ଦୋଳଗୋବିନ୍ଦ ପ୍ରଧାନଙ୍କୁ ଅମର ରଖିବ ‘ଗାନ୍ଧୀ କଥା’

ଭୁବନେଶ୍ୱର : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନ ଆଜି ନାହାନ୍ତି ସତ, କିନ୍ତୁ ତାଙ୍କ ଆଦର୍ଶକୁ ଯୁବପିଢ଼ିଙ୍କ ନିକଟତର କରି ତାଙ୍କୁ ତାଙ୍କ ଆଦର୍ଶରେ ବଞ୍ଚାଇ ରଖିହେବ। ତାଙ୍କ ଲିଖିତ ‘ଗାନ୍ଧୀ କଥା’ ତାଙ୍କୁ ସବୁଦିନ ପାଇଁ ଅମର ରଖିବ। ସ୍ୱର୍ଗତ ପ୍ରଧାନ କେବଳ ଜଣେ ସ୍ୱାଧୀନତା ସଂଗ୍ରାମୀ ନଥିଲେ, ଜଣେ ରାଜନୈତିକ ନେତା ଓ ତା’ଠାରୁ ବହୁ ଊର୍ଧ୍ୱରେ ଥିଲେ। ସତ୍ୟକୁ ପ୍ରକାଶ କରିବାରେ ସେ ଜଣେ ଲଢ଼ୁଆ ବ୍ୟକ୍ତି ଥିଲେ। ଓଡ଼ିଆ ଭାଷା, ସଂସ୍କୃତି ସହ ଧର୍ମ ସାହିତ୍ୟକୁ ପରିପୁଷ୍ଟ କରିବା ପାଇଁ ଭଗବତ ଗୀତାକୁ ସେ କବିତା ଆକାରରେ ପ୍ରକାଶ କରିଛନ୍ତି। ଆଜି ସ୍ଥାନୀୟ ଇଡ୍‌କଲ୍‌ ଅଡିଟୋରିୟମ୍‌ଠାରେ ‘ପୂଜ୍ୟ ପ୍ରଣାମ ଟ୍ରଷ୍ଟ’ ପକ୍ଷରୁ ଆୟୋଜିତ ସ୍ୱର୍ଗତ ପ୍ରଧାନଙ୍କ ସ୍ମୃତି ସଭାରେ ଯୋଗ ଦେଇ ଅତିଥିମାନେ ଏହା କହିଛନ୍ତି।

ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ପୂର୍ବତନ ବାଚସ୍ପତି ଶରତ କୁମାର କର, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ, ସ୍ୱାମୀ ଜଗନ୍ନାଥାନନ୍ଦ, ସମାଜବାଦୀ ପାର୍ଟି ସଭାପତି ରବି ବେହେରା, ବିଜେପି ନେତା ଦିିଲ୍ଲୀପ ମଲ୍ଲିକ, ପଦ୍ମାକର ଗୁରୁ, ନରେନ୍ଦ୍ର କୁମାର ମିଶ୍ର, ଯୋଗ ଗୁରୁ ସୁଧାଂଶୁ ଅଧିକାରୀ ଓ କଂଗ୍ରେସ ନେତ୍ରୀ ସୁମିତ୍ରା ଜେନା ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ପ୍ରଧାନଙ୍କ ସ୍ମୃତିଚାରଣ କରିଥିଲେ। ପ୍ରଦେଶ କଂଗ୍ରେସ ଉପସଭାପତି ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଉତ୍କଳ ଭାରତ ଯୁବ ଶାଖାର ସଭାପତି ଜଗଦୀଶ ପ୍ରଧାନ ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧିତ ଖବର