ଘରୋଇ ସହାୟିକାଙ୍କୁ କରୋନା ନିର୍ଯାତନା : ରିପୋର୍ଟ ନେଗେଟିଭ୍‌ ତଥାପି ପାଖ ପୂରାଉନାହାନ୍ତି

ଚନ୍ଦ୍ରଶେଖରପୁର : ସାଲିଆସାହି ସାନ୍ତାଳ ବସ୍ତିର ମମତା ହିମିରିକା। ମୈତ୍ରୀବିହାରସ୍ଥିତ ଏକ ଆପାର୍ଟମେଣ୍ଟରେ ରହୁଥିବା ଦୁଇ ଜଣ ବାବୁଙ୍କ ଘରେ ସେ କାମ କରନ୍ତି। ଜଣେ ଭଦ୍ର ଓ ସୁଶୀଳା ଘରୋଇ ସହାୟିକା ଭାବେ ସେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଜଣାଶୁଣା। କିନ୍ତୁ ଫାଟକ ନିକଟରେ ତାଙ୍କୁ ଅପମାନିତ କରିଥିଲେ ଉକ୍ତ ଆପାର୍ଟମେଣ୍ଟ ସୋସାଇଟିର କର୍ମକର୍ତ୍ତାମାନେ। ସେ କରୋନା ନେଗେଟିଭ୍‌ ଯାଞ୍ଚ ରିପୋର୍ଟ ଦେଖାଇବା ପରେ ମଧ୍ୟ ସେମାନେ ତାଙ୍କୁ ଆପାର୍ଟମେଣ୍ଟ ଭିତରକୁ ଯିବାକୁ ଦେଇନଥିଲେ। ବସ୍ତିବାସିନ୍ଦା ହୋଇଥିବାରୁ କିଛି କର୍ମକର୍ତ୍ତା ତାଙ୍କୁ କଟୁ ଭାଷାରେ କହିଥିଲେ। ତାଙ୍କଠାରୁ କରୋନା ସଂକ୍ରମଣ ଆଶଙ୍କା ରହିଛି ବୋଲି ଦର୍ଶାଇ ଛି’ଛାକର କରିଥିଲେ। ସହିବା ସୀମା ଟପିବା ଦେଖି ମମତା ମଧ୍ୟ ଜବାବ୍ ଦେଇଥିଲେ। ପେଟପାଟଣାର କଥା ଥିବାରୁ ମମତା‌ ମୁହଁ ଖୋଲିବାକୁ ବାଧ୍ୟ ହୋଇଥିଲେ। ଫଳରେ ପାଟିତୁଣ୍ଡ ହୋଇଥିଲା ଓ ଖବର ପାଇ ମମତାଙ୍କ ଦୁଇ ନିଯୁକ୍ତିଦାତା ଘଟଣାସ୍ଥଳରେ ପହଞ୍ଚିଥିଲେ। ସୋସାଇଟି କର୍ମକର୍ତ୍ତାଙ୍କ ସହ ସେମାନଙ୍କର ମଧ୍ୟ କଥା କଟାକଟି ହୋଇଥିଲା। ତେବେ ଉକ୍ତ ଦୁଇ ନିଯୁକ୍ତିଦାତା ଅନ୍ୟମାନଙ୍କଠାରୁ ଦୂ‌ରେଇ ରହିବା ପାଇଁ ରାଜି ହେବା ପରେ ମାମଲା ଶାନ୍ତ ପଡ଼ିଥିଲା। ମମତାଙ୍କୁ ଏହା ମାନସିକ ସ୍ତରରେ ବଡ଼ ଆଘାତ ଦେଇଥିଲା।

ଏହା କେବଳ ଏକ ନମୁନା ମାତ୍ର। ରାଜଧାନୀର ଶହ ଶହ ଘରୋଇ ସହାୟିକା ଏମିତି ମାନସିକ ନିର୍ଯାତନାର ଶିକାର ହେଉଛନ୍ତି। ସେମାନଙ୍କ ନିଯୁକ୍ତିଦାତା ବାବୁମାନେ ରହୁଥିବା ଆପାର୍ଟମେଣ୍ଟର ଅନ୍ୟମାନେ ସେମାନଙ୍କୁ ଦୂର୍‌ଦୂର୍‌ ମାର୍‌ମାର୍‌ କରୁଛନ୍ତି। ଅପମାନସୂଚକ କଥାବାର୍ତ୍ତା କରୁଛନ୍ତି। ପେଟ ପାଇଁ ସେମାନେ ସବୁ ସହିବାକୁ ବାଧ୍ୟ ହେଉଛନ୍ତି। କାମ ଛାଡ଼ିଦେଲେ ପେଟ ପୋଡ଼ିଯିବ। ତେଣୁ ମନର କଷ୍ଟ ମନରେ ମାରି ସେମାନେ ବାବୁମାନଙ୍କ ଘରର ପାଇଟି କରୁଛନ୍ତି। ସାଲିଆସାହି ସାନ୍ତାଳ ବସ୍ତିରେ ରହୁଥିବା ଅନ୍ନପୂର୍ଣ୍ଣା ସାହୁ, ଅପସରା ଶତପଥୀ, ମୀରା ସାହୁ, କଣ୍ଢେଇ ନାୟକ, ନନ୍ଦିନୀ ହିମିରିକା, ମମତା ସୋରେନ୍ ଓ ନବିତା ବାରିକଙ୍କ ଭଳି ବହୁ ଘରୋଇ ସହାୟିକାଙ୍କ ସମାନ ଅଭିଯୋଗ। ସେମାନେ ସାଲିଆସାହି ବସ୍ତିରେ ରହୁଥିବାରୁ ଘରୋଇ କାମ ପାଇଁ ପ୍ରଥମେ ‌କେହି ରାଜି ହୋଇନଥିଲେ। ଯେଉଁ ବାବୁମାନଙ୍କ ଘରେ ପୂର୍ବରୁ ସେମାନେ କାମ କରୁଥିଲେ, ସେମାନେ କରୋନା ଟେଷ୍ଟିଂ ରିପୋର୍ଟ ଦେଖାଇଲେ କାମ କରିବାକୁ ସୁଯୋଗ ମିଳିବ ବୋଲି କହିଥିଲେ। ତେଣୁ ସେମାନେ କରୋନା ପରୀକ୍ଷା କରାଇ ନେଗେଟିଭ୍‌ ରିପୋର୍ଟ ହାସଲ କରିଛନ୍ତି। ଏମିତିକି ବାବୁମାନଙ୍କ ଘରେ କାମ ପାଇଟି କରୁଥିବାରୁ ସେମାନେ ସେମାନଙ୍କ ସାହିରେ ଏକପ୍ରକାର ଗୃହ ସଙ୍ଗରୋଧରେ ରହୁଛନ୍ତି ବୋଲି କହିଛନ୍ତି ନନ୍ଦିନୀ ହିମିରିକା। ତେଣୁ ସେମାନଙ୍କ ବାବୁମାନେ ଘରେ କାମ କରିବା ପାଇଁ ସୁଯୋଗ ଦେଇଛନ୍ତି। ମାତ୍ର ଏବେ ବାଧା ଦେଉଛନ୍ତି ସୋସାଇଟିର କର୍ମକର୍ତ୍ତାମାନେ। ଘରୋଇ ସହାୟିକା ଅନ୍ନପୂର୍ଣ୍ଣାଙ୍କ କହିବା ଅଭାବଠାରୁ ଅପମାନ ବଡ଼ ନୁହେଁ। ଗରିବ ଲୋକ ହୋଇଥିବାରୁ ସବୁ ସହିବାକୁ ପଡ଼ିବ। ନ ହେଲେ ପେଟ ପୂରିବ କେମିତି ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି। କିନ୍ତୁ ଏଣିକି ଆଉ ସେମାନେ ସହିବେ ନାହିଁ ବୋଲି କହିଛନ୍ତି ଘରୋଇ ସହାୟିକା ନବିତା ବାରିକ। ଏଭଳି ଅପମାନ ବିରୋଧରେ ସେମାନେ ପୁଲିସର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର