ଼ୁ ସାହି ଭୋଗ ଖାଇବାକୁ ଯିବେ। ସୋମବାର ଦୋଳ ପୂର୍ଣ୍ଣିମାରେ ପ୍ରଭୁ ରଥଖଳାଠାରେ ପ୍ରଭୁ ଭୋଗ ଖାଇବେ। ଦୋଳିରେ ଝୁଲୁଥିବା ବେଳେ ଭକ୍ତମାନେ ଫଗୁ ଲାଗି କରିବେ। ସେହିପରି ଭୀମଟାଙ୍ଗିସ୍ଥିତ ଭୀମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଭୀମେଶ୍ୱର ମନ୍ଦିର ସମିତି ପକ୍ଷରୁ ଗୁରୁବାର ଫଗୁ ଦଶମୀ ଅବସରରେ ରାଧା କୃଷ୍ଣ ଓ ଦୋଳ ଗୋବିନ୍ଦଙ୍କୁ ଫଗୁ ଲାଗି କରାଯିବ। ଶୁକ୍ରବାର ଫେଜ୍-୧କୁ, ଶନିବାର ଫେଜ୍‌-୨କୁ ଓ ରବିବାର ବିଡ଼ିଏ କଲୋନିକୁ, ସୋମବାର ଦୋଳ ପୂର୍ଣ୍ଣିମାରେ ଭୀମେଶ୍ବର ମନ୍ଦିରରେ ଦୋଳ ଭୋଗ ଖାଇବା ସହ ନୂତନ ପାଞ୍ଜି ପଠନ କରାଯିବ ବୋଲି ମନ୍ଦିର ପରିଚାଳାନା କମିଟିର କାର୍ଯ୍ୟକାରୀ କମିଟି ସଭାପତି ମାନସ ରଞ୍ଜନ ପଟ୍ଟନାୟକ କହିଛନ୍ତି।

ଉତ୍ତର ଭୁବନେଶ୍ବର ମେଳଣ
ରାଜଧାନୀ ଉପକଣ୍ଠ ଉତ୍ତର ଭୁବନେଶ୍ବର ଅଞ୍ଚଳରେ ଗୁରୁବାରଠାରୁ ଫଗୁ ଦଶମୀ ଆରମ୍ଭ ହେବ। ଦିଅଁଙ୍କୁ ଭୋଗ ଖୁଆଇବାର ପରମ୍ପରା ଥିବାରୁ ଉପକଣ୍ଠରେ ପୂଜା ପାଇଁ ଗୋବର ଲିପି ଚିତା ପକାଯାଉଛି। ‌ଦୋଳ ଉତ୍ସବ ପାଇଁ ଗ୍ରାମର ମେଳଣ ପଡ଼ିଆକୁ ଠାକୁର ରାଧାମାଧବ ଆସିବେ। ଗ୍ରାମବାସୀଙ୍କ ମନୋରଞ୍ଜନ ପାଇଁ ଅପେରା ପାର୍ଟି ନାଟକ ମଂଚସ୍ଥ କରିବେ। ଯାତ୍ରା ପଡ଼ିଆରେ ମୀନା ବଜାର ସହ ପିଲାଙ୍କ ପାଇଁ ଭଳିକି ଭଳି ଖେଳର ମନୋରଂଜନ ସୃଷ୍ଟି ହେବ। ମଞ୍ଚେଶ୍ବର, ରଙ୍ଗମାଟିଆ, କଳାରାହାଙ୍ଗ, ଗାଡ଼କଣ, ଡ଼ମଣା, ପଟିଆ, କଳାଝରୀ, ବରିମୁଣ୍ଡ, କଲ୍ୟାଣପୁର ଓ ଦାରୁଠେଙ୍ଗ ଗ୍ରାମରେ ଦୋଳ ଯାତ୍ରା ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହେବା ସହ ଯାତ୍ରା ମଂଚସ୍ଥ ହେବ। ୫ ଦିନ ବ୍ୟାପୀ ଗ୍ରାମର ଠାକୁରାଣୀ ପୀଠରୁ ଦୋଳ ବିମାନରେ ରାଧାମାଧବ ବସି ନିର୍ଧାରିତ ଗ୍ରାମକୁ ପରିଭ୍ରମଣ କରିବେ। ଗ୍ରାମର ବାରିକ ସେବକ ଦୋଳ ବିମାନ ଆଗରେ ମସାଲ ଜାଳି ଆଲୋକ ଦେଖାଇବେ ଏବଂ ଗ୍ରାମର ଗୋପାଳ ସେବକ ବିମାନ କାନ୍ଧେଇବେ। ସେହିପରି ବୀରସୁରେନ୍ଦ୍ର ସାଏ ନଗର, ରେଲୱେ କଲୋନି, ଡିଏଲ୍ ‌କଲୋନି, ବାଣୀବିହାର କଲୋନି, ଶୈଳଶ୍ରୀବିହାର, ଚ‌ନ୍ଦ୍ରଶେଖରପୁର ଅଞ୍ଚଳରେ ମଧ୍ୟ ବିଭିନ୍ନ କମିଟି ପକ୍ଷରୁ ଠାକୁରଙ୍କୁ ବିମାନରେ ବୁଲାଯିବ।

ଆଜି ବାଲିପାଟଣା ମେଳଣ, କାଲି ଦୋପଟି ଯାତ୍ରା
ବାଲିପାଟଣାର ପ୍ରସିଦ୍ଧ ଦୋପଟି ମେଳଣ ପାଇଁ ଆଜି ଅଧ ରାତିରୁ ଜମାଣ ଉତ୍ସବ ଅନୁଷ୍ଠିତ ହେବ। ଆଖପାଖ ମଉଜା ଓ ଗ୍ରାମର ଆରାଧ୍ୟ ଦେବତା ମାନେ ବିମାନରେ ଗ୍ରାମ ପରିକ୍ରମା କରି ମେଳଣକୁ ଆସିବେ। ଶୁକ୍ରବାର ଦୋପଟି ମେଳଣରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଗୋପାଳମାନେ ଠାକୁରଙ୍କ ବିମାନକୁ କାନ୍ଧେଇ ଉଉଡ଼ି ଖେଳ ଖେଳି ଠାକୁରଙ୍କୁ ଯାତ୍ରାକୁ ଆଣିବେ। ଦୋପଟି ମେଳଣରେ ବାଲିପାଟଣାର ଆରାଧ୍ୟ ଦେବତା ଶ୍ରୀଶ୍ରୀ ବୁଦ୍ଧନାଥ ଦେବ ଥାନପତି ଆସନ ଅଳଙ୍କୃତ କରିବେ। ୨୦ଟି ଗାଁରୁ ଦୋଳ ବିମାନରେ ପ୍ରଭୁ ଆସିବେ। ବୁଦ୍ଧନାଥ ଦେବଙ୍କ ଉପସ୍ଥିତିରେ ୧୧ ତାରିଖରେ ହାଟ ମେଳଣ ହେବ। ସରାଟ ମୌଜାର ଶ୍ରୀଶ୍ରୀ ନୀଳକଣ୍ଠେଶ୍ବର ମହାଦେବ ୭ ତାରିଖରେ ଚଣାହଟ୍ଟାର ଦାଣ୍ତ ମେଳଣ, ୧୦ ତାରିଖରେ ଚଣାହଟ୍ଟା ସ୍କୁଲ ତୋଟା ମେଳଣ ଓ ୧୧ ତାରିଖରେ ଦହି ଖେଳ ମେଳଣରେ ଯୋଗଦେଇ ଯମୁନା ସ୍ନାନ ଓ ମାଘସ୍ନାନ କରି ମନ୍ଦିରରେ ପ୍ରବେଶ କରିବେ। ସେହିପରି ୧୩ରେ ଦୋରବାଙ୍ଗ ଦୋଳ ମେଳଣ, ୧୪ ରେ ତୁରିନ୍ତିରା ମହାବୀର ପୀଠ ମେଳଣ, ୧୬ରେ ଗୁଆପୁର ମେଳଣ ଅନୁଷ୍ଠିତ ହେବ।

ଗାଈ ପୂଜନ, ଲଉଡ଼ି ଖେଳ, ଦୋଳ ମହୋତ୍ସବ
ନୂଆପଲ୍ଲୀ ବେହେରା ସାହିରେ ବେହେରା ପରିବାର ପକ୍ଷରୁ ଦୋଳ ଉତ୍ସବକୁ ପାରମ୍ପରିକ ଭାବେ ପାଳନ କରାଯିବ। ଲଉଡ଼ି ଖେଳ, ଶିଙ୍ଗା, ଘାଗୁଡ଼ି ଖେଳ ମଧ୍ୟରେ ବାଲୁଙ୍କେଶ୍ବର ମନ୍ଦିର ପୁଷ୍କରିଣୀରୁ ଜଳ କଳସରେ ଅଣାଯିବ। ୮ ତାରିଖରେ ଏହି କଳସ ଜଳରେ ଗାଈଙ୍କୁ ଗାଧୋଇ ଦେବା ପରେ ଦୋଳପୂର୍ଣ୍ଣିମାରେ ଗାଈ ପୂଜନ କରାଯିବ। ପରେ ଗ୍ରାମର ରାଧାମୋହନ, ହରିଶଙ୍କରଙ୍କୁ ପାଲିଙ୍କିରେ ବସାଇ ଗ୍ରାମ ପରିକ୍ରମା କରାଯିବ। ହୋଲି ଦିନ ଲଉଡ଼ି ଖେଳ, ଅବିର ପର୍ବ ଅନୁଷ୍ଠିତ ହେବା ସହ ପାଞ୍ଜି ପୂଜା କରାଯିବ ବୋଲି ନୂଆପଲ୍ଲୀ ରାଧାମୋହନ ଉନ୍ନୟନ କମିଟିର ସଭାପତି ନବକିଶୋର ବେହେରା କହିଛନ୍ତି।

ବିଷ୍ଣୁ ମନ୍ଦିରରେ ଦଶଦୋଳ ମେଳଣ
ଦୋଳ ପୂର୍ଣ୍ଣିମା ଉପଲକ୍ଷେ ସହିଦନଗରସ୍ଥିତ ବିଷ୍ଣୁ ମନ୍ଦିର ପରିସରରେ ଦଶଦୋଳ ମେଳଣ ଅନୁଷ୍ଠିତ ହେବ। ୧୩ ବର୍ଷ ପୂର୍ବେ ପ୍ରଥମ କରି ଏଠାରେ ଦଶ ଦୋଳ ମେଳଣ ଆୟୋଜିତ ହୋଇଥିଲା। ଚଳିତ ବର୍ଷ ଦୋଳ ପୂର୍ଣ୍ଣିମାରେ ରାଧାକୃଷ୍ଣ ଦୋଳ ବିମାନରେ ସ୍ଥାନୀୟ ଅଞ୍ଚଳ ପରିକ୍ରମା କରି ୫ ଦିନ ପର୍ଯ୍ୟନ୍ତ ଭୋଗ ଖାଇବେ। ଏହାର ଦଶ ଦିନ ପରେ ଅର୍ଥାତ ୧୭ ତାରିଖରେ ବିଷ୍ଣୁ ମନ୍ଦିର ପ୍ରାଙ୍ଗଣରେ ବିଭିନ୍ନ ଅଞ୍ଚଳର ୧୦ ମନ୍ଦିର ତଥା ୟୁନିଟ୍ ୯ ରାଧାକୃଷ୍ଣ ମନ୍ଦିର, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ଆର୍ ସି ଏମ୍ ଜଗନ୍ନାଥ ମନ୍ଦିର, ବାଣୀବିହାର, ଭିଏସ୍ଏସ୍ ନଗର, ଚକେଇସିଆଣି, ଆଖଣ୍ଡଳମଣି ମନ୍ଦିରରୁ ଦିଅଁ ବିମାନ ଯୋଗେ ଆସିବା ପରେ ଜମାଣ ଅନୁଷ୍ଠିତ ହେବ। ୧୮ ତାରିଖ ସନ୍ଧ୍ୟାରେ ହରିହର ଭେଟ ହେବ ଓ ରାତି ୯ ଟାରେ ଦିଅଁ ମେଳଣ ଅନୁଷ୍ଠିତ ହେବ। ରାତି ୧୦ ଟାରେ ବିଭିନ୍ନ ମନ୍ଦିରରୁ ନିମନ୍ତ୍ରିତ ଦିଅଁ ପ୍ରସ୍ଥାନ କରିବେ। ଦଶ ଦୋଳ ମେଳଣ ଉତ୍ସବ ଅବସରରେ ସମିତି ପକ୍ଷରୁ ସାଂସ୍କୃତିକ ଉତ୍ସବ ସହ କୃତୀ ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବ ବୋଲି ସମିତି ପକ୍ଷରୁ ସୂଚନା ଦିଆଯାଇଛି।

ଲକ୍ଷ୍ମୀସାଗରର ‘ଥାନପତି’ଙ୍କ ଯାତ୍ରା
ଲକ୍ଷ୍ମୀସାଗର ମେଳଣ ଆସନ୍ତା ୧୪ ତାରିଖରେ ଅନୁଷ୍ଠିତ ହେବ। ଏହି ଅବସରେ ପଡ଼ୋଶୀ ଗ୍ରାମ ବଡ଼ଗଡ଼, ଝାରପଡ଼ା, ରସୁଲଗଡ଼, ବମିଖାଲ, କୋରଡ଼କଣ୍ଟାର ଗ୍ରାମର ଆରାଧ୍ୟ ଦେବତାମାନେ ଲକ୍ଷ୍ମୀସାଗର ମେଳଣ ପଡ଼ିଆରେ ଏକାଠି ହେବେ। ଲକ୍ଷ୍ମୀସାଗରର ଆରାଧ୍ୟ ଦେବତା ଥାନପତି ତଥା ପତିତପାବନ ମେଳଣ ପଡ଼ିଆକୁ ଆସିବା ପରେ ସମସ୍ତ ଦୋଳ ଏକତ୍ରିତ ହୋଇ ଫଗୁ ଖେଳିବେ। ସଂକୀର୍ତନ ଅନୁଷ୍ଠିତ ହେବ। ଏହାବ୍ୟତୀତ ଏପ୍ରିଲ୍‌ ମାସରେ ଭଗବତ ବାସୁଦେବ ମେଳଣ ଅନୁଷ୍ଠିତ ହେବ। ଏହି ସମୟରେ ୪ ଦିନ ଯାତ୍ରା ମଂଚସ୍ଥ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ସଭାପତି ପ୍ରଶାନ୍ତ ପରିଡ଼ା ସୂଚନା ଦେଇଛନ୍ତି।

ଜାଗମରା ମେଳଣ
ଜାଗମରା ଅଞ୍ଚଳରେ ପ୍ରଭୁ ଅନନ୍ତ କେଶରୀ ଦେବ ଆସନ୍ତା ୬ ତାରିଖରେ ଗ୍ରାମ ପରିକ୍ରମା କରି ଭୋଗ ଖାଇବେ। ୭ରେ ଆଖପାଖ ଗ୍ରାମ ସରକନ୍ତରା, ଆଇଗିଣିଆ, କୋଳଥିଆ, ଘାଟିକିଆ, ପୋଖରୀପୁଟ, ଡୁମଡୁମାରୁ ଜାଗମରା ମେଳଣ ପଡ଼ିଆକୁ ଠାକୁର ଆସିବା ‌ପରେ ମେଳଣ ଓ ୮ ତାରିଖରେ ହରିହର ଭେଟ ଅନୁଷ୍ଠିତ ହେବ। ଏହି ଅବସରରେ ଜାଗମରା ଗ୍ରାମ କମିଟି ପକ୍ଷରୁ ୭ରୁ ୯ ତାରିଖ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ର ଅପେରା ଯାତ୍ରା ମଂଚସ୍ଥ କରିବ ବୋଲି ଜାଗମରା ଗ୍ରାମ କମିଟିର ସମ୍ପାଦକ ମହେନ୍ଦ୍ର କୁମାର ଗୁରୁ ସୂଚନା ଦେଇଛନ୍ତି।

ଶ୍ୟାମପୁର ମେଳଣ
ଖଣ୍ଡଗିରି ଅଞ୍ଚଳରେ ଆସନ୍ତାକାଲିଠାରୁ ଏହି ପର୍ବ ସ୍ଥାନୀୟ ଶ୍ୟାମପୁର ଗାଁରୁ ଆରମ୍ଭ ହେବ। ଗୁରୁବାରରୁ ଆଦ୍ୟ ପର୍ବ ଅବସରରେ ଫଗୁ ଦଶମୀରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଚାଚେରି ଭୋଗଖିଆ ପର୍ବ ଅନୁଷ୍ଠିତ ହେବ। ନଁପୁଟରେ କିଛି ସ୍ବତନ୍ତ୍ର ବିଧି ରହିଛି। ମେଳଣ ପଡ଼ିଆରେ ଅତିଥିଠାକୁରମାନଙ୍କୁ ଭୋଗ ଲାଗି କରିବ‌ା ସହ ହରିହର ଭେଟ ପରେ ଗାଁ ଦାଣ୍ତରେ ପୁଣି ସବୁ ଠାକୁରଙ୍କୁ ଭୋଗ ହାଣ୍ଡି ସମର୍ପଣ କରାଯିବ। ସେହିଭଳି ତମାଣ୍ଡୋରେ ହୋଲି ଦିନ ଅବିର ଖେଳ ନଥିବାରୁ ସେଠାରେ ଠାକୁର ମେଳଣ ଦିନ ଲୋକେ ଅବିର ଖେଳିବେ। ଶ୍ୟାମପୁରରୁ ଆରମ୍ଭ ହେଉଥିବା ଏହି ମେଳଣ ପରେ ଜାଗମରା, ସରକନ୍ତରା, ପାତ୍ରପଡ଼ା, ତମାଣ୍ଡୋ, ଆଇଗିଣିଆ, ଜାଗସରାପଟଣା, ନଁପୁଟ, ମଦନପୁର, ମୁଣ୍ଡମୁହାଁଣ ଗାଁରେ ଅନୁଷ୍ଠିତ ହେବ। ଏହି ଅବସରରେ ରାତିରେ ମେଳଣ ପଡ଼ିଆରେ ଅପେରା ପାର୍ଟି ମାନେ ଯାତ୍ରା ପରି‌ବେଷଣ କରି‌ବା କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର