ଭୁବନେଶ୍ବର: ବଦଳୁଛି ରାଜ୍ୟ ଗ୍ରନ୍ଥାଗାରର ରୂପରେଖ। ଷ୍ଟଡି ରୁମ୍‌ର ଚେହେରା ବଦଳିଛି। ଉନ୍ନତମାନର ଷ୍ଟଡିରୁମ୍‌ରେ ସିଟ୍‌ ସଂଖ୍ୟା ବୃଦ୍ଧି କରାଯାଇଛି। ଫଳରେ ପଢ଼ିବାକୁ ଆସୁଥିବା ଛାତ୍ରଛାତ୍ରୀମାନଙ୍କୁ ଆଉ ବାହାରେ ବସିବାକୁ ପଡୁନି। ମାତ୍ର ଏବେ ବି ମୁଖ୍ୟ ସମସ୍ୟା ହୋଇ ରହିଯାଇଛି ନୂଆ କାର୍ଡ ଓ ବହି। ଦୀର୍ଘ ବର୍ଷ ହେଲା ନୂଆ କାର୍ଡ ଯୋଗାଣ ବନ୍ଦ ଥିବାରୁ ବହୁ ଛାତ୍ରଛାତ୍ରୀ ସମସ୍ୟାରେ ପଡ଼ୁଛନ୍ତି। ବହି କିଣିବାକୁ ସାମର୍ଥ୍ୟ ନଥିବା ମେଧାବୀ ଛାତ୍ରଛାତ୍ରୀମାନେ ଏହି ଗ୍ରନ୍ଥାଗାରର ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି।

Advertisment

ସୂଚନାନୁସାରେ ପ୍ରାୟ ୧ କୋଟି ଟଙ୍କା ବ୍ୟୟରେ ୧୫୬ ସିଟ୍‌ ବିଶିଷ୍ଟ ଏକ ଷ୍ଟଡି ରୁମ୍ ନିର୍ମାଣ କରାଯାଇଛି। ଏହାକୁ ଆଉଟ୍‌ଡୋର୍ ଷ୍ଟଡିରୁମ୍‌ କୁହାଯାଉଛି। ପୂର୍ବରୁ ଏଠାରେ ୧୨୦ ସିଟ୍‌ ବିଶିଷ୍ଟ ଇନ୍‌ଡୋର ଷ୍ଟଡିରୁମ୍‌ ଥିଲା। ଏଥିରେ ସିଟ୍‌ କମ୍‌ ଥିବାରୁ ଏଠାରେ ଛାତ୍ରଛାତ୍ରୀମାନେ ପାଠଗାର ବାହାରେ ବସିବାକୁ ବାଧ୍ୟ ହେଉଥିଲେ। କିନ୍ତୁ ଏବେ ସେହି ସମସ୍ୟା ଦୂର ହୋଇଛି। ଗତ ନଭେମ୍ବରରୁ ପ୍ରସ୍ତୁତ ହୋଇଥିବା ଏହି ନୂଆ ଆଉଟ୍‌ଡୋର୍‌ ଷ୍ଟଡିରୁମ୍‌ରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି। ଭାରତର ଅନ୍ୟ କୌଣସି ଗ୍ରନ୍ଥାଗାରରେ ଏଭଳି ଆଉଟ୍‌ଡୋର ଷ୍ଟଡି ରୁମ୍‌ ନାହିଁ। ବାହାରୁ ସାମାନ୍ୟ ଶବ୍ଦ ଏହା ଭିତରକୁ ଯାଇପାରୁନାହିଁ। ଫଳରେ ପଢ଼ାପଢ଼ି ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରିଛି। କିନ୍ତୁ ମୌଳିକ ସମସ୍ୟାର ସମାଧାନ ହୋଇପାରିନାହିଁ। ବହୁ ପିଲା ଏବେ ବି ଗ୍ରନ୍ଥାଗାରରୁ ବହି ପାଇପାରୁନାହାନ୍ତି। ସେମାନଙ୍କ ପାଖରେ କାର୍ଡ ନଥିବାରୁ ସେମାନଙ୍କୁ ବହି ମିଳୁନି।

ଏ ସଂପର୍କରେ ଛାତ୍ର ନିଲେଶ ପାତ୍ର କହିଛନ୍ତି ଯେ ପୂର୍ବରୁ ସେ ଓ ତାଙ୍କ ବନ୍ଧୁମାନେ ଏଠାକୁ ପଢ଼ିବାକୁ ଆସୁନଥିଲେ। ଇନ୍‌ଡୋର ଷ୍ଟଡିରୁମ୍‌ରେ ସ୍ଥାନାଭାବ ଯୋଗୁଁ ସମସ୍ୟା ହେଉଥିଲା। ତେଣୁ ସେମାନେ ବିଭିନ୍ନ ପାର୍କ ଭଳି ନି‌ରୋଳା ସ୍ଥାନରେ ବସି ପଢ଼ୁଥିଲେ। ଏବେ କିନ୍ତୁ ଏହି ନୂଆ ଷ୍ଟଡିରୁମ୍‌ ଯୋଗୁଁ ସେମାନେ ଏଠାକୁ ନିୟମିତ ଆସୁଛନ୍ତି। ‌ହେଲେ ନୂଆ କାର୍ଡ ପାଇପାରୁନଥିବା ସମସ୍ୟା ହୋଇରହିଛି। ସେମାନଙ୍କୁ ବହି ମିଳୁନି। ଫଳରେ ସେମାନେ କେବଳ ନିଜ ବହି ପଢ଼ି ଫେରୁଛନ୍ତି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ବଜାରରେ ମିଳୁଥିବା ବହିଗୁଡ଼ିକର ଦାମ୍‌ ବହୁତ ଟଙ୍କା ହୋଇଥିବାରୁ କିଣିବା କଷ୍ଟ ହେଉଛି। ନିମ୍ନ ମଧ୍ୟବିତ୍ତପିଲାଙ୍କ ପକ୍ଷେ ସେସବୁ ବହି କିଣିବା ସମ୍ଭବ ହେଉନାହିଁ। ତେଣୁ ଲାଇବ୍ରେରିରୁ ବହି ମିଳିଲେ, ସେମା‌ନଙ୍କ ପ୍ରସ୍ତୁତି ଆହୁରି ଭଲ ହୋଇପାରନ୍ତା। ସେ ଓ ତାଙ୍କ ସାଙ୍ଗମାନେ ବର୍ଷ ବର୍ଷ ଧରି ନୂଆ କାର୍ଡ ପାଇଁ ଅପେକ୍ଷା କରିଛନ୍ତି ବୋଲି ନିଲେଶ କହିଛନ୍ତି। ସେହିଭଳି ଏଠାକୁ ନିୟମିତ ଆସୁଥିବା ଛାତ୍ରୀ ଲକ୍ଷ୍ମୀପ୍ରିୟା ଓଝାଙ୍କ କହିବାନୁସାରେ ପଢ଼ିବା ପାଇଁ ଏଠା‌ରେ ଏକ ଉପଯୁକ୍ତ ବାତାବରଣ ମିଳୁଛି। ବାହାରର ଗାଡ଼ି ମଟର ଶବ୍ଦ ଏଠି ପଢ଼ାରେ ବ୍ୟାଘାତ କରୁନାହିଁ। କିନ୍ତୁ ନୂତନ କାର୍ଡ ହିଁ ବଡ଼ ସମସ୍ୟା ହୋଇରହିଛି। ନୂଆ କାର୍ଡ ମିଳୁନଥିବାରୁ ଲାଇବ୍ରେରିରେ ଥିବା ଭଲ ବହି ପଢ଼ିବାର ସୁଯୋଗରୁ ବଞ୍ଚିତ ହେବାକୁ ପଡ଼ୁଛି। ଏନେଇ ଗ୍ରନ୍ଥାଗାରର ଭାରପ୍ରାପ୍ତ ଅଧିକାରୀ ଲକ୍ଷ୍ମୀଧର ବେହେରା କହିଛନ୍ତି ଯେ ଯେଉଁ ପିଲାମାନେ ବାହାରେ ବସି ପଢୁଥିଲେ ତାଙ୍କ ପାଇଁ ଏଇ ସ୍ବତନ୍ତ୍ର ସୁବିଧା କରାଯାଇଛି। ନୂଆ କାର୍ଡ ଯୋଗାଣ ପାଇଁ ଉଚ୍ଚସ୍ତରୀୟ ବିଚାରବିମର୍ଶ ଚାଲିଛି ଓ ଖୁବ୍‌ ଶୀଘ୍ର ସେ ଦିଗରେ ପଦକ୍ଷେପ ନିଆଯିବ।