ବାଲିପାଟଣା: ବାଲିପାଟଣା ମେଳଣ ପଡ଼ିଆରେ ବ୍ରିଟିସ୍ ଶାସନ କାଳରୁ ଚାଲି ଆସିଥିବା ପ୍ରାଚୀନ ଦୋପଟି ମେଳଣ ଧୁମଧାମ୍ରେ ପାଳିତ ହୋଇଯାଇଛି। ଶୁକ୍ରବାର ରାତିରୁ ଜମାଣ ହୋଇଥିବା ଏହି ମେଳଣ ଶନିବାର ରାତିରେ ହରିହର ଭେଟ ସହ ସମାପିତ ହୋଇଯାଇଛି। ଆଖପାଖ ୨୦ଖଣ୍ଡ ମୌଜାର ଆରାଧ୍ୟ ଦେବତାମାନେ ସୁସଜ୍ଜିତ ବିମାନରେ ଆସି ଗତରାତିରୁ ଏକାଠି ହୋଇଥିବା ବେଳେ ଆଜି ରାତିରେ ଅବିର ଖେଳ ପରେ ଫେରି ଯାଇଛନ୍ତି। ମେଳଣର ପ୍ରାଚୀନ ବିଧିବିଧାନ ସବୁ ଠିକ୍ରେ ପାଳନ କରାଯାଉଥିଲେ ହେଁ ଠାକୁରଙ୍କ ଜମାଣ ଓ ମେଳଣରେ ରହିଥିବା ଶୋଭାଯାତ୍ରାରେ ବହୁ ପରିବର୍ତ୍ତନ ପରିଲକ୍ଷିତ ହେଉଛି। ପୂର୍ବରୁ ଲୋକକଳା ପାଇଁ ପ୍ରସିଦ୍ଧ ଏହି ମେଳଣରେ ଆଉ ଆଗ ଭଳି ପୁରୁଣା ଲୋକକଳା ପ୍ରଦର୍ଶନ ଦେଖିବାକୁ ମିଳୁନାହିଁ। ଡିଜେର ଛାତିଥରା ଶବ୍ଦ ଭିତରେ ହଜିଯାଇଛି ଢୋଲ, ତୂରୀ, ମହୁରୀ, ଘଣ୍ଟି, ଘଣ୍ଟା, ମର୍ଦ୍ଦଳର ସ୍ବର। ଡିଜେର ଝଲମଲ ଆଲୁଅ ଭିତରେ ହଜିଗଲାଣି ନାଗା ନାଚ, ଚଇତି ଘୋଡ଼ା ନାଚ, ବୁଢ଼ାବୁଢ଼ୀ ନାଚ, ଷଣ୍ଢନାଚ ଭଳି ବିଭିନ୍ନ ପଶୁପକ୍ଷୀଙ୍କୁ ନେଇ ହେଉଥିବା ଲୋକନାଚ।
ଫାଲ୍ଗୁନ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଏହି ମେଳଣ ଅନୁଷ୍ଠିତ ହୋଇଥାଏ। ଗାରେଡ଼ିପାଞ୍ଚଣର ଆରାଧ୍ୟ ଦେବତା ଶ୍ରୀବୁଦ୍ଧନାଥ ମହାଦେବ ଏହି ମେଳଣର ଥାନପତି। ମେଳଣର କିଛି ଦିନ ପୂର୍ବରୁ ଶ୍ରୀବୁଦ୍ଧନାଥଙ୍କ ତରଫରୁ ବିଭିନ୍ନ ଗାଁ ଠାକୁରଙ୍କୁ ନିମନ୍ତ୍ରଣ କରାଯାଇଥାଏ। ତେଣୁ ଗତ ରାତିରେ ସ୍ଥାନୀୟ ଅଞ୍ଚଳର ଆରାଧ୍ୟ ଦେବତାମାନେ ସୁସଜ୍ଜିତ ବିମାନରେ ଗ୍ରାମ ପରିକ୍ରମା କରିବା ସହ ବିଧି ଓ ପରମ୍ପରା ଅନୁସାରେ ଭୋଗ ଖାଇ ଭୋର୍ ପୂର୍ବରୁ ମେଳଣ ପଡ଼ିଆ ଅଭିମୁଖେ ବାହାରିଥିଲେ। ସରାଟ ମୌଜାର ଶ୍ରୀନୀଳକଣ୍ଠେଶ୍ୱର ମହାଦେବଙ୍କ ବିମାନ ଓ ପ୍ରଭୁ ଗୋପୀନାଥଙ୍କ ପାଲିଙ୍କି ଏହି ମେଳଣକୁ ଆସିଥାଏ।
ଏଥିସହ ସଠିଲୋ ଚମ୍ପେଶ୍ୱର ମହାଦେବ, ଶିଶୁମଠସାହିର ମଦନମୋହନ, ବାରିଲୋ ରାଧାମାଧବ, ଗିରିଙ୍ଗୋ, ବ୍ରାହ୍ମଣଷଡ଼ଙ୍ଗୀ, ବେଣ୍ଟପୁର, ଆଣ୍ଠୁଆରୀ, କୁଳନ୍ତିରା ଶାସନ, କୁଳନ୍ତିରା ବାଗିଲୋ, ତରଡ଼ପଡା ଗୋପୀନାଥ ଦେବ, ସାହେବ ନଗରର ହରିଦାସ ଦେବ, ଚଣାହଟ୍ଟା ରାଧାଗୋବିନ୍ଦ, କୁଳନ୍ତିରା ଗ୍ରାମ ରାଧାକାନ୍ତ ଦେବ, ଫକୀରପଡ଼ା ଓ ବାଲିପାଟଣା ରାଧାମୋହନ ଦେବ, କାକରୁଦ୍ରପୁର ପତିତପାବନ ଦେବ, ଗଣ୍ଡିଲୋ ଜଟେଶ୍ୱର ମହାଦେବ ବିମାନରେ ଅଧିଷ୍ଠିତ ହୋଇ ଆସିଥିଲେ। ମେଳଣ ପଡ଼ିଆକୁ ଆସୁଥିବା ସମସ୍ତ ଅତିଥି ଠାକୁରମାନଙ୍କ ବିମାନ ଆଗରେ ଶୋଭାଯାତ୍ରା ଥିଲା।
ପୂର୍ବରୁ ସବୁ ବିମାନ ଆଗରେ ପାରମ୍ପରିକ ବାଦ୍ୟଯନ୍ତ୍ର ବାଜୁଥିବା ବେଳେ ଲୋକକଳା ପ୍ରଦର୍ଶନ ହେଉଥିଲା। କିନ୍ତୁ ଚଳିତ ବର୍ଷ ପ୍ରାୟ ୧୦ରୁ ଅଧିକ ଦୋଳ ବିମାନ ଆଗରେ ଡିଜେ କମ୍ପାଉଥିଲା। ମାତ୍ର ଦୁଇ ତିନିଟି ଦୋଳବିମାନ ଆଗରେ ପାରମ୍ପରିକ ଲୋକକଳା ଦେଖିବାକୁ ମିଳିଥିଲା। ଆଜି ସନ୍ଧ୍ୟାରେ ମେଳଣର ଉଦ୍ଯାପନୀ ପର୍ବରେ ଲଉଡ଼ି ଖେଳ ଓ ହରିହର ଭେଟ ବେଶ୍ ଆକର୍ଷଣୀୟ ହୋଇଥିଲା। ଏଥିସହ ଆତସବାଜୀ କାର୍ଯ୍ୟକ୍ରମ ବି ମେଳଣ ପଡ଼ିଆର ଶୋଭା ବଢ଼ାଇଥିଲା। ରାତିରେ ଥାନପତି ବୁଦ୍ଧନାଥଙ୍କ ସହ ହରିହର ଭେଟ ହେବା ପରେ ନିମନ୍ତ୍ରିତ ଦେବତାମାନଙ୍କୁ ବସ୍ତ୍ର ଓ ଭୋଗ ଲାଗି କରି ମେଲାଣି ଦିଆଯାଇଥିଲା। ହଜାର ହଜାର ଲୋକଙ୍କ ସମାଗମ ଭିତରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମେଳଣ ପଡ଼ିଆ ପ୍ରକମ୍ପିତ ହେଉଥିଲା।
ସୂଚନାଯୋଗ୍ୟ ଯେ ୧୮୬୫ ମସିହାରେ ବାଲିପାଟଣା ଥାନାର ତତ୍କାଳୀନ ଦାରୋଗା ଏହି ମେଳଣ ଆରମ୍ଭ କରିଥିବାରୁ ଏହାର ନାଁ ଡେପୁଟି ମେଳଣ ଥିଲା। କାଳକ୍ରମେ ଅପଭ୍ରଂଶ ହୋଇ ଏହା ଦୋପଟି ମେଳଣ ଭାବେ ପ୍ରସିଦ୍ଧି ଲାଭ କରିଛି। ଏହି ମେଳଣରୁ ମେଲାଣି ନେବା ପରେ ଗାଁ ଗାଁରେ ଚାଚେରି ଭୋଗଖିଆ ହେବା ବିଧି ରହିଛି। ଫାଲ୍ଗୁନ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଭୋଗଖିଆ ଚାଲିବ।
ହାତରେ ବାଣ ଫୁଟି ଯୁବକ ଗୁରୁତର
ଗତକାଲି ରାତିରେ ମେଳଣକୁ ଆସୁଥିବା ଶିଶୁମଠସାହିର ରାଧାମୋହନ ଦେବଙ୍କ ଦୋଳବିମାନ ସମ୍ମୁଖରେ ବାଣ ଫୁଟାଯାଉଥିଲା। ସୁଶିଲ କୁମାର ନାୟକ ଓରଫ୍ ପପୁ ବାଣ ଫୁଟାଉଥିଲେ। ସେ ଗୋଟିଏ ହାତରେ ଘଡ଼ି ଓ ଅନ୍ୟ ହାତରେ ଗଡ଼ମ୍ବା ଧରିଥିଲେ। ହଠାତ୍ ଘଡ଼ି ବାଣରୁ ନିଆଁ ଛିଟିକି ଗଡ଼ମ୍ବାରେ ଲାଗି ଯାଇଥିଲା ଏବଂ ବିସ୍ଫୋରଣ ହୋଇଥିଲା। ଫଳରେ ପପୁଙ୍କ ହାତରେ ଗୁରୁତର କ୍ଷତ ସୃଷ୍ଟି ହୋଇଥିଲା। ତୁରନ୍ତ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା।