କର୍କଟକୁ ଡରିବା ନାହିଁ, ‌‌ରୋଗ ହେଲେ କେମିତି ଜାଣିବା?

କର୍କଟ ବା ‘କ୍ୟାନସର୍‌’ ଶବ୍ଦଟି ଭୟ ସୃଷ୍ଟି କରିବା ପାଇଁ ଯଥେଷ୍ଟ। କିନ୍ତୁ ଚିକିତ୍ସା ବିଜ୍ଞାନର ଅଗ୍ରଗତି ଦ୍ବାରା ଏବେ ଏହାର ନିଦାନ ବହୁ ପରିମାଣରେ ସମ୍ଭବ ହୋଇପାରିଛି।କର୍କଟ ବା ‘କ୍ୟାନସର୍‌’ ଶବ୍ଦଟି ଭୟ ସୃଷ୍ଟି କରିବା ପାଇଁ ଯଥେଷ୍ଟ। କିନ୍ତୁ ଚିକିତ୍ସା ବିଜ୍ଞାନର ଅଗ୍ରଗତି ଦ୍ବାରା ଏବେ ଏହାର ନିଦାନ ବହୁ ପରିମାଣରେ ସମ୍ଭବ ହୋଇପାରିଛି।

କର୍କଟ ରୋଗ କ’ଣ?
ଶରୀରର କୋଷିକା ବା ସେଲ୍‌ ଏକ ନିର୍ଦ୍ଦିଷ୍ଟ ନିୟମ ଅନୁସାରେ ବଢ଼ିଥାଏ। ଯେତେବେଳେ ଏହି ସମନ୍ବୟ ବିଗିଡ଼ିଯାଏ, ସେତେବେଳେ କ୍ୟାନସର୍‌ର ଦେଖା ଦେଇଥାଏ। କ୍ୟାନସର୍‌ ହେଲେ, ଏହି କୋଷିକାଗୁଡ଼ିକ ନିର୍ବିଘ୍ନରେ ବଢ଼ିଥାନ୍ତି। ଏମାନେ ନିଜର ସାମ୍ରାଜ୍ୟ ବିସ୍ତାର କରି ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ କବଳିତ କରନ୍ତି। ତେବେ ଆବହମାନ କାଳରୁ କର୍କଟ ରୋଗର ଉପସ୍ଥିତି ରହିଛି। ମିଶର୍‌, ଗ୍ରିସ୍‌ର ପ୍ରାଚୀନ ଗ୍ରନ୍ଥରେ ଏହାର ବର୍ଣ୍ଣନା ଦେଖିବାକୁ ମିଳେ।
ପ୍ରତିକାର ଅଛି କି?
ନିଶ୍ଚୟ ଅଛି। ସମୟ ଥାଉଥାଉ ସାବଧାନ ହେଲେ, ଏକ ସୁସ୍ଥ ଜୀବନଶୈଳୀ ଆପଣାଇଲେ, ପ୍ରାରମ୍ଭିକ ଅବସ୍ଥା‌ରେ ରୋଗ ନିରୂପଣ ହେଲେ ନିଶ୍ଚୟ ଏହାର ଚିକିତ୍ସା ସମ୍ଭବ। କିନ୍ତୁ ସମସ୍ତଙ୍କ କ୍ଷେତ୍ରରେ ଏହା ସମ୍ଭବ ହୋଇନପା‌ରେ। ପ୍ରାୟ ରୋଗୀ ଓ ସଂପର୍କୀୟମାନେ ଜାଣିବାକୁ ଚାହାନ୍ତି ଯେ କ୍ୟାନସର୍‌ ଏବେ କେଉଁ ଷ୍ଟେଜ୍‌ରେ ଅଛି। ତେବେ ପ୍ରଥମ ବା ଦ୍ବିତୀୟ ଷ୍ଟେଜ୍‌ରେ ଥିଲେ ଏହାର ନିରାକରଣ ସହଜରେ ହୋଇପାରେ। କିନ୍ତୁ ତା’ମାନେ ନୁହେଁ ଯେ ତୃତୀୟ କିମ୍ବା ଚତୁର୍ଥ ଷ୍ଟେଜ୍‌ରେ ଥିବା ବ୍ୟକ୍ତିମାନେ ଆଶା ହରାଇ ବସିବେ। ଚିକିତ୍ସା ବିଜ୍ଞାନର ଅଗ୍ରଗତି ଏହି ରୋଗୀମାନଙ୍କ ଜୀବନରେ ଆଶା ଓ ଆନନ୍ଦର କିରଣ ସଞ୍ଚାର କରିଛି। ଉନ୍ନତମାନର ଚିକିତ୍ସା, ଶଲ୍ୟ, ଭେଷଜ ଓ ବିକୀରଣ ବିଭାଗ ଏବଂ ସର୍ବୋପରି ଦୃଢ଼ ଇଚ୍ଛାଶକ୍ତି ବଳରେ ଏହି ଚମତ୍କାର ଏବେ ସମ୍ଭବ ହୋଇପାରୁଛି।
କ୍ୟାନସର୍‌ କାହିଁକି ହୁଏ?
ବହୁତଗୁଡ଼ିଏ କାରଣ ଅଛି। ତମାଖୁ ସେବନ, କିଛି ଖାଦ୍ୟଜନିତ କାରଣ, ବଂଶଗତ କିମ୍ବା ସଂକ୍ରାମକ ଜୀବାଣୁ ଓ ଭୂତାଣୁ ଦ୍ବାରା କ୍ୟାନସର୍‌ ହୋଇଥାଏ ବୋଲି ପ୍ରାୟ ଆମେ ସମସ୍ତେ ଜାଣୁ। କିନ୍ତୁ ଏହା ବ୍ୟତୀତ ମଧ୍ୟ ଆହୁରି ଅନେକ କାରଣ ଅଛି, ଯାହା ବିଷୟରେ ଆମେ ଠିକ୍‌ ଭାବେ ଆକଳନ କରିପାରିବା ନାହିଁ। କ୍ୟାନସର୍‌ର ପ୍ରକୃତ କାରଣ ଜାଣିବା ନିମନ୍ତେ ପୃଥିବୀର ବହୁ ସଂସ୍ଥାନ ନିରବଚ୍ଛିନ୍ନ ଅନୁସନ୍ଧାନ କରୁଛନ୍ତି। ସେଥିରେ ଆମେ ସଫଳ ହେଲେ, ଚିକିତ୍ସା ବିଜ୍ଞାନ ଏକ ବିରାଟ ସଫଳତା ହାସଲ କରିବ।
ଓଡ଼ିଶାରେ ସାଧାରଣତଃ କେଉଁପ୍ରକାର କ୍ୟାନସର୍ ଦେଖାଯାଏ?
ଲାନସେଟ୍‌ ଅଙ୍କୋଲୋଜିରେ ପ୍ରକାଶିତ ଏକ ପ୍ରବନ୍ଧ ଅନୁସାରେ, ଓଡ଼ିଶାରେ ମହିଳାମାନଙ୍କଠାରେ ଦେଖାଯାଉଥିବା ପ୍ରଥମ ପାଞ୍ଚ ପ୍ରକାରର କ୍ୟାନସର୍‌ ହେଉଛି ସ୍ତନ , ପେଟ, ଅନ୍ତଃନଳୀ, ଓଷ୍ଠ ଓ ମୁଖଗହ୍ବର ଏବଂ ଗର୍ଭାଶୟ କର୍କଟ। ସେହିପରି ପୁରୁଷମାନଙ୍କଠାରେ ଦେଖାଯାଉଥିବା ପ୍ରଥମ ପାଞ୍ଚଟି କ୍ୟାନସର୍‌ ହେଉଛି ପେଟ, ଫୁସ୍‌ଫୁସ୍‌, ଫା‌ରିଂକ୍ସ(Pharynx), ଓଷ୍ଠ ଓ ମୁଖଗହ୍ବର, କଲୋନ୍‌ ଓ ରେକ୍‌ଟମ୍ କ୍ୟାନସର୍‌।
‌‌ରୋଗ ହେଲେ କେମିତି ଜାଣିବା?
ଆମ ଦେହରେ କ୍ୟାନସର୍‌ ବିକଶିତ ହେଲେ, ତାହାର କିଛି ଲକ୍ଷଣ ଦେଖାଯାଇଥାଏ। ସେଗୁଡ଼ିକୁ ଆମେ ଜାଣିପାରିଲେ, ପ୍ରାଥମିକ ଅବସ୍ଥାରୁ ଏହାକୁ ଚିହ୍ନଟ କରାଯାଇପାରିବ। ମହିଳାମାନେ ସ୍ତନରେ କିଛି ଗୁଳା ହେବା ପରି ଅନୁଭବ କଲେ, ତାହା ସ୍ତନ କର୍କଟର ପ୍ରାଥମିକ ଲକ୍ଷଣ ବୋଲି ସନ୍ଦେହ କରିବା ଉଚିତ। ସଙ୍ଗେସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। କିଛି ସରଳ ଓ ସାଧାରଣ ପରୀକ୍ଷା ଦ୍ବାରା ରୋଗଟି କ୍ୟାନସର୍‌ କି ନୁହେଁ, ସହଜରେ ଜଣାପଡ଼ିଥାଏ। ସେହିପରି ମୁଖଗହ୍ବରରେ କିଛି ଧଳା କିମ୍ବା ଲାଲ ରଙ୍ଗର ଚିହ୍ନ ଥିଲେ, ଡାକ୍ତରଙ୍କ ସହ ପରାମର୍ଶ କରିନେବା ଜରୁରୀ। ତେବ‌େ ତମାଖୁ ସେବନ ବ୍ୟତୀତ ମୁଖଗହ୍ବର କର୍କଟର ଆହୁରି ଅନେକ କାରଣ ଅଛି।

କ୍ୟାନସର୍‌ ରୋଗୀଙ୍କ ପାଇଁ ସ୍ବାସ୍ଥ୍ୟକର୍ମୀ, ପରିବାରବର୍ଗ ଓ ସମାଜ ସମ୍ବେଦନଶୀଳ ହେବା ନିହାତି ଆବଶ୍ୟକ। ଉପଯୁକ୍ତ ଚିକିତ୍ସା ଓ ସହଯୋଗ ରୋଗୀମାନଙ୍କର ମନୋବଳ ବଢ଼ାଇବାରେ ସାହାଯ୍ୟ କରିଥାଏ। ନୂତନ ଚିକିତ୍ସା ପଦ୍ଧତି, ଚିକିତ୍ସା ବିଜ୍ଞାନର ଅଗ୍ରଗତି ଏହି ଦୁରୁହ ରୋଗକୁ ନିଶ୍ଚୟ ନିକଟ ଭବିଷ୍ୟତରେ ପରାହତ କରିବ। ରୋଗୀମାନଙ୍କର ଯନ୍ତ୍ରଣା କମ୍‌ କରିବା ପାଇଁ ପ‌ାଲିଆଟିଭ‌ କେଆର୍‌ର ମୁଖ୍ୟ ଭୂମିକା ରହିଛି। ତେଣୁ ଆମେ କ୍ୟାନସର୍‌କୁ ଡରିବା ନାହିଁ। ଜାଣିବାକୁ, ବୁଝିବାକୁ ଚେଷ୍ଟା କରିବା। ସ୍ବାସ୍ଥ୍ୟକର୍ମୀ, ସମାଜ ଓ ସରକାରଙ୍କ ସହାୟତା ନେବା। ନିଜର ଦୃଢ଼ ମନୋବଳ ଜରିଆରେ ଏକ ସୁଖ ଓ ଶାନ୍ତିର ଜୀବନଯାପନ କରିବା।

-ଡ.ଅମିତାଭ ଜେନା, ବରିଷ୍ଠ ଶଲ୍ୟ କର୍କଟ ବିଶେଷଜ୍ଞ,

ଆସ୍ପାୟର ହସ୍ପିଟାଲ, ଭୁବନେଶ୍ବର

ସମ୍ବନ୍ଧିତ ଖବର