ଚନ୍ଦ୍ରଶେଖରପୁର: ଦେଶରେ କରୋନା ମହାମାରୀ ନ ବ୍ୟାପିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍ଡାଉନ ଘୋଷଣା କରିଛନ୍ତି। ଫଳରେ ଘରେ ସମସ୍ତେ ଏକପ୍ରକାର ଗୃହବନ୍ଦୀ ହୋଇ ରହିଛନ୍ତି। ଏମିତି ସମୟରେ ଗୋଟିଏ ଘରେ ସ୍ବାମୀ, ସ୍ତ୍ରୀ, ପିଲାଛୁଆ ଓ ବୁଢ଼ା ବାପା, ମା’ ଦିନ ରାତି ରହି ବ୍ୟତିବ୍ୟସ୍ତ ହୋଇଗଲେଣି। ଘରୁ ବାହାରି ବାହାରେ ବୁଲାବୁଲି କଲେ କିମ୍ବା ଛକରେ ଖଟି କଲେ ପୁଲିସ ଗୋଡ଼ାଇ ପିଟୁଛି। ସାମାଜିକ ଦୂରତା ରକ୍ଷା କରିବା ଓ ଘରୁ ନ ବାହାରିବା ପାଇଁ ସରକାରଙ୍କ ପକ୍ଷରୁ ନିୟମ କରାଯାଇଥିବା ବେଳେ ଏବେ ଦୀର୍ଘଦିନ ଧରି ଘର ଭିତରେ ପରିବାର ଲୋକ ରହିବା ଫଳରେ ଘରୋଇ ହିଂସା ଭଳି ଘଟଣା ଘଟୁଛି। ଲୋକମାନଙ୍କ ମଧ୍ୟରେ ସଚେତନତାର ଅଭାବ ଥିବାରୁ ଏପରି ହିଂସା ଏବେ ପ୍ରାୟ ପ୍ରତିଦିନ ଦେଖିବାକୁ ମିଳୁଛି। ମାତ୍ର ଅଭିଯୋଗ ଥାନା ପର୍ଯ୍ୟନ୍ତ ଯାଇ ପାରୁନଥିବାରୁ ପରିବାର କଥା ପରିବାର ମଧ୍ୟରେ ସୀମିତ ରହୁଛି। ଏପରି ମାନସିକ ଚାପରେ ରହି ଗତ ୪ଦିନ ମଧ୍ୟରେ ଚନ୍ଦ୍ରଶେଖରପୁର ଓ ମଞ୍ଚେଶ୍ବର ଅଞ୍ଚଳରେ ଜଣେ ଆତ୍ମହତ୍ୟା କରିଛନ୍ତି ଓ ୪ଜଣଙ୍କୁ ସ୍ଥାନୀୟ ଲୋକ ମୃତ୍ୟୁ ମୁଖରୁ ଉଦ୍ଧାର କରିଛନ୍ତି।
ଦୁଇ ଦିନ ପୂର୍ବେ ମଞ୍ଚେଶ୍ବର ଥାନା ଅଧୀନ କେଳୁଚରଣ ପାର୍କ ନିକଟରେ ଥିବା ବସ୍ତିରେ ଜଣେ ମହିଳା ନିଜ ବେକରେ ରଶିବାନ୍ଧି ଆତ୍ମହତ୍ୟା କରିଥିଲେ। ତାଙ୍କ ପରିବାର ମଧ୍ୟରେ ରୋଜଗାରକୁ ନେଇ କଳିଝଗଡ଼ା ଲାଗିଥିଲା। ଫଳରେ ମହିଳା ଜଣକ ରାତିରେ ଘରୁ ପଳାଇ ଆସି ଆତ୍ମହତ୍ୟା କରିଥିଲେ। ସକାଳେ ତାଙ୍କ ଶବକୁ ପୁଲିସ ଘଟଣାସ୍ଥଳରୁ ଉଦ୍ଧାର କରିଥିଲା। ସେହିଭଳି ନୀଳାଦ୍ରିବିହାର ପଣ୍ଡାପାର୍କ ବସ୍ତିରେ ଏକ ଦମ୍ପତି ଘରେ ଖାଦ୍ୟ ଅଭାବରୁ ପରସ୍ପର ମଧ୍ୟରେ ଗଣ୍ଡଗୋଳ କରି ନିକଟସ୍ଥ ଚନ୍ଦକା ଅଭୟାରଣ୍ୟ ପାଚେରି ପାଖ ଗଛରେ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରୁଥିବା ବେଳେ ସେମାନଙ୍କ ପିଲାମାନେ ଚିତ୍କାର କରି ସ୍ଥାନୀୟ ଲୋକଙ୍କୁ ସୂଚନା ଦେଇଥିଲେ। ଫଳରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ସେମାନଙ୍କ ନିକଟରେ ପହଞ୍ଚି ଖାଦ୍ୟ ଓ ୧ହଜାର ଟଙ୍କା ପ୍ରଦାନ କରିଥିଲା। ପରେ ସେମାନଙ୍କ ନିକଟରେ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ ରାଉତ ପହଞ୍ଚି ଆଉ ୩ହଜାର ଟଙ୍କା ପ୍ରଦାନ କରିଥିଲେ। ସେହିଭଳି ଆଜି ମଞ୍ଚେଶ୍ବର ଲାଇନ ବସ୍ତିର ଜଣେ ଯୁବକ ପିଡିଏସ୍ ଅର୍ଥ ଆଣିବା ପାଇଁ ନିଜ ପତ୍ନୀଙ୍କୁ ପଠାଇଥିଲେ ପତ୍ନୀ ନଯିବାରୁ ସେ ନିସ୍ତୁକ ମାଡ଼ମାରି ପତ୍ନୀଙ୍କୁ ଅଚେତ କରିଦେଇଥିଲେ। ମହିଳା ଜଣକ ନିକଟ ଟ୍ରେନ୍ ଲାଇନ୍କୁ ଦୌଡ଼ିଯାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବସ୍ତିବାସିନ୍ଦା ମହିଳାଙ୍କୁ ଉଦ୍ଧାର କରି ସେମାନଙ୍କ ମଧ୍ୟରେ ଆପୋସ ବୁଝାମଣା କରିଥିଲେ। ଏପରି ଆନେକ ଘଟଣା ବର୍ତମାନ ଅଧିକାଂଶ ଘରେ ଘଟୁଥିବା ବେଳେ ଅନେକ ପରିବାର ଲୋକ ମାନସିକ ଚାପରେ ଅଛନ୍ତି। ମାତ୍ର ଏନେଇ ଥାନାରେ ଅଭିଯୋଗ ହେଉନଥିବାରୁ ପୁଲିସ ବର୍ତମାନ ସାମାନ୍ୟ ବଚସା ହେଉଥିବା ପରିବାର ଲୋକଙ୍କୁ ସଚେତନ କରିବାରେ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/1624812-genderviolence-1517577214-872-640x480.jpg)