ରାଜଧାନୀରେ କୋଭିଡ୍‌ କଟକଣା ମଧ୍ୟରେ ଦୋଳ ମେଳଣ : ରଙ୍ଗ ବିକ୍ରି ହେବ, ବାହାରେ ଖେଳି ହେବନି

ଦୋଳ ବିମାନ ସହ କେବଳ ୬ଜଣ ଆସିପାରିବେ
ମେଳଣ ପଡ଼ିଆରେ ଏକାଠି ବସିପାରିବେ ୧୦ ବିମାନ
ହୋଇ ପାରିବନି ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ବର : କରୋନା ସଂକ୍ରମଣ ବଢ଼ିବା ପରେ ରାଜଧାନୀ‌ରେ ଦୋଳ ମେଳଣ ଓ ହୋଲି ଉପରେ ବିଏମ୍‌ସି କଟକଣା ଲଗାଇଛି। ପରମ୍ପରା ରକ୍ଷା କରିବାକୁ ଯାଇ ଦୋଳ ମେଳଣ ହେବ, ଠାକୁର ଘରକୁ ଘର ବୁଲି ଭୋଗ ଖାଇବେ, ମେଳଣ ପଡ଼ିଆରେ ଠାକୁର ବସିବେ; କିନ୍ତୁ କୋଭିଡ୍‌ କଟକଣା ଅନୁଯାୟୀ ସବୁ ପାଳନ ହେବ। ସେହିପରି ରାଜଧାନୀରେ ରଙ୍ଗ ଓ ଅବିର ବିକ୍ରି ହେବ। ଲୋକେ ହୋଲି ଖେଳି ପାରିବେ। କିନ୍ତୁ ଯିଏ ହୋଲି ଖେଳିବା କଥା, ସିଏ ଘରେ ଖେଳିବେ। ବାହାରେ କେହି ହୋଲି ଖେଳି ପାରିବେନି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ଆଜି ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ ଦୋଳ ପୂର୍ଣ୍ଣମୀ ଉପଲକ୍ଷେ ରାଜଧାନୀର ବିଭିନ୍ନ ମନ୍ଦିର ଓ ପଡ଼ିଆରେ କୋଭିଡ୍‌ କଟକଣା ମଧ୍ୟରେ ପୂଜାର୍ଚ୍ଚନା ହେବ। ମେଳଣ ପଡ଼ିଆରେ ଏକସଙ୍ଗେ ୧୦ଟି ଦୋଳ ବିମାନ ବସିପାରିବେ। ପ୍ରତି ଦୋଳ ବିମାନ ପିଛା ୫ରୁ ୬ଜଣ ଲୋକଙ୍କୁ ଅନୁମତି ମିଳିବ। ମେଳଣ ପଡ଼ିଆରେ ଏକସଙ୍ଗେ ୫୦ରୁ ୬୦ଜଣ ଲୋକ ରହିପାରିବେ। ୧୦ଟି ଦୋଳ ବିମାନ ଯିବା ପରେ ଅନ୍ୟମାନେ ଆସିବେ। ଆୟୋଜକମାନଙ୍କୁ ଏଥିପାଇଁ ଅନୁମତି ନେବାକୁ ପଡ଼ିବ। କେଉଁ ଦୋଳ ବିମାନ କେତେବେଳେ ମେଳଣ ପଡ଼ିଆକୁ ଆସିବେ, ଦୋଳ ସହିତ କେତେ ଜଣ ଆସିବେ, କେତେବେଳେ ମେଳଣ ପଡ଼ିଆ ଛାଡ଼ିବେ, ତା’ର ସମୟ ସାରଣୀ ବିଏମ୍‌ସିକୁ ଦେବେ। ସେହି ଅନୁଯାୟୀ ବିଏମ୍‌ସି ଅନୁମତି ଦେବ। ‌କୌଣସି ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବନି।

ସେହିପରି ରାଜଧାନୀରେ ରଙ୍ଗ ବିକ୍ରି କି ହୋଲି ଖେଳ ଉପରେ ବାରଣ ନାହିଁ। ରଙ୍ଗ ବିକ୍ରି ପାଇଁ ଦୋକାନ ଖୋଲିବାକୁ ଅନୁମତି ମିଳିବ। ଲୋକ ରଙ୍ଗ କିଣିପାରିବେ, କିନ୍ତୁ ଜନଗହଳି ସ୍ଥାନ କି ସର୍ବସାଧାରଣରେ ହୋଲି ଖେଳି ପାରିବେନି। ଯିଏ ରଙ୍ଗ ଖେଳିବା କଥା, ଘର ଭିତରେ ଖେଳିବେ।

ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ, ବିଏମ୍‌ସି ପକ୍ଷରୁ ଏହି କଟକଣା ଲଗାଯାଇଛି ବୋଲି ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି। ରବିବାର ଏନେଇ ବିଏମ୍‌ସି ପକ୍ଷରୁ ସବିଶେଷ ଗାଇଡଲାଇନ୍ ଜାରି ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର