ଭୁବନେଶ୍ୱର : ଲୋକମାନଙ୍କ ମଧ୍ୟରେ ଯୋଗକୁ ଲୋକପ୍ରିୟ କରିବା ଓ ପାର୍କରେ ଯୋଗ ଶିକ୍ଷା ଦେବା ପାଇଁ ନିଷ୍ପତ୍ତି ନେଇଥିଲା ରାଜ୍ୟ ଆୟୁଷ ନିର୍ଦେଶାଳୟ। ନିଷ୍ପତ୍ତି ହେବାର ୨ବର୍ଷରୁ ଅଧିକ ସମୟ ହେଲାଣି। ମାତ୍ର ଏ ପର୍ଯ୍ୟନ୍ତ ପାର୍କରେ ଯୋଗ ଶିକ୍ଷା ଆରମ୍ଭ ହୋଇପାରିଲା ନାହିଁ। ଲୋକଙ୍କୁ ଯୋଗ ଶିଖାଇବା ପାଇଁ ଯୋଗ ଇନଷ୍ଟ୍ରକ୍ଟର୍‌ ଓ ଡେମୋନେଷ୍ଟ୍ରଟର୍‌ ନିଯୁକ୍ତି ବି ହୋଇପାରିନି। ଫଳରେ ଆୟୁଷ ନିର୍ଦେଶାଳୟର ଯୋଜନା କେବଳ ଯୋଜନାରେ ସୀମିତ ରହିଛି।

Advertisment

ରାଜଧାନୀର ୬ଟି ପାର୍କକୁ ମିଶାଇ ରାଜ୍ୟର ୧୫ଟି ସେଣ୍ଟର୍‌ରେ ଯୋଗ ଓ େଓ୍ଵଲନେସ୍‌ ସେଣ୍ଟର୍‌ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲା ରାଜ୍ୟ ଆୟୁଷ ନିର୍ଦେଶାଳୟ। ତେବେ ପାର୍କରେ ହେବାକୁ ଥିବା ଯୋଗ ଶିକ୍ଷା ପାଇଁ ସମୁଦାୟ ୫ଲକ୍ଷ ୪୦ ହଜାର ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଆଉଟସୋର୍ସିଂ ଜରିଆରେ ଏଥିପାଇଁ ଇନଷ୍ଟ୍ରକ୍ଟର୍‌ ଓ ଡେମୋନଷ୍ଟ୍ରେଟର ନିଯୁକ୍ତି କରିବାକୁ ନିର୍ଦେଶାଳୟ ଟେଣ୍ଡର୍‌ କରିଥିଲା କିନ୍ତୁ ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ଆଶାନୁରୂପ ନ ହେବାରୁ ନିର୍ଦେଶାଳୟ ପକ୍ଷରୁ ଏହାକୁ ବାତିଲ କରି ଦିଆଯାଇଥିଲା। ପରବର୍ତୀ ସମୟରେ ଇନ୍‌ଷ୍ଟ୍ରକ୍ଟର ନିଯୁକ୍ତି ପାଇଁ କେନ୍ଦ୍ରର ପ୍ରତିନିଧି ଦଳ ଆସିଥିବା ସମୟରେ ଏକ ସ୍ଥାନୀୟ ଯୋଗ ଅନୁଷ୍ଠାନ ନିଜ ଅନୁଷ୍ଠାନରୁ ଇନଷ୍ଟ୍ରକ୍ଟର୍‌ ନିଯୁକ୍ତି ପାଇଁ ଜିଦ୍‌ ଧରିଥିଲା। ଯାହାକୁ ନେଇ ବିବାଦ ଦେଖାଦେଇଥିଲା।

ନିକଟରେ ଯୋଗ ଓ ଓ୍ଵଲନେସ ସେଣ୍ଟର୍‌ ପାଇଁ ଇନଷ୍ଟ୍ରକ୍ଟର୍‌ ଓ ଡେମୋନଷ୍ଟ୍ରେଟରଙ୍କୁ ଚୟନ କରାଯାଇଛି। ମାତ୍ର ତହିଁରୁ ଅନେକ ଏହି କାର୍ଯ୍ୟରେ ଯୋଗ ଦେବାକୁ ଇଚ୍ଛୁକ ନ ଥିବା ଜଣାପଡ଼ିଛି। ଏହାକୁ ନେଇ ଆୟୁଷ ନିର୍ଦେଶାଳୟ କର୍ତୃପକ୍ଷ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଫଳରେ ପାର୍କରେ ଯୋଗ ଶିକ୍ଷା ଦିନକୁ ଦିନ ବିଳମ୍ବ ହେବାରେ ଲାଗିଛି। କେବେ ପାର୍କରେ ଯୋଗ ଶିକ୍ଷା ଆରମ୍ଭ ହେବ ତାହା ମଧ୍ୟ ସ୍ଥିର ହୋଇପାରୁ ନାହିଁ।

ରାଜ୍ୟ ଆୟୁଷ ନିର୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରାଜ୍ୟର ୧୫ଟି ସ୍ଥାନରେ ଯୋଗ ଶିକ୍ଷା ଦିଆଯିବ। ଏଥିପାଇଁ ଇନଷ୍ଟ୍ରକ୍ଟର୍‌ ଓ ଡେମୋନଷ୍ଟ୍ରେଟର୍‌ଙ୍କୁ ଚୟନ କରାଯାଇଛି। ସେମାନଙ୍କ ନିଯୁକ୍ତି ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖାଯିବ। ଆସନ୍ତାବର୍ଷ ଜାନୁଆରି ମାସରେ ଯୋଗ ଓ େଓ୍ଵଲନେସ୍‌ ସେଣ୍ଟର୍‌ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଥିବା ଅଧିକାରୀ ସୂଚନା ଦେଇଛନ୍ତି।