ଭୁବନେଶ୍ବର: ନୂଆନୂଆ ତରିକାରେ ଲୁଟି ଚାଲିଛନ୍ତି ସାଇବର ଠକ। ପୁଣି ଏକ ନୂଆ ତରିକାର ସାଇବର ଠକାମି ଲୋକଲୋଚନକୁ ଆସିଛି। ବାତିଲ ହୋଇଥିବା ବିମାନ ଟିକେଟ୍‌ ଟଙ୍କା ଫେରି ପାଇବା ବଦଳରେ ଜଣେ ବ୍ୟକ୍ତି ସାଇବର ଠକ ଜାଲରେ ଫସି ଦେଢ଼ ଲକ୍ଷ ଟଙ୍କା ହରାଇଥିବା ଜଣାପଡ଼ିଛି। ଠକାମିର ଶିକାର ହୋଇଛନ୍ତି ଗୁଜରାଟ ଗାନ୍ଧୀଧାମରେ ରହୁଥିବା ଓଡ଼ିଆ ବ୍ୟକ୍ତି ପ୍ରଶାନ୍ତ କୁମାର ବିଦ୍ୟାଧର। ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ଖୋଳତାଡ଼ ଆରମ୍ଭ ହୋଇଛି। ମାତ୍ର ପ୍ରଶାନ୍ତଙ୍କୁ ତାଙ୍କ ଟଙ୍କା ମିଳି ପାରିନାହିଁ।

Advertisment

ସୂଚନାନୁସାରେ ପ୍ରଶାନ୍ତ ଗୁଜରାଟର ଏକ ଷ୍ଟିଲ୍ କମ୍ପାନିରେ ପ୍ରଡକ୍ସନ ମ୍ୟାନେଜର ଭାବେ କାମ କରନ୍ତି। ଭୁବନେଶ୍ବର ଆସିବା ପାଇଁ ସେ ଅନ୍‌ଲାଇନରେ ଟିକେଟ୍‌ ବୁକିଂ କରିଥିଲେ। ମାତ୍ର କୌଣସି କାରଣବଶତଃ ତାଙ୍କ ଭୁବନେଶ୍ବର ଆସିବା ବାତିଲ୍‌ ହୋଇଗଲା। ତେଣୁ ବିମାନ ଟିକେଟ୍‌ ବାତିଲ୍‌ କଲେ। ଅବଶିଷ୍ଟ ଟଙ୍କା ଫେରସ୍ତ ପାଇଁ ସେ ଗତକାଲି ସମ୍ପୃକ୍ତ ଅନ୍‌ଲାଇନ୍‌ ଟିକେଟ୍‌ ବୁକିଂ ସାଇଟ୍ କଷ୍ଟମର କେୟାରକୁ ଫୋନ୍ କରିଥିଲେ। ଏହା ପରେ ହ୍ବାଟସ୍‌ଆପ୍‌ ଜରିଆରେ ତାଙ୍କୁ ମେସେଜ୍ ଆସିଥିଲା। ଏକ ଆପ୍ ଡାଉନ୍‌ଲୋଡ୍ କରିବା ପାଇଁ କୁହାଯାଇଥିଲା ଓ ସେହି ଆପ୍ ଜରିଆରେ ୧ ଟଙ୍କା ପଠାଇବା ପାଇଁ ମେସେଜ୍‌ କରିଥିବା ବ୍ୟକ୍ତି କହିଥିଲେ। ପ୍ରଶାନ୍ତ ସେହି ଆପ୍‌ରେ ୧ ଟଙ୍କା ଜମା କରିଥିଲେ। ମାତ୍ର କେଇ ମିନିଟ୍‌ ପରେ ତାଙ୍କ ଆକାଉଣ୍ଟରୁ ଦେଢ଼ ଲକ୍ଷ ଟଙ୍କା କଟି ଯାଇଥିଲା। ସେତେବେଳେ ସେ ସାଇବର ଠକଙ୍କ ଶିକାର ହେଲେ ବୋଲି ଜାଣିପାରିଥିଲେ। କିନ୍ତୁ ତାଙ୍କ ପାଖରେ ଆଉ କିଛି ଉପାୟ ନଥିଲା।