ଉତ୍କଟ ହେଲାଣି ପାରିବାରିକ ହିଂସା: ହତ୍ୟା, ଆତ୍ମହତ୍ୟା ଉଦ୍‌ବେଗଜନକ

ଭୁବନେଶ୍ବର: ଲକ୍‌ଡାଉନ୍‌ରେ ପାରିବାରିକ ହିଂସା ଚରମ ସୀମାରେ ପହଞ୍ଚିଥିବା ବେଳେ ଏପରି ଲାଗି ରହିଲେ, ସ୍ଥିତି ଆଗକୁ ଆହୁରି ସାଂଘାତିକ ହେବ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏହି ସମୟରେ ହତ୍ୟା, ଆତ୍ମହତ୍ୟା, ମାରପିଟ୍, ଆକ୍ରମଣ ଭଳି ଘଟଣା ବଢ଼ି ଚାଲିଛି, ଯାହା ଏବେ ଚିନ୍ତାର କାରଣ ସାଜିଛି। ଗତ ତିନି ମାସ ଭିତରେ ରାଜଧାନୀରେ ପାରିବାରିକ କଳହ, ଆର୍ଥିକ ସମସ୍ୟାକୁ କେନ୍ଦ୍ର କରି ୩ ହତ୍ୟାକାଣ୍ଡ ଓ ୧୦ରୁ ଅଧିକ ଆତ୍ମହତ୍ୟା ଘଟଣା ଆଲୋଡ଼ନ ସୃଷ୍ଟି କରିଛି।

ଗତ ୨୪ ତାରିଖରେ ଏୟାରପୋର୍ଟ ଥାନା ଅନ୍ତର୍ଗତ କାରଗିଲ ବସ୍ତିରେ ନବ ବିବାହିତା ଗର୍ଭବତୀ ପତ୍ନୀଙ୍କୁ ସ୍ବାମୀ ହାତୁଡ଼ିରେ ଛେଚି ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ହତ୍ୟାର ଶିକାର ହୋଇଥିବା ଶକୁନ୍ତଳା ମାଝୀ ମାତ୍ର ୬ ମାସ ତଳେ ମୁରଲୀଧର ବେହେରାଙ୍କୁ ବିବାହ କରିଥିଲେ। ଲକ୍‌ଡାଉନରେ ରୋଜଗାର ହରାଇଥିବା ମୁରଲୀଧର ଯୌତୁକ ଟଙ୍କା ଦାବି କରି ହତ୍ୟାକାଣ୍ଡ ଘଟାଇଥିବା ଅଭିଯୋଗ ହୋଇଥିଲା। ସେହିପରି ପତ୍ନୀର ଚରିତ୍ରକୁ ସନ୍ଦେହ କରି ଖଣ୍ଡଗିରି ଥାନା ଜଗମୋହନ ନଗରରେ ଗତ ୧୬ ତାରିଖରେ ପୁଅ ଡାକ୍ତର ରଞ୍ଜନ ମିଶ୍ର ବାପା ରାଜକିଶୋର ମିଶ୍ରଙ୍କୁ ହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା। ଅପରପକ୍ଷେ ଗତ ମେ’ ୨୯ ତାରିଖରେ ଶ୍ରୀଲିଙ୍ଗରାଜ ଥାନା କୁମ୍ଭାର ସାହି କେନାଲ ରୋଡ୍‌ରେ ନବବିବାହିତା ଗର୍ଭବତୀ ପତ୍ନୀ ମୀନାକ୍ଷୀ ରାଉତଙ୍କୁ ସ୍ବାମୀ ରାକେଶ ରାଉତ ହତ୍ୟା କରି ନିଜେ ଆତ୍ମହତ୍ୟା କରିଥିଲେ।

ଜୀବନଜୀବିକା ପ୍ରମୁଖ କାରଣ
ଲକ୍‌ଡାଉନରେ ଜୀବନଜୀବିକା ଏକ ପ୍ରମୁଖ କାରଣ ପାଲଟିଛି। ଏହି ଦୁଇଟି କେହି କାହାଠାରୁ ଅଲଗା ନୁହେଁ। ଜୀବନରେ ସମ୍ମାନ ସହ ବଞ୍ଚିବାକୁ ହେଲେ ଜୀବିକାର ଆବଶ୍ୟକତା ରହିଛି। ଲକ୍‌ଡାଉନ୍‌ ଅନେକଙ୍କ ଜୀବିକା ଛଡ଼ାଇ ନେଇଛି। ଫଳରେ ସେମାନେ ମାନସିକ ଦୁଶ୍ଚିନ୍ତାରେ ରହୁଛନ୍ତି। ଯେଉଁମାନେ ଋଣ କରି ବ୍ୟବସାୟ କରୁଛନ୍ତି ସେମାନେ ମଧ୍ୟ ମାନସିକ ଅଶାନ୍ତି ଦେଇ ଗତି କରୁଛନ୍ତି। ଯାହାଫଳରେ ଆତ୍ମହତ୍ୟା ଭଳି ଘଟଣା ବଢ଼ୁଥିବା କହିଛନ୍ତି ମନସ୍ତତ୍ତ୍ବବିତ ପ୍ରଫେସର ପ୍ରତାପ ରଥ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ମେ ୧୪ ତାରିଖରେ ବଡ଼ଗଡ଼ ଥାନା ଗୌତମନଗର ଅଞ୍ଚଳରେ ହୋଟେଲ ରୋଷେୟା ବାବୁଲା ବେହେରାଙ୍କ ପତ୍ନୀ ମିନିଲତା ଆତ୍ମହତ୍ୟା କରିଥିଲେ। ହୋଟେଲ ବନ୍ଦ ଥିବାରୁ ବାବୁଲାଙ୍କ ରୋଜଗାର ନ ଥିବା ଓ ହାତ ଉଧାରି ପାଇଁ ମିନିଲତା ଆତ୍ମହତ୍ୟା କରିଥିବା ଜଣା ପଡ଼ିଥିଲା। ମେ ୧୦ ତାରିଖରେ ଆର୍ଥିକ ଅନଟନ ଯୋଗୁଁ ଜଣେ ଶ୍ରମିକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

ବଢ଼ୁଛି ମାନସିକ ଚାପ
ଲକ୍‌ଡାଉନରେ ମହିଳା ଓ ପୁରୁଷଙ୍କ ମାନସିକ ଚାପ ବଢ଼ୁଛି। ଘର କାମ ଚାପ ପଡୁଥିବାରୁ ମହିଳାମାନେ ଚିଡ଼ା ସ୍ବଭାବର ହୋଇ ଯାଉଛନ୍ତି। ପୁରୁଷମାନେ ବାହାରକୁ ନ ଯାଇ ଘରେ ଅଧିକାଂଶ ସମୟ ରହୁଥିବାରୁ ଏହା ସ୍ବାମୀ-ସ୍ତ୍ରୀଙ୍କ କଳହର ପ୍ରମୁଖ କାରଣ ହେଉଛି। ଉଭୟଙ୍କ ମଧ୍ୟରେ ଆପୋସ ବୁଝାମଣା, ପରସ୍ପର ସହ କଥାବାର୍ତା, ଆର୍ଥିକ ସଂକଟ ବଢ଼ୁଥିବାରୁ ଖର୍ଚ କମାଇ ପାରିଲେ ଘରୋଇ ହିଂସା କମିପାରିବ ବୋଲି କହିଛନ୍ତି ଆଇନଜୀବୀ ବିଶେଶ୍ବରୀ ମହାନ୍ତି।

ସରକାର କାଉନସେଲିଂ ବ୍ୟବସ୍ଥା କରନ୍ତୁ
ମନସ୍ତତ୍ତ୍ବବିତ ପ୍ରଫେସର ପ୍ରତାପ ରଥଙ୍କ ସୂଚନା ଅନୁସାରେ ସ୍ଥିତି ଉଦ୍‌ବେଗଜନକ ରହିଛି। ଗୋଟିଏ ପଟେ କରୋନା ମୁକାବିଲା ଚାଲିଥିବା ବେଳେ ଅନ୍ୟପଟରେ ଜୀବନଜୀବିକା ମଧ୍ୟ ମୂଲ୍ୟବାନ। ଘରୋଇ ହିଂସା ବଢ଼ୁଥିବାରୁ କାଉନସେଲିଂ ନିହାତି ଜରୁରୀ ହୋଇ ପଡ଼ିଛି। ଓଡ଼ିଶା ଆସୋସିଏସନ୍ ଅଫ୍ କାଉନସେଲିଂ ସାଇକୋଲୋଜିଷ୍ଟ ପକ୍ଷରୁ ମାଗଣା କାଉନସେଲିଂ ଉପଲବ୍ଧ କରାଯାଇଛି। ଏଥିରେ ୨୫ ଜଣ ମନସ୍ତତ୍ତ୍ବବିତଙ୍କ ନାମ ଓ ନମ୍ବର ରହିଛି। ରାଜ୍ୟ ସରକାର କିମ୍ବା ପୁଲିସ ଚାହିଁଲେ ଆମର ସହାୟତା ନେଇ ପାରିବେ ବୋଲି ପ୍ରଫେସର ରଥ କହିଛନ୍ତି।

ସ୍ବାମୀ-ସ୍ତ୍ରୀଙ୍କ ଭିତରେ ବଢ଼ୁଛି ସନ୍ଦେହ
ଲକ୍‌ଡାଉନରେ ଅଧିକାଂଶ ସମୟ ସ୍ବାମୀ-ସ୍ତ୍ରୀ ଏକାଠି ଘରେ ରହୁଛନ୍ତି। ଯଦି ସ୍ତ୍ରୀ ଅଧିକ ସମୟ ମୋବାଇଲ ଫୋନରେ ବ୍ୟସ୍ତ ରହୁଛନ୍ତି ତା’ହେଲେ ସ୍ବାମୀଙ୍କ ମନରେ ସନ୍ଦେହ ଆସୁଛି। ଯଦି ସ୍ବାମୀ ବ୍ୟସ୍ତ ରହୁଛନ୍ତି ତା’ହେଲେ ସ୍ବାମୀ ସନ୍ଦେହ କରୁଛନ୍ତି। ଯାହା ପାରିବାରିକ କଳହର ଅନ୍ୟ ଏକ କାରଣ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ପ୍ରତିଦିନ ବିଭିନ୍ନ ଥାନାକୁ ସ୍ବାମୀ- ସ୍ତ୍ରୀଙ୍କ ଭିତରେ ପାଟିତୁଣ୍ଡ, ମାରପିଟ୍ ଭଳି ଘଟଣା ଆସୁଥିବା ଅଧିକାରୀ ଜଣକ କହିଛନ୍ତି। ଗତ କିଛିଦିନ ତଳେ ଲକ୍ଷ୍ମୀସାଗର ଅଞ୍ଚଳରେ ମୋବାଇଲରେ କଥା ହେବାକୁ କେନ୍ଦ୍ର କରି ସ୍ବାମୀଙ୍କ ତାଗିଦ୍ ପାଇଁ ଜଣେ ନବବିବାହିତା ଆତ୍ମହତ୍ୟା କରିଥିଲେ।

ବେରୋଜଗାର ବଢ଼ାଇବ ଅପରାଧ
ବେରୋଜଗାର ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। ଆଗକୁ ଆହୁରି ଉଦ୍‌ବେଗଜନକ ସ୍ଥିତି ହେବାର ଆଶଙ୍କା ମଧ୍ୟ ପ୍ରକାଶ ପାଇଛି। ଯେଉଁଥିପାଇଁ ଅପରାଧ ଦିନକୁ ଦିନ ବଢ଼ୁଛି। ଆଗକୁ ଆହୁରି ବଢ଼ିବାର ସମ୍ଭାବନା ମଧ୍ୟ ରହିଛି। ବେରୋଜଗାର ଅପରାଧ ସହ ଘରୋଇ ହିଂସା ମଧ୍ୟ ବଢ଼ାଇବ ବୋଲି କହିଛନ୍ତି ପୂର୍ବତନ ପୁଲିସ ଡିଜି ବିପିନ ବିହାରୀ ମିଶ୍ର।

ସମ୍ବନ୍ଧିତ ଖବର