ଅମାନିଆଙ୍କୁ ଆଉ ନିସ୍ତାର ନାହିଁ, ଲକ୍‌ଡାଉନ୍‌ର ସପ୍ତାହେ ପରେ ବି ଚେତୁ ନାହାନ୍ତି

ବାହାନା ପାଲଟିଛି ସଉଦା, ପରିବା, ଔଷଧ ଓ କ୍ଷୀର, କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲେ ପୁଲିସ କମିସନର

ଭୁବନେଶ୍ବର: ଘର ପାଖରେ ପରିବା ଓ ସଉଦା ଦୋକାନ। ଚାଲିଚାଲି ଗଲେ କେଇ ମିନିଟ୍ ଲାଗିବ। କିନ୍ତୁ ବାଇକ୍ ଧରି ନ ଗଲେ ଚଳୁନି। ଏଇ ବାହାନାରେ ପରିବା, ସଉଦା, କ୍ଷୀର ବ୍ୟାଗ୍ ଗାଡ଼ି ହ୍ୟାଣ୍ଡଲରେ ଝୁଲାଇ ଦୁଇ ଚାରି ଘେରା ଚକ୍କର ନ କାଟିଲେ ମନ ବୁଝୁନି। ଆଉ କୋଉ ଗଳିକନ୍ଦିରେ ସାଙ୍ଗସାଥୀ ଜୁଟିଗଲେ ଘଣ୍ଟା ଘଣ୍ଟା ଧରି ଖଟି ଜମୁଛି। ଖାଲି ସେତିକି ନୁହେଁ; ଟଙ୍କେ ଦୁଇ ଟଙ୍କା ଯେଉଁଠି ପରିବା ଦର୍ କମ୍‌ ରହୁଛି, ସେଇଠି ଭିଡ଼ ଜମୁଛି। ସିଏ ପଛେ ଘରଠାରୁ ୫ କିଲୋମିଟର ଦୂର ହେଉ। କରୋନା ସଂକ୍ରମଣକୁ ରୋକିବା ଲାଗି ଲକ୍‌ଡାଉନ୍ ଲାଗୁ ହେବାର ସପ୍ତାହେ ପରେ ଏ ହେଉଛି ରାଜଧାନୀରେ ଅମାନିଆଙ୍କ ଆଇନ ଉଲ୍ଲଂଘନର ବାସ୍ତବ ଚିତ୍ର।

କୋଭିଡ୍ ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ମହାମାରୀକୁ ରୋକିବା ଲାଗି ଗତ ୫ ତାରିଖଠାରୁ ସାରା ରାଜ୍ୟରେ ଆରମ୍ଭ ହୋଇଥିଲା ଲକଡାଉନ୍। ମାତ୍ର ରାଜଧାନୀରେ ହାତଗଣତି କେତେକଙ୍କୁ ଛାଡ଼ିଦେଲେ ସବୁଆଡ଼େ ଆଇନ ଭାଙ୍ଗି ଚାଲିଛନ୍ତି ଅମାନିଆ। ଆଜି କମିସନରେଟ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଡ୍ରାଇଭ ଚାଲିଥିବା ବେଳେ ଏମିତି କିଛି ଚିତ୍ର ସାମ୍ନାକୁ ଆସିଛି। ଗୋଟିଏ ଗୋଟିଏ ଦୋକାନ ଆଗରେ ୧୦/୧୨ଟି ବାଇକ୍‌ ଛିଡ଼ା ହୋଇଥିଲା। ଦୋକାନରେ ମଧ୍ୟ ଭିଡ଼ ଲାଗିଥିଲା। ବଡ଼ଗଡ଼, ଲକ୍ଷ୍ମୀସାଗର, ଝାରପଡ଼ା ହାଟ ନିକଟରେ ଏକାଧିକ ଦୋକାନରେ ପୁଲିସ ଚଢ଼ଉ କରିଥିଲା। ସେହି ସବୁ ସ୍ଥାନରୁ ୫୦ରୁ ଅଧିକ ବାଇକ୍‌ ଚାଳକ ଓ ଦୋକାନୀଙ୍କ ଠାରୁ ଜରିମାନା ଆଦାୟ କରାଯାଇଥିଲା। କେତେକ ବାଇକ୍‌କୁ କ୍ରେନ ଯୋଗେ ପୁଲିସ ଉଠାଇ ମଧ୍ୟ ନେଇଥିଲା। ଜରିମାନା କାଟିବା ପରେ ସେମାନଙ୍କୁ କଡ଼ା ଚେତାବନୀ ମଧ୍ୟ ଦିଆଯାଇଥିଲା। ଦ୍ବିତୀୟ ଥର ଏପରି କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଥିଲା।

ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଏକ ପ୍ରେସ୍ ବିବୃତି ଦେଇ କହିଛନ୍ତି; ପରିବା, ସଉଦା, କ୍ଷୀର, ଆମିଷ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ଖୋଲା ରହୁଛି। ଲୋକଙ୍କ ଘର ପାଖରେ ମଧ୍ୟ ଏ ସବୁ ସାମଗ୍ରୀ ଉପଲବ୍ଧ ରହୁଛି। କିନ୍ତୁ ଅମାନିଆମାନେ ବାଇକ୍ ଧରି ବୁଲୁଛନ୍ତି। ଯାହାଫଳରେ ରାସ୍ତାଘାଟରେ ଗାଡ଼ି ସଂଖ୍ୟା ବଢ଼ୁଥିବା ଦେଖିବାକୁ ମିଳୁଛି। କିନ୍ତୁ ଆଉ ଅମାନିଆଙ୍କୁ ନିସ୍ତାର ମିଳିବ ନାହିଁ କି କୌଣସି ବାହାନା ଚଳିବ ନାହିଁ। କାର୍ଯ୍ୟାନୁଷ୍ଠାନକୁ ଆହୁରି ଜୋରଦାର କରାଯିବ ବୋଲି ସେ ‌ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର