ହୋଟେଲରେ ଘରୋଇ ଗ୍ୟାସ୍‌ ସିଲିଣ୍ଡର: ଯୋଗାଣ ବିଭାଗ ଚୁପ୍‌

ହୋଟେଲ ମାଲିକ, ଗ୍ୟାସ୍‌ ଏଜେନ୍ସି ମଧୁଚନ୍ଦ୍ରିକା, ହଇରାଣ ହେଉଛନ୍ତି ଘରୋଇ ଉପଭୋକ୍ତା

ଭୁବନେଶ୍ବର: ହୋଟେଲ, ରେସ୍ତୋରାଁ, ଫାଷ୍ଟ୍‌ଫୁଡ୍‌ ଓ ଜଳଖିଆ ଦୋକାନରେ ବ୍ୟାପକ ଭାବେ ବ୍ୟବହାର ହେଉଛି ଘରୋଇ ଗ୍ୟାସ୍‌ ସିଲିଣ୍ଡର୍‌। ଏହି ବେଆଇନ କାମ ଖୋଲାଖୋଲି ଚାଲିଥିଲେ ବି ଯୋଗାଣ ବିଭାଗ ନିରବଦ୍ରଷ୍ଟା ସାଜି ବସିଛି। ଏଣେ ଘରୋଇ ଗ୍ୟାସ୍‌ ଉପଭୋକ୍ତାମାନେ ଠିକଣା ସମୟରେ ଗ୍ୟାସ୍ ନପାଇ ହଇରାଣ ହେଉଛନ୍ତି। ମୁନାଫାଖୋର୍‌ ବ୍ୟବସାୟୀ ଓ ଗ୍ୟାସ୍‌ ଏଜେନ୍ସିଙ୍କ ମଧୁଚନ୍ଦ୍ରିକାରେ ଏହି ବେଆଇନ କାରବାର ଚାଲିଥିଲେ ବି ଯୋଗାଣ ବିଭାଗ ହାତବାନ୍ଧି ବସିଥିବାରୁ ଘରୋଇ ଉପଭୋକ୍ତାଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଏବେ କମର୍ସିୟାଲ୍‌ ଗ୍ୟାସ୍‌ ସିଲିଣ୍ଡର୍‌ର ଦାମ୍ ବଢ଼ିଯାଇଛି। ଘରୋଇ ଗ୍ୟାସ୍ ସିଲିଣ୍ଡର ଦର ବଢ଼ିଥିଲେ ବି ବ୍ୟବସାୟିକ ଗ୍ୟାସ୍‌ ସିଲିଣ୍ଡରର ଦର ବୃଦ୍ଧି ତୁଳନାତ୍ମକ ଦୃଷ୍ଟିରୁ ଅଧିକ। ତେଣୁ ରାସ୍ତାକଡ଼ରେ ଛୋଟ ଜଳଖିଆ ତଥା ଫାଷ୍ଟଫୁଡ୍‌ ଦୋକାନୀମାନେ ବ୍ୟବସାୟିକ ଗ୍ୟାସ୍‌ ସିଲିଣ୍ଡର ବ୍ୟବହାର କରିବାକୁ ପଛଘୁଞ୍ଚା ଦେଉଛନ୍ତି। ହିସାବ କହୁଛି କମର୍ସିୟାଲ୍‌ ସିଲିଣ୍ଡର ଗ୍ୟାସ୍ କିଲୋ ପ୍ରତି ୧୧୨ଟଙ୍କା ପଡୁଥିବାବେଳେ ଘରୋଇ ସିଲିଣ୍ଡର ଗ୍ୟାସ୍‌ କିଲୋ ପ୍ରତି ପାଖାପାଖି ୬୯ଟଙ୍କା ପଡୁଛି। ଅର୍ଥାତ୍ ପାଖାପାଖି ୪୩ ଟଙ୍କାର ଅନ୍ତର ରହୁଛି।

ତେଣୁ ଜଳଖିଆ ଦୋକାନୀମାନେ ବ୍ୟବସାୟିକ ଗ୍ୟାସ୍‌ ସିଲିଣ୍ଡର ବ୍ୟବହାର ନକରି ଘରୋଇ ସିଲିଣ୍ଡର ବ୍ୟବହାର କରୁଛନ୍ତି। ଯୋଗାଣ ବିଭାଗର ନିଷ୍କ୍ରିକ୍ରିୟତାର ସୁଯୋଗ ନେଇ ମଧ୍ୟମ ଧରଣର ହୋଟେଲ ମାଲିକମାନେ ମଧ୍ୟ ଘରୋଇ ଗ୍ୟାସ୍‌କୁ ବ୍ୟବହାର କରି ଭଲ ମୁନାଫା କମାଉଛନ୍ତି। ଏମାନେ ଦୈନିକ ଅଧିକ ସିଲିଣ୍ଡର ନେଇ ଯାଉଥିବାରୁ ଘରୋଇ ଗ୍ୟାସ୍‌ ଉପଭୋକ୍ତାମାନେ ଠିକ୍‌ ସମୟ‌ରେ ସିଲିଣ୍ଡର ପାଇ ପାରୁନାହାନ୍ତି। ନିୟମାନୁସାରେ ବୁକିଂ କରିବାର ୨୪ଘଣ୍ଟା ଭିତରେ ସିଲିଣ୍ଡର ମିଳିବାକୁ ଥିଲେ ମଧ୍ୟ ଘରୋଇ ଉପଭୋକ୍ତା ଦୁଇ ତିନି ଦିନ କାଳ ଅପେକ୍ଷା କରିବାକୁ ପଡୁଛି। ଏନେଇ ଗ୍ୟାସ୍‌ ଏଜେନ୍ସି ପାଖରେ ଅଭିଯୋଗ କଲେ ସେମାନେ ବିଭିନ୍ନ ଆଳ ଦେଖାଇ ଉପଭୋକ୍ତାଙ୍କୁ ଫେରାଇ ଦେଉଛନ୍ତି।

ଗ୍ୟାସ୍‌ ଏଜେନ୍ସିମାନେ ଘରୋଇ ଉପଭୋକ୍ତାଙ୍କ ତୁଳନାରେ ବ୍ୟବସାୟୀମାନଙ୍କୁ ପ୍ରାଥମିକତା ଭିତ୍ତିରେ ଯୋଗାଇ ଦେଉଛନ୍ତି। ବଡ଼ କଥା ହେଉଛି ଏବେ ଉଜ୍ଜଳା ଯୋଜନାର ବହୁ ହିତାଧିକାରୀ ଗ୍ୟାସ୍ ସିଲିଣ୍ଡର ବ୍ୟବହାର କରୁନାହାନ୍ତି। ସେମାନଙ୍କ ସିଲିଣ୍ଡର୍‌କୁ ଗ୍ୟାସ୍‌ ଏଜେନ୍‌ସିମାନେ ବ୍ୟବସାୟୀଙ୍କୁ ବିକ୍ରି କରି ଦେଉଥିବା ଅଭିଯୋଗ ହେଉଛି। ଏ ସଂପର୍କରେ ଖୋର୍ଦ୍ଧା ଜିଲ୍ଲା ଯୋଗାଣ ଅଧିକାରୀ ସୁଗଦା ମୁର୍ମୁଙ୍କୁ ପଚାରିବାରୁ ସେ କହିଛନ୍ତି ମଣ୍ଡଳସ୍ତରୀୟ ଅଧିକାରୀମାନେ ଏହା ଉପରେ ନିୟମିତ ଯାଞ୍ଚ କରିବା ବ୍ୟବସ୍ଥା ରହିଛି। ତେଣୁ ଏହା ଉପରେ ଅନୁଧ୍ୟାନ କରାଯିବ ଏବଂ ଆଗାମୀ ଦିନରେ ଚଢ଼ଉ କରାଯିବ। ଏଭଳି ବେଆଇନ କାମ କରୁଥିବା ବ୍ୟବସାୟୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର