ଭୁବନେଶ୍ବର: ବାତ୍ୟାର ୬ ଦିନ ପରେ ବି ସ୍ବାଭାବିକ ସ୍ଥିତିକୁ ଫେରିପାରୁନି ଉତ୍କଳ ବିଶ୍ବବିଦ୍ୟାଳୟ। ଗଛ କଟା ସରିନି। ବିଜୁଳି ସଂଯୋଗ ବି ହୋଇନି। ପାଣି ପାଇଁ କ୍ୟାମ୍ପସରେ ହାହାକାର ପରିସ୍ଥିତି। ହଷ୍ଟେଲ ଛାଡ଼ି ଛାତ୍ରଛାତ୍ରୀ ପଳାଇଲେନି। କ୍ୟାମ୍ପସରେ ରହୁଥିବା ପ୍ରଫେସର ଓ କର୍ମଚାରୀ ଏବେ ବିଜୁଳି ଓ ପାଣି ପାଇଁ ସଂଘର୍ଷ କରିଚାଲିଛନ୍ତି। ତଥାପି ବଡ଼ ବାବୁମାନଙ୍କ ନିଦ ଭାଙ୍ଗୁନି। ନିଜେ ଜେନେନେଟର ଲଗାଇ ଦିନ ସାରା ଅଫିସରରେ ବସୁଥିବା ବେଳେ କର୍ମଚାରୀମାନେ ତାତିରେ ଆଉଟୁପାଉଟୁ ହେଉଛନ୍ତି। ବାତ୍ୟାର ୬ ଦିନ ପରେ ବି ବିଶ୍ବବିଦ୍ୟାଳୟ କୁଳପତି ଓ କୁଳସଚିବ ଚୁପ୍ ବସିଥିବାରୁ ତାତିଲେଣି କର୍ମଚାରୀ। କ୍ୟାମ୍ପସ ସମ୍ମୁଖ ମା’ ସରସ୍ବତୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଯେ ମେ’ ୧୩ ତାରିଖଠାରୁ ବିଶ୍ବବିଦ୍ୟାଳୟ ବିଭିନ୍ନ ପିଜି ବିଭାଗର ପରୀକ୍ଷା ଆରମ୍ଭ ହେବ। ବିଶ୍ବବିଦ୍ୟାଳୟ ଅଧୀନ ଯୁକ୍ତ୩ କଲେଜଗୁଡ଼ିକରେ ବି ସେମିଷ୍ଟର ପରୀକ୍ଷା ହେବ। ତେବେ ଏପର୍ଯ୍ୟନ୍ତ ବିଜୁଳି ସଂଯୋଗ ହୋଇପାରିନି। ହାତରେ ଆଉ ମାତ୍ର ଦୁଇ ଦିନ ସମୟ ରହିଥିବା ବେଳେ ପରୀକ୍ଷା କିଭଳି ପରିଚାଳିତ ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୧୩ ତାରିଖଠାରୁ ପରୀକ୍ଷା ଆରମ୍ଭ ହେଉଥିବାରୁ ୧୨ ତାରିଖ ସୁଦ୍ଧା ଛାତ୍ରଛାତ୍ରୀ ହଷ୍ଟେଲକୁ ଫେରିବେ। ତେବେ ବିଜୁଳି ଓ ପାଣି ସଂଯୋଗ ନ ଥିବାରୁ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି।
ଅନ୍ୟପକ୍ଷରେ ଫାଇଲିନ୍ ସମୟରେ ସେତେବେଳର କୁଳସଚିବ ଯେଉଁଭଳି ପଦକ୍ଷେପ ନେଇଥିଲେ ଏବେ ସେଭଳି ଦେଖିବାକୁ ମିଳୁନି। ଏପର୍ଯ୍ୟନ୍ତ କ୍ୟାମ୍ପସରୁ ଗଛ କଟା ସରିନି। ରାସ୍ତା ବି ସଫା ହୋଇନି। ପୂର୍ବଭଳି ପଡ଼ିରହିଛି ସବୁ କିଛି। ରାସ୍ତାଘାଟରେ ଅଳିଆ ଆବର୍ଜନାର ପାହାଡ଼। ହଷ୍ଟେଲଗୁଡ଼ିକ ସ୍ଥିତିରେ ବି ସୁଧାର ଆସିନି। ବାତ୍ୟା ପରଠାରୁ ହଷ୍ଟେଲଗୁଡ଼ିକରେ ପାଣି କି ବିଜୁଳି ପହଞ୍ଚିପାରିନି। କ୍ୟାମ୍ପସରେ ଇଣ୍ଟରନେଟ୍ ସୁବିଧା ନାହିଁ। ପରୀକ୍ଷା ସମୟରେ ପରୀକ୍ଷାର୍ଥୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଛାତ୍ରନେତାମାନେ କହିଛନ୍ତି। ପରିସ୍ଥିତିରେ ସୁଧାର ନ ଆସିଲେ ଆଗାମୀ ଦିନରେ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।