ପରିବେଷିତ ହେଲା କଣ୍ଢେଇନାଚ ଓ ମୋଗଲ ତାମସା

ଭୁବନେଶ୍ୱର: ମାତା ଦେବକୀଙ୍କ ପ୍ରସବ ଯନ୍ତ୍ରଣା, ପିତ‌ା ବସୁଦେବଙ୍କୁ ସ୍ବପ୍ନାଦେଶ, ପ୍ରବଳ ବର୍ଷା ଘଡ଼ଘଡ଼ି ସହ କଂସ ମାମୁଁଙ୍କ ଦୌରାତ୍ମ୍ୟ। ଏସବୁ ଭିତରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ; ସତେ ଯେମିତି ଏସବୁ ‌ନାଟକ ରୂପରେ ଜୀବନ୍ୟାସ ପାଇଥିଲେ ମଞ୍ଚ ଉପରେ। ତାହା ପୁଣି କଣ୍ଢେଇନାଚ ମାଧ୍ୟମରେ। କେଉଁଝରର ଉତ୍କଳ ବିଶ୍ୱକର୍ମା କଳାକୁଞ୍ଜର କଳାକାରମାନଙ୍କ ଦ୍ବାରା ପରିବେଷିତ ଗୁରୁ ମାଗୁଣୀ ଚରଣ କହଁରଙ୍କ ନିର୍ଦ୍ଦେଶିତ ‘ଶ୍ରୀକୃଷ୍ଣ ଜନ୍ମ’ ନାଟିକା ଦର୍ଶକଙ୍କୁ ଏକ ପୌରାଣିକ ଯୁଗକୁ ଟାଣି ନେଇଥିଲା। ଅବସର ଥିଲା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ‘ଆମ ଲୋକକଳା, ଆମ ସଂସ୍କୃତି’ କାର୍ଯ୍ୟକ୍ରମ। ଏହି ଅବସରରେ କେଉଁଝର ପ୍ରସିଦ୍ଧ ‘କଣ୍ଢେଇନାଚ’ ସହ ଭଦ୍ରକର ‘ମୋଗଲ ତାମସା’ ଓଡ଼ିଶାର ସାଂସ୍କୃତିକ ଓ ଲୋକକଳାର ପ୍ରାଚୁର୍ଯ୍ୟକୁ ପରିପ୍ରକାଶ କରୁଥିଲା। ସାଂସ୍କୃତିକ ସନ୍ଧ୍ୟାକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଉଦ୍‌ଘାଟନ କରିଥିଲେ। ଏଥିରେ ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ବିଜୟ କୁମାର ନାୟକ, ସ୍ୱତନ୍ତ୍ର ସଚିବ ତଥା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଭାପତି ରାମକୃଷ୍ଣ ସାହୁ, ଯୁଗ୍ମ ନିର୍ଦ୍ଦେଶିକା ସଂଘମିତ୍ରା ଶତପଥୀ, ରାଜ୍ୟସ୍ତରୀୟ ଲୋକକଳା ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଶୋୟୀ ଓ ଅନ୍ୟାନ୍ୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର