କଟକଣାକୁ ଖାତିର ନାହିଁ, ବେଧଡ଼କ ପଶୁଛି ଭାରୀଯାନ

ନିୟନ୍ତ୍ରଣ ଭିତରେ ରହୁନି ଗାଡ଼ିର ବେଗ, ଭିଡ଼ ଅସମ୍ଭାଳ, ପିଲାଏ ଅସୁରକ୍ଷିତ

ଚନ୍ଦ୍ରଶେଖରପୁର: ନିୟମ କହୁଛି ସକାଳ ୮ଟାରୁ ରାତି ୧୦ଟା ମଧ୍ୟରେ ଭୁବନେଶ୍ବର ସହର ମଧ୍ୟରେ ଭାରୀଯାନ ଚଳାଚଳ କରିପାରିବ ନାହିଁ। ସହର ଭିତରକୁ ଆସୁଥିବା ମାଲ୍‌ବାହୀ ଟ୍ରକ୍‌ ରାତି ୧୦ଟାରୁ ସକାଳ ୮ଟା ମଧ୍ୟରେ ସହରର ବିଭିନ୍ନ ସ୍ଥାନକୁ ଯାଇପାରିବ। ଯଦି କୌଣସି ଗାଡ଼ି ଦିନ ସମୟରେ ସହର ମଧ୍ୟ ଦେଇ ଯାଏ ଓ ଧରାପଡ଼େ, ତେବେ ଡ୍ରାଇଭର୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଜରିମାନା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ବି ହୋଇପାରେ। ସହରରେ ଭାରୀଯାନ ଚଳାଚଳ ନେଇ ଏଭଳି କଟକଣା ରହିଥିଲେ ମଧ୍ୟ ତା’କୁ ମାନିବାକୁ କେହି ବି ପ୍ରସ୍ତୁତ ନୁହନ୍ତି। ପ୍ରତିଦିନ ଭାରୀଯାନ ସହର ଭିତରକୁ ପଶୁଛି। ବିଶେଷକରି ଜନଗହଳିପୂର୍ଣ୍ଣ ନନ୍ଦନକାନନ-ଜୟଦେବବିହାର ରାସ୍ତାରେ ଭାରୀଯାନ ଚଳାଚଳ କରୁଥିଲେ ମଧ୍ୟ ଏଥିରେ ରୋକ୍‌ ଲଗା ଯାଇପାରୁନି। ଟ୍ରାଫିକ୍‌ ପୁଲିସ ପକ୍ଷରୁ ଏହି ରାସ୍ତାର ୫ଟି ସ୍ଥାନରେ ଯାଞ୍ଚ କରାଯାଉଛି। ତଥାପି ଭାରୀଯାନକୁ ଅଟକା ଯାଉନି କିମ୍ବା କାର୍ଯ୍ୟାନୁଷ୍ଠାନ ହେଉନି। ଫଳରେ ବହୁ ସଂଖ୍ୟାରେ ଟ୍ରକ୍‌, ହାଇୱା, ଟ୍ରେଲର, ଟିପର୍‌ ଓ ୧୦ ଚକିଆ ଯାନ ଏହି ରାସ୍ତାରେ ଚଳାଚଳ କରୁଛି। ବହୁ ଟ୍ରକ୍‌ରେ ବାଲି ବୁହା ହେଉଥିବା ବେଳେ ଚନ୍ଦକା ଶିଳ୍ପାଞ୍ଚଳକୁ ମାଲବାହୀ ଟ୍ରକ ପ୍ରବେଶ କରୁଛି। ଯେଉଁଥିପାଇଁ ରାସ୍ତାର ନିରାପତ୍ତା, ଦୁର୍ଘଟଣା ଓ ଜନସାଧାରଣଙ୍କ ଯିବା ଆସିବାରେ ଅସୁବିଧା ହେଉଛି।

ଚିନ୍ତାର ବିଷୟ ହେଉଛି ଯେ ଦିନ ସମୟରେ ଟ୍ରକ୍‌ ପ୍ରବେଶ କରୁଥିଲେ ମଧ୍ୟ ଟ୍ରାଫିକ୍‌ ପାସ୍‌ ମିଳିଯାଉଛି। ଟ୍ରାଫିକ୍‌ ପୋଷ୍ଟରେ ଥିବା ଅଧିକାରୀମାନେ ହାତ ଗୁଞ୍ଜା ନେଇ ଭାରୀଯାନଗୁଡ଼ିକୁ ସହର ଭିତରକୁ ପ୍ରବେଶ ଲାଗି ଅନୁମତି ଦେଉଥିବା ଲୋକେ ଅଭିଯୋଗ କରିଛନ୍ତି। ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ଭାରୀଯାନ ଚଳାଚଳ କରିବା ଦ୍ବାରା ଦିନକୁ ଦିନ ଦୁର୍ଘଟଣା ବଢ଼ୁଛି। ଡମଣା, କିଟ୍‌, ଚନ୍ଦ୍ରଶେଖରପୁର, ପଟିଆ ଆଦି ଅଞ୍ଚଳରେ ବହୁ ସଂଖ୍ୟାରେ ସରକାରୀ ଓ ବେସରକାରୀ ସ୍କୁଲ ଥିବାରୁ ସକାଳ ୫ଟାରୁ ୧୦ଟା ଭିତରେ ଛାତ୍ରଛାତ୍ରୀ ରାସ୍ତା ପାର୍‌ ହୋଇ ବିଦ୍ୟାଳୟକୁ ଯାଇଥାନ୍ତି। ସକାଳ ସମୟରେ ଭାରୀଯାନ ଦ୍ରୁତ ଗତିରେ ଯାଉଥିବାରୁ ଛାତ୍ରଛାତ୍ରୀ ଦୁର୍ଘଟଣାର ସମ୍ମୁଖୀନ ହେବାର ଉଦାହରଣ ରହିଛି। ତଥ୍ୟ କହୁଛି ଗତ ୬ ମାସ ମଧ୍ୟରେ ଏହି ରାସ୍ତାରେ ୮୦ରୁ ଦୁର୍ଘଟଣା ଭାରୀଯାନ ଦ୍ବାରା ହୋଇଛି। ଏଥିରେ ୪ଜଣ ସ୍କୁଲ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଦେଢ଼ ମାସ ତଳେ ପଟିଆ ଛକରେ ସକାଳୁ ସ୍କୁଲ ଯାଉଥିବା ଦୁଇ ଜଣ ଛାତ୍ରୀଙ୍କୁ ଏକ ଡମ୍ପର ଧକ୍କା ଦେଇଥିଲା। ଏଥିରେ ଦୁଇ ଜଣ ଛାତ୍ରୀ ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚି ଯାଇଥିଲେ। ୬ ମାସରେ ଏହି ରାସ୍ତାରେ ଭାରୀଯାନ ଦ୍ବାରା ୩ ଜଣ ବ୍ୟକ୍ତିଙ୍କର ଜୀବନ ଯାଇଛି। ଦେଖିବାକୁ ମିଳୁଛି ଯେ ରାତି ୧୦ଟା ପରେ ଏହି ରାସ୍ତାରେ ଯାଉଥିବା ଭାରୀଯାନଗୁଡ଼ିକର ବେଗ ନିୟନ୍ତ୍ରଣ ବାହାରକୁ ଚାଲି ଯାଉଛି। ରାତି ୧୦ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ଟ୍ରାଫିକ୍‌ କଟକଣା ନ ଥିବାରୁ ଗାଡ଼ି ଚାଳକମାନେ ବେପରୁଆ ଗାଡ଼ି ଚଳାଉଛନ୍ତି। ପ୍ରାୟ ୭୦ରୁ ୮୦କିମି ବେଗରେ ଗାଡ଼ି ଚଳାଉଛନ୍ତି। ରୋକ ଲଗାଇବାକୁ କେହି ନାହାନ୍ତି। କଟକ ଆଡ଼ୁ ଚନ୍ଦକା ସମେତ ଏହା ନିକଟରେ ଶିଳ୍ପାଞ୍ଚଳକୁ ଆସୁଥିବା ଗାଡ଼ିଗୁଡ଼ିକ ଜାତୀୟ ରାଜପଥ ବଦଳରେ ବାରଙ୍ଗ ରାସ୍ତା ଦେଇ ପଳାଇ ଆସୁଛନ୍ତି। ଏହି ରାସ୍ତାରେ କମ୍‌ ଟ୍ରାଫିକ୍‌ ରହିଛି। ଏଥିସହ ଧରପଗଡ଼ କିମ୍ବା ଯାଞ୍ଚ କରିବାକୁ କେହି ନାହାନ୍ତି। ତେଣୁ ଚାଳକମାନେ ଏହାର ସୁଯୋଗ ନେଇ ସହର ଭିତରକୁ ଭାରୀଯାନ ପ୍ରବେଶ କରାଉଛନ୍ତି। ସମସ୍ୟା ଦିନକୁ ଦିନ ବଢ଼ୁଥିବାରୁ ଭାରୀଯାନ ପ୍ରବେଶ ନିୟମକୁ କଡ଼ାକଡ଼ି ଲାଗୁ କରିବାକୁ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର