ସୁଧୁରୁନି ଗଣ୍ଡମୁଣ୍ଡା ହାଟ ଅବସ୍ଥା

ଭୁବନେଶ୍ୱର: ଷ୍ଟ୍ରିଟ୍‌ ଲାଇଟ୍‌ ଲାଗିଛି, ମାତ୍ର ଜଳୁନାହିଁ। ବୋର୍‌େଓ୍ଵଲ୍‌ ଅଛି, ପାଣି ଆସୁନି। ପିଣ୍ଡି ଖୋଲିଛି ୧୭୪ଟି, ଖୋଲୁଛି ୫୦ରୁ ୬୦; ତାହା ପୁଣି ସପ୍ତାହକୁ ୨ ଦିନ ସଂଜ ଓଳି। ଇଏ ହେଉଛି ଆମ ରାଜଧାନୀର ଏକ ପୁରୁଣା ହାଟ ଗଣ୍ଡମୁଣ୍ଡା ହାଟର କରୁଣ ଅବସ୍ଥା। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ୨୦୦୬ ଅଗଷ୍ଟ ୩୧ ତାରିଖ ସ୍ୱାୟତ୍ତ ଶାସନ ଦିବସ ଅବସରରେ ଆରମ୍ଭ ହୋଇଥିଲା ଏହି ହାଟ। ଲକ୍ଷ୍ୟ ଥିଲା, ଜଗମୋହନ ନଗର, ଆଇଟିଇଆର୍‌, ଗଣ୍ଡମୁଣ୍ଡା, ପୋଖରୀପୁଟ ଓ ଏହାର ଆଖପାଖ ଅଞ୍ଚଳର ଲୋକେ ଏଠାରୁ ବଜାର ସୁବିଧା ପାଇବେ। ମାତ୍ର ୨ ଦିନ ସଂଜ ବେଳାକୁ ଛାଡ଼ି ଦେଲେ ବାକି ଦିନ ଏହି ହାଟରେ ମଦୁଆଙ୍କ ଆସର ଜମୁଛି। ହାଟ ପ୍ରତି ପ୍ରଶାସନର ନିରବତା ଓ ସାଂପ୍ରତିକ ସ୍ଥିତି ଦେଖି ବ୍ୟବସାୟୀମାନେ ନା କିଛି କରିପାରୁଛନ୍ତି ନା ଆଗକୁ କିଛି କରିବାର ସ୍ୱପ୍ନ ଦେଖିପାରୁଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଠାରେ ପିଣ୍ଡି ବଣ୍ଟା ଯିବା ପରଠୁ ବହୁ ବେପାରୀ ଖୁସିରେ ପିଣ୍ଡିକୁ ନିଜ ନାଁରେ କରେଇ ନେଇଛନ୍ତି। ଦୀର୍ଘ ବର୍ଷ ହେଲା ବ୍ୟବସାୟୀମାନେ ଟିକସ ବି ଗଣୁଛନ୍ତି। ହେଲେ କିଛି ବ୍ୟବସାୟୀ ଟିକସ ଗଣୁଥିଲେ ବି ବ୍ୟବସାୟ କରୁନାହାନ୍ତି। ଏଥିପାଇଁ ବଜାରର ସ୍ଥିତି ହିଁ ଅନେକ ପରିମାଣରେ ଦାୟୀ। ଆଶା କାଳେ କେବେ ହାଟର ଭାଗ୍ୟ ଖୋଲିବ। ମାତ୍ର ଆଗକୁ ଯେ ସେ ଭଲ ଦିନ ଫେରିବ, ଏନେଇ ବ୍ୟବସାୟୀମାନେ ସନ୍ଦିହାନ ହୋଇପଡ଼ିଲେଣି। କିଛି ବ୍ୟବସାୟୀ ଏ ଦୃଷ୍ଟିରୁ ଆଉ ମହାସୁଲ ଦେଉନଥିବା ବେଳେ କିଛି ବ୍ୟବସାୟୀ ସର୍ଟର ଲଗାଇ ପିଣ୍ଡିଗୁଡ଼ିକୁ ଗୋଦାମ ଭାବେ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ହାଟପାଳି ଅନୁଯାୟୀ ହେଉ ପଛେ, ଏକ ଚତୁର୍ଥାଂଶ ବ୍ୟବସାୟୀ ଯଦିଓ ଏଯାବତ ବ୍ୟବସାୟ କରୁଛନ୍ତି। ମଙ୍ଗଳବାର ଓ ଶୁକ୍ରବାର ସନ୍ଧ୍ୟା ୫ଟାରୁ ରାତି ୧୦ଟା ମଧ୍ୟରେ ପସରା ଖୋଲୁଛନ୍ତି। ମାତ୍ର ସେମାନେ ଏମିତି ସ୍ଥାନରେ ପିଣ୍ଡି ପାଇଛନ୍ତି ଯେ ପିଣ୍ଡି ନେଇ ନନେବା ସଦୃଶ ହୋଇଛି। ଅପରାଜିତା ଷଡ଼ଙ୍ଗୀ ବିଏମ୍‌ସି କମିସନର ଥିବା ସମୟରେ କହିଥିଲେ, ଯେଉଁ ବ୍ୟବସାୟୀ ୪୦ରୁ ଅଧିକ ଦିନ ଏଠାରେ ନିୟମିତ ବ୍ୟବସାୟ କରିବା ସହ ଟିକସ ଦେବେ ସେମାନଙ୍କୁ ପିଣ୍ଡି ଦିଆଯିବ ନିୟମ ଥିଲା। ତେବେ ସେ ଯିବା ପରେ ଯୋଜନା ଯୋଜନାରେ ରହିଗଲା। ନିର୍ଦେଶ ମୁତାବକ ପିଣ୍ଡି ପାଇବାକୁ ହକ୍‌ଦାର ଲୋକେ ପିଣ୍ଡି ପାଇପାରିଲେ ନାହିଁ। ଏଣେ ଦୀର୍ଘଦିନ ହେବ ଛିଡ଼ା ହୋଇଥିବା ଷ୍ଟ୍ରିଲ୍‌ ଲାଇଟ୍‌ ବି କେବେ ନିୟମିତ ୩ ମାସ ଜଳିବା କେହି ଦେଖିନାହାନ୍ତି। ଖୁଣ୍ଟିରେ କଳଙ୍କି ଲାଗି ଗଲାଣି। ଲାଇଟ୍‌ ଭାଙ୍ଗିଗଲାଣି। ମଦ୍ୟପଙ୍କୁ ବେଶ୍‌ ସୁହାଉଛି ଏହି ପିଣ୍ଡି। ହାଟ ପାଳି ୨ ଦିନ ଛାଡ଼ିଦେଲେ ଅନ୍ୟ ଦିନରେ ସନ୍ଧ୍ୟା ହେବା ମାତ୍ରେ ବାର୍‌ ପାଲଟି ଯାଉଛି ପିଣ୍ଡି ହାଟ। ଏହା ଦେଖି ବ୍ୟବସାୟୀଙ୍କ ମନ ବି ଛାଡ଼ିଗଲାଣି। ବିଏମ୍‌ସିର ବାରମ୍ବାର ହାଟ ପ୍ରତି ଉଦାସୀନତା ଯୋଗୁଁ ଏହାର ଭବିଷ୍ୟତ ନେଇ ଅନିଶ୍ଚିତତା ଦେଖା ଦେଇଛି।

ସମ୍ବନ୍ଧିତ ଖବର